ସରକାରୀ ଜମିରେ ରଙ୍ଗଶାଳା : ସରଜମିନ ତଦନ୍ତ କଲେ ତହସିଲଦାର, କେବେ ଭଙ୍ଗା ହେବ ଏହି ବେଆଇନ ରଙ୍ଗଶାଳା?

ଯାଜପୁର : ସରକାରୀ ଜମିରେ ଗଢ଼ି ଉଠିଛି ରୂପେଶ ଭଦ୍ରଙ୍କ ବେଆଇନ ଓ ବିବାଦୀୟ ରଙ୍ଗଶାଳା। ଆଜି ସରଜମିନ ତଦନ୍ତ ବେଳେ ଏହା ଜଣାପଡ଼ିଛି। ପାହାଡ଼ ଓ ଅନାବାଦୀ କିସମ ଜମିକୁ ଜବରଦଖଲ କରି ଏଠାରେ ନିର୍ମାଣ କରାଯାଇଛି ସୁରମ୍ୟ ଅଟ୍ଟାଳିକା।

ଯେଉଁ ବିବାଦୀୟ ଗେ‌ଷ୍ଟହାଉସ୍‌ (ରଙ୍ଗଶାଳା)ରେ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କର ରହସ୍ୟଜନକ ମୃତ୍ୟୁ ଘଟିଥିଲା ଆଜି ସେଠାରେ ସରଜମିନ ତଦନ୍ତ ହୋଇଛି। ଆଜି ର୍ଧମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ଅତିରିକ୍ତ ତହସିଲଦାର ଦେବୀପ୍ରସନ୍ନ ମହାନ୍ତିଙ୍କ ନେତୃତ୍ବରେ ରାଜସ୍ବ ବିଭାଗ କର୍ମଚାରୀ ତଦନ୍ତ କରି ବହୁ ତଥ୍ୟର ପର୍ଦ୍ଦାଫାସ କରିଛନ୍ତି। ହରିଦାସପୁର ସରପଞ୍ଚ ମଧୁସ୍ମିତା ଭଦ୍ରଙ୍କ ସ୍ବାମୀ ରୂପେଶ ଭଦ୍ର ସରକାରଙ୍କ ଅନାବାଦୀ ଓ ସାରୋଇ ପାହାଡ଼କୁ ଜବରଦଖଲ କରି ସୁରମ୍ୟ ଅଟ୍ଟାଳିକା ନିର୍ମାଣ କରିଥିଲେ। ଯେଉଁଠାରେ ନେତା, ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି କମ୍ପାନି ଅଧିକାରୀ ପହଞ୍ଚି ବେଶ ମଜା ଉଠାଉଥିଲେ। ଅତ୍ୟାଧୁନିକ ଆସବାବପତ୍ରରେ ସୁସଜ୍ଜିତ ଏହି ରଙ୍ଗଶାଳାକୁ ସାରୋଇ ପାହାଡ଼ ଓ ଜଙ୍ଗଲକୁ କାଟି ନିର୍ମାଣ କରାଯାଇଛି।

ଆଜିର ଅନୁସନ୍ଧାନରୁ ଜଣାପଡ଼ିଛି ଯେ ବାଲିଗିରି ମୌଜାର ଖାତା ନମ୍ବର ୧୦୯ ଓ ୧୧୦ର ପ୍ଲଟ୍ ନମ୍ବର ୨୯୦ ଓ ୨୯୧ର ଯଥାକ୍ରମେ ୧୩ ଡିସିମିଲ ଓ ୪ଡିସିମିଲ ଜମିକୁ ରୂପେଶ କବ୍‌ଜା କରି ରଙ୍ଗଶାଳା ତିଆରି କରିଛନ୍ତି। ୧୩ ଡିସିମିଲ ଜମି ଅନାବାଦୀ ହୋଇଥିବା ବେଳେ ୪ ଡିସିମିଲ ପାହାଡ଼। ୨୦୧୭-୧୮ ମସିହାରେ ‌ରୂପେଶଙ୍କ ନାମରେ ଏକ ଜବରଦଖଲ ମାମଲା ହୋଇଛି। ସେଥିପାଇଁ ରୂପେଶ ଜରିମାନା ମଧ୍ୟ ଦେଇଛନ୍ତି ବୋଲି ତହସିଲଦାର ସରୋଜ ପଣ୍ଡା କହିଛନ୍ତି।

ସରକାରୀ ଜମି ଜବରଦଖଲକାରୀଙ୍କ ଉପରେ ସରକାର କଡ଼ା ପଦକ୍ଷେପ ନେଇ ତୁରନ୍ତ କାର୍ଯ୍ୟାନୁଷ୍ଠାନ ସ୍ବରୂପ ଉଚ୍ଛେଦ କରୁଥିବା‌େବଳେ ଏ କ୍ଷେତ୍ରରେ କି ଆଭିମୁଖ୍ୟ ଗ୍ରହଣ କରୁଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି। ଏହି ବିବାଦୀୟ ତଥା ବେଆଇନ ରଙ୍ଗଶାଳା ପାଇଁ ଆଜି ପୁଲିସ ପ୍ରଶାସନ ଓ ସରକାରଙ୍କୁ ବିରୋଧୀ ଦଳ ଘେରିବା ସହିତ କାଠଗଡ଼ାରେ ଛିଡ଼ା କରାଇଛି। ଯାହାକୁ ନେଇ ଶାସକ ଦଳ ନେତାମାନେ ମୁହଁ ଲୁଚାଉଛନ୍ତି। ଏହି ବିବାଦୀୟ ଅଟାଳିକାକୁ ପ୍ରଶାସନ ଉଚ୍ଛେଦ କରିବ ନା ଅଭିଯୁକ୍ତମାନଙ୍କୁ ସୁଯୋଗ ଦେଇ ଆଇନର ଗଳାବାଟରେ ଖସାଇ ଦେବାକୁ ଉଦ୍ୟମ କରିବ ତା’ ଉପରେ ସମସ୍ତଙ୍କ ନଜର।

ସମ୍ବନ୍ଧିତ ଖବର