କଟକ : ସର୍ବସାଧାରଣ ସ୍ଥାନରେ ବେଆଇନ ଭାବେ ନର୍ମାଣ କରାଯାଇଥିବା ଧର୍ମାନୁଷ୍ଠାନ ଉଚ୍ଛେଦ ପ୍ରସଙ୍ଗରେ ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ରାଜ୍ୟ ସରକାର ହାଇକୋର୍ଟରେ ତଥ୍ୟ ଦାଖଲ କରିଛନ୍ତି। ମୁଖ୍ୟ ଶାସନ ସଚିବଙ୍କ ତରଫରୁ ଏ ନେଇ ଡିସେମ୍ବର ୧୪ରେ ସତ୍ୟପାଠ ଦାଖଲ କରାଯାଇଥିଲା। ନଭେମ୍ବର ଶେଷ ସୁଦ୍ଧା ବେଆଇନ ଭାବେ ନିର୍ମାଣ କରାଯାଇଥିବା ୧୮,୬୨୧ଟି ଧର୍ମାନୁଷ୍ଠାନକୁ ଚିହ୍ନଟ କରାଯାଇଥିବା ବେଳେ ଏଥିମଧ୍ୟରୁ ୨୦୧୨କୁ ଉଚ୍ଛେଦ କରାଯାଇଛି। ୧୦୭୭୮ଟି ଏପରି ଧର୍ମାନୁଷ୍ଠାନକୁ ନିୟମିତ କରାଯାଇଛି। ୫୬୩ଟି ଧର୍ମାନୁଷ୍ଠାନକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ବେଆଇନ ଭାବେ ନିର୍ମାଣ କରାଯାଇଥିବା ୫୨୬୮ଟି ଧର୍ମାନୁଷ୍ଠାନ ପ୍ରସଂଗ ବିଚାରାଧୀନ ରହିଛି ବୋଲି ସତ୍ୟପାଠରେ ଉଲ୍ଲେଖ କରାଯାଇଛି। ମାମଲାର ପରବର୍ତ୍ତୀ ଶୁଣାଣି ୨୦୨୩, ଏପ୍ରିଲ ୫କୁ ଧାର୍ଯ୍ୟ କରାଯାଇଥିବା ବେଳେ ଏହି ପ୍ରସଙ୍ଗରେ ସାନି ସ୍ଥିତି ସଂପର୍କରେ ରିପୋର୍ଟ ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଆଜି ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ. ମୁରଲୀଧର ଓ ଡକ୍ଟର ଜଷ୍ଟିସ ସଂଜୀବ କୁମାର ପାଣିଗ୍ରାହୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

Advertisment

ମାମଲାର ବିବରଣୀରୁ ପ୍ରକାଶ ଯେ ଧର୍ମାନୁଷ୍ଠାନ ଉଚ୍ଛେଦ ସଂପର୍କିତ ‘ୟୁନିୟନ ଅଫ୍ ଇଣ୍ଡିଆ ବନାମ ଷ୍ଟେଟ୍ ଅଫ୍ ଗୁଜରାଟ’ ସହିତ ଅନ୍ୟ ମାମଲାରେ ସୁପ୍ରିମକୋର୍ଟ ୨୦୧୮, ଜାନୁଆରି ୩୧ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ଅନୁସାରେ ହାଇକୋର୍ଟ ନିଜଆଡୁ ଏହି ମାମଲା ରୁଜୁ କରିଥିଲେ।