ବୁଢାବଳଙ୍ଗ ନଦୀରୁ ବେଆଇନ ବାଲି ଉତ୍ତୋଳନ: ଏନ୍‌ଜିଟିଙ୍କ ରିପୋର୍ଟ ତଲବ, କମିଟି ଗଠନ ପାଇଁ ନିର୍ଦ୍ଦେଶ

କଟକ: ମୟୂରଭଞ୍ଜ ଜିଲ୍ଲା ବଡସାହି ତହସିଲ ଅନ୍ତର୍ଗତ ଡିଙ୍ଗିରିଆଠାରେ ବୁଢାବଳଙ୍ଗ ନଦୀ ଶଯ୍ୟାରୁ ବେଆଇନ ବାଲିଚାଲାଣ ଅଭିଯୋଗକୁ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନଜିଟି) ଗୁରୁତ୍ବର ସହିତ ଗ୍ରହଣ କରି ଏକ କମିଟି ଗଠନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ମୟୂରଭଞ୍ଜ ଜିଲ୍ଲାପାଳ ବା ଜିଲ୍ଲାପାଳଙ୍କ ପ୍ରତିନିଧି (ଏସଡିଓ ପାହ୍ୟାର ଅଧିକାରୀ), ଏସଇଆଇଏଏ ଏବଂ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଜଣେ ଲେଖାଏ ବରିଷ୍ଠ ବୈଜ୍ଞାନିକ, ମୟୂରଭଞ୍ଜ ଜିଲ୍ଲା ଖଣି ଅଧିକାରୀଙ୍କୁ ନେଇ ଗଠିତ ହେବାକୁ ଥିବା ଏହି କମିଟି ଘଟଣାସ୍ଥଳ ଅନୁଧ୍ୟାନ କରି ଏକ ମାସ ଭିତରେ ରିପୋର୍ଟ ଦାଖଲ କରିବ। ବେଆଇନ ବାଲି ଉତ୍ତୋଳନ ଓ ନିୟମ ଉଲ୍ଲଂଘନ ନେଇ ଆବେଦନରେ ରହିଥିବା ଅଭିଯୋଗ ପ୍ରସଂଗରେ କମିଟି ଅନୁଧ୍ୟାନ କରି ରିପୋର୍ଟ ଦେବ ବୋଲି ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି।

ଏଥି ସହିତ ଏହି ମାମଲାରେ ରାଜ୍ୟ ସରକାର, ବାଲିଘାଟ ନିଲାମ ନେଇଥିବା ବ୍ୟକ୍ତି ଓ ଅନ୍ୟମାନଙ୍କୁ ଏନଜିଟି ନୋଟିସ୍ ଜାରି କରିଛନ୍ତି। ରାଧାମୋହନ ସିଂଙ୍କ ଆବେଦନର ଶୁଣାଣି କରି ଏନଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଏପ୍ରିଲ ୨୨ରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି।

ମାମଲାର ବିବରଣୀରୁ ପ୍ରକାଶ ଯେ ବୁଢାବଳଙ୍ଗ ନଦୀ ଶଯ୍ୟାର ଡିଙ୍ଗିରିଆ ମୌଜାରେ ବାଲି ଉତ୍ତୋଳନ ପାଇଁ ୨୦୧୭ରେ ଅନୁମତି ଦିଆଯାଇଥିଲା। ୨୦୨୧, ମାର୍ଚ୍ଚ ୩୧ରେ ପରିବେଶ ମଞ୍ଜୁରୀ ଓ ବାଲି ଉତ୍ତୋଳନ ଅନୁମତି ଶେଷ ହେବା ପରେ ମଧ୍ୟ ବେଆଇନ ଭାବେ ବାଲି ଉତ୍ତୋଳନ ଜାରି ରଖାଯାଇଛି ବୋଲି ଦର୍ଶାଇ ଏନଜିଟିରେ ମାମଲା ରୁଜୁ ହୋଇଥିଲା। ଏଥିରେ ଦର୍ଶାଯାଇଥିଲା ଯେ ‌ଲିଜ୍ ଦିଆଯାଇଥିବା ଅଞ୍ଚଳ ବାଦ ଅନ୍ୟ ସ୍ଥାନରୁ ମଧ୍ୟ ବାଲି ଉତ୍ତୋଳନ କରାଯାଉଛି। ଯେତିକି ପରିମାଣର ବାଲି ଉତ୍ତୋଳନ ପାଇଁ ଅନୁମତି ଦିଆଯାଇଥିଲା ତାର ୨୪୦ ଗୁଣ ଅଧିକ ବାଲି ସଂପୃକ୍ତ ସ୍ଥାନରୁ ଉତ୍ତୋଳନ କରାଯାଇଛି। ଫଳରେ ସରକାରଙ୍କ ୪୩.୬୮ କୋଟି ଟଙ୍କା ରାଜସ୍ବ କ୍ଷତି ହୋଇଛି। ମାଇନିଂ ପ୍ଲାନ୍, ପରିବେଶ ମଞ୍ଜୁରୀ ଓ ଲିଜର ବିଭିନ୍ନ ସର୍ତ୍ତ ଉଲ୍ଲଂଘନ କରାଯାଇଛି। ଫଳରେ ପରିବେଶ ଉପରେ ମଧ୍ୟ କୁପ୍ରଭାବ ପଡିଛି ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର