ବାଲି ଚୋରିକୁ ଲଗାମ ନାହିଁ: ରାସ୍ତା ନଥାଇ ବାଲିଘାଟ ଲିଜ୍ ପ୍ରଦାନ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ତହସିଲ ଅଧୀନସ୍ଥ ନୂଆ ଅମଲିପାଲି ବାଲିଘାଟ ନିଲାମଧାରୀ ଅଣ ଲଘୁ ଖଣି ଅଞ୍ଚଳ (ନନ୍ ମାଇନିଂ) ଭାବେ ଚିହ୍ନଟ ଏରିଆରୁ ବେଆଇନ ଭାବେ ବାଲିଚାଲାଣ କରୁଥିବା ଅଭିଯୋଗ ହୋଇଥିଲା। ଏବେ ବାଲିଘାଟ ନିଲାମରେ ଆଉ ଏକ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ଘାଟ ନିଲାମ ଡାକିବା ପୂର୍ବରୁ ଘାଟରସ୍ଥିତି ଓ ପରିବହନ ପାଇଁ ଘାଟ ପର୍ଯ୍ୟନ୍ତ ସରକାରୀ ଜମି ଅଛି କି ନାହିଁ, ତାହା ତହସିଲଦାର ନିଶ୍ଚିତ କରିବା କଥା। କିନ୍ତୁ ରାସ୍ତା ନଥାଇ ତହସିଲଦାର ନୂଆ ଅମଲିପାଲି ଘାଟକୁ ନିଲାମ ଦେଇଛନ୍ତି। ନିଲାମଧାରୀ ଜଣକୁ ରୟତି ଜମି ଓ ମଶାଣିକୁ ବେଆଇନ ଭାବେ ଦଖଲ କରି ବାଲି ପରିବହନ କରୁଥିବା ଅଭିଯୋଗ ହୋଇଛି। ସବୁ ଜାଣି ମଧ୍ୟ ତହସିଲଦାର ଠିକାଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ହାତରେ ହାତ ବାନ୍ଧି ବସି ଯାଇଛନ୍ତି।

ସୂଚନାଯୋଗ୍ୟ, ୨୦୨୦-୨୧ ବର୍ଷରେ ନୂଆ ଅମଲିପାଲି ମୌଜାର ଲଘୁ ଖଣିଜ ଉତ୍ସ ନଦୀ କିସମ ଖାତା ନମ୍ବର ୩୮୧ ପ୍ଲଟ ନଂ- ୪୭୫ର ୭ ଏକର ଓ ୪୭୭/୧୨୧୧ ପ୍ଲଟର ୫ ଏକର ମୋଟ ୧୨ ଏକରରୁ ବାର୍ଷିକ ୧୦ ହଜାର କ୍ୟୁବିକ ମିଟର ବାଲି ଉଠାଇବାକୁ ୨୦୨୦ ସେପ୍ଟେମ୍ବର ୧୪ ତାରିଖରେ ଟେଣ୍ଡର ଆହ୍ବାନ କରାଯାଇଥିଲା। କିନ୍ତୁ ଇବନଦୀ ବନ୍ଧପାଲି ରାସ୍ତାରେ ଥିବା ସେତୁରୁ ମାତ୍ର ୫ ଶହ ମିଟର ମଧ୍ୟରେ ବାଲି ଘାଟଟି ଥିବାରୁ ପରିବେଶ ବିଭାଗ ଆପତ୍ତି ଉଠାଇଥିଲା। ପରବର୍ତ୍ତୀ ସମୟରେ ବାଲିଘାଟକୁ ନିୟମ ଅନୁସାରେ, ୧୨ ଏକରରୁ ୫.୭୪ ଏକରକୁ କମାଇ ଦିଆଯାଇଥିଲା। ଏହା ସହ ବାଲି ପରିମାଣ ବାର୍ଷିକ ୧୦ ହଜାର କ୍ୟୁବିକ ମିଟରରୁ ୪୮୦୦ କ୍ୟୁବିକ ମିଟରକୁ ହ୍ରାସ ପାଇଥିଲା। ଅଣ ଲଘୁ ଖଣି ଭାବେ ୬.୨୬୦ ଏକରକୁ ଚିହ୍ନିତ କରାଗଲା।

ନିୟମ ଅନୁଯାୟୀ ସେତୁରୁ ସ୍ରୋତର ଉପର ମୁଣ୍ଡକୁ ୫ ଶହ ମିଟର ଓ ତଳକୁ ୧ କିଲୋମିଟର ମଧ୍ୟରେ ବାଲି ଉଠାଇବା ଅନୁମତି ଦିଆଯାଇପାରିବ ନାହିଁ। ତେବେ ୫.୭୪ ଏକରର ବାଲିଘାଟକୁ ୨୦୨୧ ସେପ୍ଟେମ୍ବର ୨୮ରେ ପରିବେଶ ମଞ୍ଜୁରି ମିଳିବା ପରେ ଟେଣ୍ଡରପ୍ରାପ୍ତ ଠିକାଦାର ବାଲି ଉଠାଇଲେ। ତେବେ ଏହା ମଧ୍ୟରେ ସେ ଅତି ଚତୁରତାର ସହ ଲିଜ୍ ପାଇଥିବା ବାଲିଘାଟକୁ ଛାଡ଼ି ଅଣ ଲଘୁ ଖଣି ଅଞ୍ଚଳ ଭାବେ ଚିହ୍ନଟ ଏରିଆରୁ ବାଲି ଉଠାଇ ନେଉଛନ୍ତି। ପ୍ରାୟ ୩ ମାସ ହେଲା ସେ ପୋକଲିନ୍ ମେସିନ ଲଗାଇ ଦୈନିକ ଲକ୍ଷାଧିକ ଟଙ୍କାର ବାଲି ଏହି ନିଷିଦ୍ଧ ଅଞ୍ଚଳରୁ ଚାଲାଣ କରୁଥିବା ଅଭିଯୋଗ ହୋଇଛି। ସବୁଠାରୁ ବଡ଼କଥା ହେଲା, ପୋକଲିନରେ ବାଲି ଉଠାଇବା ସମ୍ପୂର୍ଣ୍ଣ ବାରଣ ଥିବା ସତ୍ତ୍ବେ ନିଷିଦ୍ଧ ଅଞ୍ଚଳରୁ ମେସିନ ସାହାଯ୍ୟରେ ବାଲି ଉଠାଉଥିବା ଦେଖି ମଧ୍ୟ ତହସିଲଦାର ନିରବ ରହିବା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଜିଲ୍ଲାପାଳ ତୁରନ୍ତ ନିଲାମରେ ହୋଇଥିବା ଅନିୟମିତତା ଉପରେ କାର୍ଯ୍ୟାନୁଷ୍ଠାନ ଓ ବାଲି ଚୋରାଚାଲାଣ ରୋକିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର