ପରିବେଶ ନିୟମର ଖୋଲା ଉଲ୍ଲଂଘନ
ହାଇକୋର୍ଟ, କଲେକ୍ଟୋରେଟ୍ ସାମ୍ନାରେ ଲୁଟ୍, ତଥାପି ଚୁପ୍
କଟକ : ଅନୁମତି ମିଳିଛି କୁଆଖାଇ ନଈରୁ ବାଲି ଉଠାଣ ପାଇଁ। କିନ୍ତୁ ବାଲି ଉଠୁଛି କାଠଯୋଡ଼ିରୁ। ବାଲି ଘାଟ ଅନୁମତି ଦେଇଛି ବାରଙ୍ଗ ତହସିଲ। କିନ୍ତୁ ବାଲି ଉଠୁଥିବା ସ୍ଥାନ ହେଉଛି କଟକ ସଦର ତହସିଲ ଅଧୀନରେ। ଯେଉଁଠି ହାଇକୋର୍ଟ ରହିଛି, ଯେଉଁଠି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ରହିଛି, ଠିକ ତା’ର ବିପରୀତ ପାର୍ଶ୍ବରୁ ଏଭଳି ବେଆଇନ୍ ବାଲି ଚାଲାଣ ଘଟଣା ଅନେକଙ୍କୁ ଚକିତ କରିଛି। ପ୍ରଶାସନର ଆଖି ସାମ୍ନାରେ ଏଭଳି ଲୁଟ୍ ଚାଲିଥିଲେ ବି କେହି ଜାଣି ପାରୁନାହାନ୍ତି ନା ନ ଜାଣିବାର ଅଭିନୟ କରୁଛନ୍ତି, ତାହାକୁ ନେଇ ଏବେ ସାଧାରଣ ଲୋକ ପ୍ରଶ୍ନ କରୁଛନ୍ତି। ରାଜ୍ୟରେ ବାଲିଘାଟ କେଳେଙ୍କାରୀ ଏବେ ଚରମ ସୀମାରେ ପହଞ୍ଚି ଥିବାବେଳେ ଇଏ ତାହାର ଏକ ଜ୍ବଳନ୍ତ ଉଦାହରଣ ଭାବେ ସାମ୍ନାକୁ ଆସିଛି। ଏଭଳି କାଣ୍ଡ ବିରୋଧରେ ସଦର ତହସିଲଦାରଙ୍କ ପାଖରେ ଲିଖିତ ଅଭିଯୋଗ ହୋଇଥିଲେ ବି ପ୍ରଶାସନ ତତ୍ପର ହେଉନାହିଁ।
ସୂଚନା ଅନୁଯାୟୀ ବାରଙ୍ଗ ତହସିଲ ପକ୍ଷରୁ କୁଆଖାଇର ନରଣପୁର ମୌଜାରେ ବାଲିଘାଟର ଟେଣ୍ଡର ଦିଆଯାଇଛି। କିନ୍ତୁ ତା’ ନିକଟରେ ଥିବା ଚୌଧିବଜାର, ଉତ୍ତମାପୁର ମୌଜା ଅନ୍ତର୍ଗତ କାଠଯୋଡ଼ି ନଈ ଭିତରୁ ବେଧଡ଼କ ବାଲି ଚାଲାଣ ହେଉଛି। ଏଥିପାଇଁ କାଠଯୋଡ଼ିର ଜଳ ପ୍ରବାହକୁ ବି ଅବରୋଧ କରାଯାଉଛି। କାଠଯୋଡି ଭିତରୁ ଯେଉଁ ସ୍ଥାନରୁ ବାଲି ଖନନ ଦିନ ଦ୍ବିପ୍ରହରରେ ଚାଲିଛି, ତାହାହେଉଛି କଟକ ସଦର ତହସିଲ୍ ଅନ୍ତର୍ଗତ ଅଞ୍ଚଳ। କିନ୍ତୁ ସବୁ କିଛି ଖୋଲାଖୋଲି ଚାଲିଥିଲେ ବି ବାରଙ୍ଗ ତହସିଲ ଅଥବା କଟକ ସଦର ତହସିଲ୍ ଏ କ୍ଷେତ୍ରରେ ନିରବ ରହିବା, ଉଦ୍ବେଗର କାରଣ ହୋଇଛି।
ବାଲି ଲୁଟ୍ ପାଇଁ ତହସିଲ ଅଞ୍ଚଳ ଡେଇଁ ଯିବା, ନଈ ପାର ହୋଇଯିବା ଭଳି କେଳେଙ୍କାରୀ ସହ ବାଲିଉଠାଣର ସର୍ବନିମ୍ନ ପରିବେଶ ନିୟମକୁ ଫାଙ୍କି ଦେବା ଭଳି ଘଟଣା ମଧ୍ୟ ଏହି ଅଞ୍ଚଳରେ ସାମ୍ନାକୁ ଆସିଛି। ନିୟମ ଅନୁଯାୟୀ କୌଣସି ସେତୁର ୫ଶହ ମିଟର ଦୂରତ୍ବ ଭିତରେ ନଈରୁ ବାଲି ଉଠାଇବା ବେଆଇନ୍। କିନ୍ତୁ କାଠଯୋଡି ଉପରେ ନିର୍ମିତ ନେତାଜୀ ସେତୁର ୫ଶହ ମିଟର ଭିତରେ ମନଇଚ୍ଛା ବାଲି ଉଠାଣ ଚାଲିଛି। ସେହିଭଳି ନଈ ଭିତରେ ଯେଉଁଠି ବିଦ୍ୟୁତ ଟାୱାର ଥିବ, ତାହାର ଅଢେଇ ଶହ ମିଟର ପରିଧିରୁ ବାଲି ଉଠାଣ ନିଷେଧ। ତାହା ବିପଦକୁ ଆମନ୍ତ୍ରଣ କରିବାର ଆଶଙ୍କା ରହିଛି। କିନ୍ତୁ କାଠଯୋଡ଼ି ଭିତରେ ଏସବୁ ନିୟମର ଖୋଲା ଉଲ୍ଲଂଘନ କରି ଏଭଳି ବେଆଇନ ବାଲି ଉତ୍ତୋଳନ ଚାଲି ଥିଲେ ବି ପ୍ରଶାସନ ଆଖିବୁଜି ବସିଛି। ଅଭିଯୋଗ ମିଳିଲା ପରେ ବି ଯାଞ୍ଚ କରାଯିବ ବୋଲି କହି ପ୍ରଶାସନ କାହା ଚାପରେ ହାତବାନ୍ଧି ବସି ଯାଉଛି, ତାହାକୁ ନେଇ ବି ପ୍ରଶ୍ନ ଉଠୁଛି। ଲଘୁ ଖଣିଜ ଦ୍ରବ୍ୟ ବର୍ଗରେ ଯାଉଥିବା ବାଲି ଧୀରେଧୀରେ ଅମୂଲ ମୂଲ ହେବାକୁ ବସି ଥିବା ବେଳେ ବାଲି ମାଫିଆ- ପ୍ରଶାସନ ସଲାସୁତୁରାରେ ପରିବେଶ ପ୍ରଭାବିତ ହେବା ସହିତ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ବାଟ କଢାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/sand-4bk.jpg)