ବାଲିଖାଦାନ ଲିଜ୍‌ଧାରୀଙ୍କୁ ବେଆଇନ ଭାବେ ଭେଟିଦେଲେ ଲକ୍ଷ ଲକ୍ଷ ଟଙ୍କାର ସରକାରୀ ରାଜସ୍ୱ

ରେଜିଷ୍ଟ୍ରି କଲେନି ଟିପିରେ କାମ ଚଳେଇ ଦେଲେ, ଟ୍ରାନ୍‌ଜିଟ୍ ପାସ୍ ବ୍ୟବସ୍ଥାକୁ ଭୁଲିଗଲେ
ସରକାରୀ ନିୟମକୁ ବାୟଁ ବାୟଁ ଉଡ଼େଇଦେଲେ ସରକାରୀ ଅଧିକାରୀ

ବାରିପଦା : ବାଲିଖାଦାନ ନିମନ୍ତେ ନିଲାମ ହେଲା। ଆବଶ୍ୟକୀୟ ଅନୁମତି ପରେ ରେଜିଷ୍ଟ୍ରି ହେବା କଥା। ମାତ୍ର ନିୟକକାନୁନ୍‌କୁ ଜଳାଞ୍ଜଳି ଦେଇ ଏହା କରାଗଲାନି। ଟେମ୍ପରାରୀ ପରମିଟ୍‌ରେ କାମ ଚଳେଇଦେଲେ ତହସିଲଦାର। ଫଳରେ ରାଜ୍ୟ ସରକାର ହରେଇଲେ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ। ସେହିପରି ଗୋଟିଏ ବର୍ଷରେ ଜମା କରିବାକୁ ଥିବା ଟ୍ରାନ୍‌ଜିଟ୍ ପାସ୍ ଜମା କରାଗଲା ପର ବର୍ଷରେ। ଯାହାକି ସରକାରୀ ନିୟମର ସମ୍ପୂର୍ଣ୍ଣ ବିରୋଧାଚରଣ। ନିୟମକୁ ବିରୋଧାଚରଣ କରାଯାଇଥିଲେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବା ବଦଳରେ ବାଲି ଲିଜ୍‌ଧାରୀଙ୍କୁ ଦିଆଯାଇଛି ବାଲି ଉଠାଇବା ନିମନ୍ତେ ଅତିରିକ୍ତ ସମୟ।

NewsBits.in

ଜିଲ୍ଲାର ସାରସକଣା ତହସିଲ୍ ଅନ୍ତର୍ଗତ ସୁବର୍ଣ୍ଣରେଖା ନଦୀ ଶଯ୍ୟାର ଯମୁନାପାଳ ଓ କୁମ୍ଭୀରମୁଣ୍ଡି ବାଲି ଘାଟକୁ ୨୦୧୫-୧୬ ଆର୍ଥିକ ବର୍ଷରେ ୫ ବର୍ଷ ପର୍ଯ୍ୟନ୍ତ ଲିଜ ପ୍ରଦାନ ନିମନ୍ତେ ନିଲାମ ଡକାଯାଇଥିଲା। ବିକାଶ ଅଗ୍ରୱାଲା ସର୍ବାଧିକ ନିଲାମ ଡାକିଥିବାରୁ ତାଙ୍କୁ ଏହି ବାଲିଘାଟରୁ ବାଲି ଉତ୍ତୋଳନ ନିମନ୍ତେ ୫ ବର୍ଷିଆ ଲିଜ ଦିଆଯାଇଥିଲା। ୧୬ଏକର ୧୦ ଡେସିମିଲ୍ ପରିମିତ ଏହି ବାଲି ଖାଦାନ୍‌ରୁ କିନ୍ତୁ ରାଜ୍ୟ ସରକାର ପାଇଛନ୍ତି କମ୍। ଲିଜ୍‌ଧାରୀ ଓ କିଛି ଅସାଧୁ ଅଧିକାରୀ ପାଇଛନ୍ତି ଅଧିକ। ତହସିଲଦାରଙ୍କ ଗୋଚରରେ ଚାଲିଥିବା ଏହି କାର୍ଯ୍ୟ ସମ୍ପର୍କରେ ସୂଚନା ଅଧିକାର ଆଇନ ବଳରେ ସୂଚନା ମଗାଯାଇଥିଲା। ଏପରିକି ଆଶ୍ଚର୍ଯ୍ୟଜନକ ଭାବେ ଏହି ଘଟଣାରେ ୮ହଜାର କାଗଜ ଦିଆଯିବାକୁ ପଡ଼ିବ। ତେଣୁ ୧୬ହଜାର ଟଙ୍କା ଜମା କରିବାକୁ ପଡ଼ିବ ବୋଲି ତହସିଲଦାରଙ୍କ ପକ୍ଷରୁ କୁହାଯାଇଥିଲା। ଏହି ରାଶି ଜମା କରାଯାଇଥିଲେ ମଧ୍ୟ ପ୍ରଥମ ଅପିଲ୍ ସମୟ ଗଡ଼ିଯାଇଥିଲେ ସୁଦ୍ଧା ଏଯାବତ୍ ସୂଚନା ପ୍ରଦାନ କରାଯାଇପାରିନାହିଁ। ଯାହାକି ଘଟଣାକୁ ଆହୁରି ଗୋଳିଆ କରୁଛି। ସରକାରଙ୍କ ନିୟମ ଅନୁସାରେ ଲିଜ୍‌ଧାରୀଙ୍କୁ ପ୍ରଦୂଷଣ ଓ ମାଇନିଂ ପ୍ଲାନ୍ ମିଳିବାର ସମୟସୀମାଠାରୁ ୫ ବର୍ଷ ପର୍ଯ୍ୟନ୍ତ ବାଲି ଉତ୍ତୋଳନ ନିମନ୍ତେ ଲିଜ ମିଳିବାର ବ୍ୟବସ୍ଥା ରହିଛି। ସେହି ଅନୁସାରେ ସ୍ଥାନୀୟ ତହସିଲଦାର ଓ ନିଲାମଧାରୀଙ୍କ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷର ବିଭିନ୍ନ ଅନୁମତି ମିଳିବାର ଅଳ୍ପ କିଛିଦିନ ମଧ୍ୟରେ ହେବା କଥା। ମାତ୍ର ୨୦୧୫-୧୬ରେ ଡକାଯାଇଥିବାବେଳେ ଚୁକ୍ତି କିନ୍ତୁ ପରବର୍ଷ ୨୦୧୬ ମେ ୩୧ରେ ହୋଇଥିଲା। ମାତ୍ର ଏହି ଗୋଟିଏ ବର୍ଷ ଟେମ୍ପରାରୀ ପରମିଟ୍ ଜରିଆରେ ଚାଲିଥିଲା ଏହି ବାଲି ଖାଦାନ୍‌ରୁ ବାଲି ଉଠାଣ। ଯାହାକି ରାଜ୍ୟ ସରକାରଙ୍କୁ ପ୍ରାୟ ୧୦ଲକ୍ଷ ଟଙ୍କାରୁ ଊର୍ଧ୍ବ ରାଜସ୍ବ ହାନୀ କରିଛିବୋଲି ବାରିପଦା ପୌରପରିଷଦର ୱାର୍ଡ ନଂ-୮ ସହରସାହି ଅଧିବାସୀ ଅରବିନ୍ଦ ଦାସ ଅଭିଯୋଗ କରିଛନ୍ତି । ବାଲି ଖାଦାନ ଲିଜ୍ଧାରୀ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଅସାଧୁ ମେଣ୍ଟ ଫଳରେ ଏପରି ବେଆଇନ କାମ ହୋଇଥିବା ଅଭିଯୋଗ ହୋଇଛି।

simc-wire.com

ଯମୁନାପାଳ ଓ କୁମ୍ଭୀରମୁଣ୍ଡି ବାଲି ଘାଟ କ୍ଷେତ୍ରରେ ସାରସକଣା ତହସିଲଦାର ଲିଜ୍‌ଧାରୀ ବିକାଶ ଅଗ୍ରୱାଲାଙ୍କୁ ଆଇନର ଲକ୍ଷ୍ମଣରେଖା ବାହାରକୁ ଯାଇ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଥିବାର ମଧ୍ୟ ଅଭିଯୋଗ ଆଣିଛନ୍ତି ଶ୍ରୀ ଦାସ। ଏସମ୍ପର୍କରେ ସେ ଜିଲ୍ଲାପାଳଙ୍କ ନିକଟରେ ଅଭିଯୋଗ ମଧ୍ୟ କରିଛନ୍ତି। ୨୦୧୫ରେ ନିଲାମ୍ ଧରିଥିବା ସେହି ଲିଜ୍‌ଧାରୀଙ୍କୁ ହିଁ ବାଲି ଉତ୍ତୋଳନ ନିମନ୍ତେ ଟ୍ରାଞ୍ଜିଟ୍ ପାସ୍ ଇସ୍ୟୁ କରାଯାଇଥିଲା। ଉକ୍ତ ଟ୍ରାଞ୍ଜିଟ୍ ପାସ୍ ବହିର ମଧ୍ୟ ଅପବ୍ୟବହାର ହୋଇଛି। ବାଲିଘାଟ ଲିଜ୍‌ର ଅବଧି ୨୦୨୦ ମାର୍ଚ୍ଚ ୩୧ରେ ଶେଷ ହେବାର ଥିଲା। ୨୦୨୦ ଆର୍ଥିକ ବର୍ଷ ପାଇଁ ଲିଜ୍‌ଧାରୀ ୨୦୧୯ ମାର୍ଚ୍ଚ ମାସରେ ଆବଶ୍ୟକୀୟ ଦେୟ ପୈଠ କରିବାର ଥିଲା। ମାତ୍ର ଏହି ଅର୍ଥ ଜମା ବିଳମ୍ବ କରାଯାଇ ୨୦୨୦ ମାର୍ଚ୍ଚ ୨୦ରେ ଜମା କରିଛନ୍ତି ଲିଜ୍‌ଧାରୀ, ଯାହାକି ସମ୍ପୂର୍ଣ୍ଣ ବେଆଇନ ବୋଲି ଅଭିଯୋଗ ହୋଇଛି। ସେହିପରି ଲିଜ୍‌ଧାରୀ ଏ ବାବଦରେ ୬ଲକ୍ଷ ୭୪ ହଜାର ୧୪୩ ଟଙ୍କା ଜମା ଦେଇଥିବା ବେଳେ ତୃତୀୟ ପକ୍ଷ ପକ୍ଷରୁ ୭ ଲକ୍ଷ ଟଙ୍କାର ଏକ ଡିଡି ଦାଖଲ କରାଯାଇଥିଲା । ତୃତୀୟ ପକ୍ଷର ଏପରି ଡିଡି କିମ୍ବା ଟ୍ରେଜେରୀ ଚାଲାଣ ଜମା କରିବା ଆଇନର ବିରୋଧାଚରଣ। ସେହିପରି କରୋନାକୁ ନେଇ ମାର୍ଚ୍ଚ ୨୪ରେ ଲକଡାଉନ ଘୋଷଣା ହୋଇଥିବା ବେଳେ ବାଲିଘାଟର ଲିଜ୍‌ର ଅବଧି ମାର୍ଚ୍ଚ ୩୧ରେ ୫ ବର୍ଷ ପୂରଣ ହେବାର ଥିଲା। ଲକଡାଉନ ମାର୍ଚ୍ଚ ୨୪ରେ ଜାରି ହେଲା । ଫଳରେ ୭ ଦିନ ଲିଜ୍ ଅବଧି ବାକି ରହିଯାଇଥିଲା । ଏହି ସମୟରେ ଲିଜ୍‌ଧାରୀଙ୍କୁ ଆହୁର ଏକବର୍ଷ ନିମନ୍ତେ ବାଲି ଉଠାଣ ଅନୁମତି ଦେବା ଆଇନର ବିରୋଧାଭାଷ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି। ଲିଜ୍‌ଧାରୀ ବାଲିଖାଦାନକୁ ନେଇ ରହିଥିବା ମାଇନିଂ ନିୟମକୁ ଖୋଲାଖୋଲି ବିରୋଧ କରିଥିବାରୁ ଲିଜ୍‌କୁ ବାତିଲ କରାଯିବା ବଦଳରେ ସାରସକଣା ତହସିଲଦାର କେଉଁ କାରଣରୁ ଲିଜଧାରୀଙ୍କୁ ଅହେତୁକ ଅନୁକମ୍ପା ପ୍ରଦର୍ଶନ କରିଆସୁଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

ଏନେଇ ଅଭିଯୋଗକାରୀ ଶ୍ରୀ ଦାସଙ୍କ ସମେତ ଜୟନ୍ତ ନାୟକ, ଉତ୍ତମ କୁମାର ଦଣ୍ଡପାଟ, ସ୍ୱାଗତ ପଟ୍ଟନାୟକ ପ୍ରମୁଖ ଅଭିଯୋଗ କରିଛନ୍ତି। ଏହାସହିତ ଏହି ବାଲିଘାଟରେ ରାତିରେ ବେଆଇନ୍ ବାଲି ଚାଲଣ ଭଳି ବିଭିନ୍ନ ଅଭିଯୋଗ ହୋଇଆସୁଛି। ସ୍ଥାନୀୟ ଗ୍ରାମବାସୀ ଏହାକୁ ବିରୋଧ କରୁଥିବାର ଯଥେଷ୍ଟ ନଜିର ରହିଛି। ମାତ୍ର ପ୍ରଶାସନ ଏନେଇ ନୀରବଦ୍ରଷ୍ଟା ସାଜିଛି। ଏ ବିଷୟରେ ସାରସକଣା ତହସିଲଦାର ସତ୍ୟବାନ ନାୟକ କହିଛନ୍ତି ଯେ ଯାହା ହେଇଛି ଆଇନ ଅନୁସାରେ ହୋଇଛି। ଉଚ୍ଚଅଧିକାରୀଙ୍କୁ ଏସମ୍ପର୍କରେ ଜଣାଇଦିଆଯାଇଥିବା ସେ କହିଛନ୍ତି। ସେହିପରି ବାରିପଦା ଉପଜିଲ୍ଲାପାଳ ବସନ୍ତ ସେଠୀ ଏସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ ଯମୁନାପାଳ ଏବଂ କୁମ୍ଭୀରମୁଣ୍ଡିରେ ବାଲି ଲିଜ୍ ଏବଂ ବାଲି ଉଠାଣ ଆଦିକୁ ନେଇ ଅଭିଯୋଗ ଆସିବା ପରେ ସାରସକଣା ତହସିଲଦାରଙ୍କୁ ରିପୋର୍ଟ ମଗାଯାଇଛି। ଏନେଇ ରିପୋର୍ଟ ଆସିଲେ ଅଧିକ ତଦନ୍ତ ହେବ ବୋଲି ଶ୍ରୀ ସେଠୀ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର