ଖୋର୍ଦ୍ଧା : ଖୋର୍ଦ୍ଧା ଜିଲ୍ଲାରେ କେଉଁଝର କିମ୍ବା ମୟୂରଭଞ୍ଜ ଭଳି ଖଣିଜ ସମ୍ପଦ ନାହିଁ। ଯାହା କିଛି ରହିଛି ନଦୀ ବାଲି, ମାଙ୍କଡ଼ାପଥର, ଖଣ୍ଡୋଲାଇଟ୍ ଭଳି କିଛି ଲଘୁ ଖଣିଜ ସଂପଦ। ନିୟମିତ ବ୍ୟବଧାନରେ ଲଘୁ ଖଣିଜ ସଂପଦର ଲିଜ୍ ପ୍ରଦାନ କରାଯାଉଛି, କିନ୍ତୁ ଆଇନଗତ ଭାବେ ଯେତିକି ଖଣିଜ ରାଜସ୍ୱ ଜିଲ୍ଲା ପ୍ରଶାସନ ଆଦାୟ କରୁଛି, ତା’ ଠାରୁ ଢେର ଅଧିକ ସଂଖ୍ୟାରେ ବେଆଇନ ଖଣି ଦ୍ବାରା ରାଜସ୍ୱ ହରାଉଛି। ୨୦୧୯ ନିଷ୍ପତ୍ତି ଅନୁସାରେ ଜିଲ୍ଲାରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟ ଚୋରା ଚାଲାଣ ରୋକିବାକୁ ଏ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଟାସ୍କ ଫୋର୍ସ ଗଠିତ ହୋଇନାହିଁ।
ମିଳିଥିବା ସୂଚନାନୁସାରେ, ଜିଲ୍ଲାରେ ଲିଜ୍ ଦିଆଯାଇଥିବା ୧୦ଟି ବାଲିଘାଟ ବ୍ୟତୀତ ବେଆଇନ ଭାବେ ୪୦ଟି ବାଲିଘାଟ ଚାଲିଛି। କେବଳ ଏତିକି ନୁହେଁ ମଲାଗୁଣି, କୁସୁମିଧାର, ଭାର୍ଗବୀ ନଦୀରେ ସର୍ବାଧିକ ବେଆଇନ ବାଲିଘାଟ ରହିଥିବା ବେଳେ ପ୍ରଶାସନ ପକ୍ଷରୁ ଏମାନଙ୍କ ଉପରେ ଜାଣିଶୁଣି ପଦକ୍ଷେପ ନିଆଯାଉ ନାହିଁ। ୨୦୧୯ରେ ରାଜସ୍ୱ ବିଭାଗର ନିଷ୍ପତ୍ତି ଅନୁସାରେ ଖୋର୍ଦ୍ଧା, ଟାଙ୍ଗୀ ସମେତ ରାଜ୍ୟର ୧୧ଟି ତହସିଲରେ ଲଘୁ ଖଣିଜ ଦ୍ରବ୍ୟର ଚୋରା କାରବାର ରୋକିବାକୁ ସ୍ୱତନ୍ତ୍ର ଟାସ୍କଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ହୋଇଥିଲା। ଏହି ଟାସ୍କ ଫୋର୍ସ ଏ ପର୍ଯ୍ୟନ୍ତ ଜିଲ୍ଲାରେ କାମ କରୁନାହିଁ। ପୁଲିସ୍ ଓ ରାଜସ୍ୱ ବିଭାଗ କେବଳ ବେଆଇନ ଗାଡ଼ିଗୁଡ଼ିକ ଜବତ କରି ଜରିମାନା ଆଦାୟ କରି ଛାଡ଼ିଦେଉଥିବା ଲକ୍ଷ୍ୟ କରାଯାଉଛି।
୨୦୧୫ ମସିହାରେ ଜିଲ୍ଲାର ବାଲିଅନ୍ତା ଓ ଭୁବନେଶ୍ବରର କୁଶଭଦ୍ରା, କୁଆଖାଇ, ଭାର୍ଗବୀ ନଦୀର ୧୦ଟି ସ୍ଥାନକୁ ବାଲି ଖନନ ପାଇଁ ୫ ବର୍ଷିଆ ଲିଜ୍ ଅନୁମତି ଦିଆଯାଇଛି। ଏହି ସମସ୍ତ ବାଲିଘାଟର ଲିଜ୍ ଅବଧି ଆଉ କିଛି ମାସ ପରେ ଶେଷ ହେବ। ୨୦୧୮–୧୯ରେ ଜିଲ୍ଲାର ରାଜସ୍ବ ବଢ଼ାଇବା ପାଇଁ ପ୍ରଶାସନ ଅତିରିକ୍ତ ୯ଟି ବାଲିଘାଟ ଲିଜ୍ ସୂତ୍ରରେ ଦେବା ପାଇଁ ନିଷ୍ପତ୍ତି ନେଇଥିଲା। ଏହି ନିଷ୍ପତ୍ତି ଅନୁସାରେ ୨୪ ଫେବ୍ରୁଆରିରେ ଖୋର୍ଦ୍ଧା ଜିଲ୍ଲାର କଲ୍ୟାଣପୁର ବାଲିଘାଟ ‘କ’ ଓ ‘ଖ’ର ୫ ବର୍ଷିଆ ଲିଜ୍ ପ୍ରଦାନ କରିବାକୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଲିଜ୍ଧାରୀ ନ ମିଳିବାରୁ ଲିଜ୍ ଆହ୍ବାନର ଶେଷ ତାରିଖକୁ ଚଳିତ ମାସ ୬ ତାରିଖକୁ ଘଞ୍ଚାଇ ଦିଆଯାଇଛି। ୭ ତାରିଖରେ ଲିଜ୍ ଆବେଦନ ଉପରେ ଯଦି ବିଚାର ନ ହୁଏ ତେବେ ୧୧ ତାରିଖରେ ନିଲାମ ହେବ। ଜିଲ୍ଲାର ୭ଟି ନଦୀ ଯଥା କୁଶଭଦ୍ରା, ଭାର୍ଗବୀ, କୁଆଖାଇ, ଦୟା, ମଲାଗୁଣି, ହଡ଼ା, କୁସୁମିଧାର ମଧ୍ୟରୁ କୁଶଭଦ୍ରା, କୁଆଖାଇ ଓ ଭାର୍ଗବୀରେ ବାଲିଘାଟ ଚାଲୁଛି ଏବଂ ସମସ୍ତ ବାଲିଘାଟ ଭୁବନେଶ୍ବର ଓ ବାଲିଅନ୍ତା ବ୍ଲକ୍ରେ ରହିଛି। ଯଦିଓ ସରକାରୀ ନଥିପତ୍ରରେ ଦୟା, ମଲାଗୁଣି, ହଡ଼ା ଓ କୁସୁମିଧାରରେ ବାଲିଘାଟ ନଥିବା ଦର୍ଶାଯାଇଛି। କିନ୍ତୁ ମିଳିଥିବା ସୂତ୍ରରୁ ଜଣାଯାଇଛି ଯେ ୧୦ଟି ପୁରାତନ ଓ ୯ଟି ନୂତନ ବାଲିଘାଟ ବ୍ୟତୀତ ଅନେକ ସ୍ଥାନରେ ୪୦ରୁ ଅଧିକ ବେଆଇନ ବାଲିଘାଟ ଚାଲିଛି। ଯଦି ସରକାରୀ ରାଜସ୍ବ ଓ ଉତ୍ତୋଳନକୁ ହିସାବକୁ ନେଇ ଆକଳନ କରାଯାଏ ତେବେ ବର୍ଷକୁ ଜିଲ୍ଲା ପ୍ରଶାସନ ପ୍ରାୟ ୩ରୁ ୪ କୋଟି ଟଙ୍କାର ରାଜସ୍ୱ ହରାଉଛି ବୋଲି ରାଜସ୍ୱ ବିଭାଗର ଜଣେ ପଦସ୍ଥ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି। ୨୦୧୬–୧୭ରେ ବାଲିଅନ୍ତାରେ ଦିଆଯାଇଥିବା ବାଲିଘାଟରୁ ୧୮ଲକ୍ଷ ୯୯ହଜାର ୩୩୦ଟଙ୍କା ରାଜସ୍ୱ ମିଳିଥିବା ବେଳେ ଭୁବନେଶ୍ବରରୁ ୧କୋଟି ୯୫ଲକ୍ଷ ୬୪ହଜାର ଟଙ୍କା, ୨୦୧୭–୧୮ରେ ବାଲିଅନ୍ତାରୁ ୧୯ଲକ୍ଷ ୨୨ହଜାର ଓ ଭୁବନେଶ୍ବରରୁ ୧କୋଟି ୧୬ଲକ୍ଷ, ୨୦୧୮–୧୯ରେ ବାଲିଅନ୍ତାରୁ ୬୬ଲକ୍ଷ ୭୫ହଜାର ଓ ଭୁବନେଶ୍ବରରୁ ୨କୋଟି ୬୩ଲକ୍ଷ ୫୪ହଜାର ଟଙ୍କା ରାଜସ୍ୱ ଆଦାୟ ହୋଇଥିଲା। ସବୁଠାରୁ ଗୁରୁତ୍ବପୂର୍ଣ୍ଣ, ଯଦିଓ ପ୍ରତିବର୍ଷ ବାଲିଘାଟରୁ ବାଲି ଉତ୍ତୋଳନ ବୃଦ୍ଧି ପାଉଥିଲେ ମଧ୍ୟ ସେହି ଅନୁପାତରେ ରାଜସ୍ବ ଆଦାୟ ହେଉନାହିଁ। ୨୦୧୬–୧୭ରେ ୨ଲକ୍ଷ ୫୫ହଜାର ଘନ ମିଟର ବାଲି, ୨୦୧୭–୧୮ରେ ୨ଲକ୍ଷ ୫୫ହଜାର ଘନମିଟର ବାଲି ଏବଂ ୨୦୧୯–୨୦ରେ ୪ଲକ୍ଷ ୪୨ହଜାର ଘନ ମିଟର ବାଲି ଉତ୍ତୋଳିତ ହୋଇଥିବା ଜଣାଯାଇଛି।