ବାଲିଘାଟରେ ନିୟମକୁ ଚୋଟ : ବିନା ଇସି, ଲିଜ୍‌ରେ ଚାଲିଛି ଅର୍ଦ୍ଧାଧିକ ଘାଟ

ସମସ୍ତଙ୍କ ଆଖି ଆଗରେ ଆଖିବୁଜା ରାଜସ୍ବ ଲୁଟ୍‌, ୫ ତହସିଲରେ ରହିଛି ୪୪ ବାଲିଘାଟ

ରାଉରକେଲା : ବାଲିଘାଟରେ ଚାଲିଛି ମାଫିଆଙ୍କ ରାଜୁତି। ଗୋଟିଏ କି ଦୁଇଟି ନୁହେଁ ପ୍ରାୟ ୨୦ରୁ ଅଧିକ ବାଲିଘାଟରେ। ମାସେ କି ଦୁଇ ମାସ ନୁହେଁ ବର୍ଷ ବର୍ଷ ଧରି ଏଭଳି ବେଆଇନ କାମ। କେଉଁ ଘାଟ ନିଲାମ ହୋଇ ନାହିଁ ତ ପୁଣି କାହାର ପରିବେଶ ମଞ୍ଜୁରି (ଇସି) ନାହିଁ। ଅନେକ ଘାଟ ବିନା ଲିଜ୍‌ରେ ଚାଲିଛି। ‌ଏସବୁ ଘାଟରୁ ଶତାଧିକ ଟ୍ରିପ୍‌ ବାଲି ଉଠୁଛି। ତାହା ପୁଣି ସ୍ଥାନୀୟ ତହସିଲ ଅଫିସର ଅଧିକାରୀଙ୍କ ଜାଣତରେ। ବାଲିଘାଟ ନିଲାମ ପୂର୍ବରୁ ରହିଥିବା ସମସ୍ତ ନୀତିନିୟମକୁ ଏମାନେ ଯେମିତି ଫୁଃ କରି ଦେଇଛନ୍ତି । ଏମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି ସ୍ଥାନୀୟ ତହସିଲ ଅଫିସର କିଛି କରିତକର୍ମା ଅଧିକାରୀ। ଏମାନଙ୍କ ବଳରେ ବଳିୟାନ ମାଫିଆମାନେ ଆଖିବୁଝା ରାଜସ୍ବ ଲୁଟ୍‌ କରୁଛନ୍ତି। ବିଭାଗ କୋଟି କୋଟି ଟଙ୍କାର ରାଜସ୍ବ ହରାଉଛି। କିନ୍ତୁ ଫରକ୍‌ ପଡୁନି ବିଭାଗର ବଡ ବଡିଆ ବାବୁଙ୍କୁ। ଏଭଳି ସାଂଘାତିକ ସ୍ଥିତି ଉପୁଜିଛି ସୁନ୍ଦରଗଡ ଜିଲ୍ଲାର ପ୍ରାୟ ଅଧିକାଂଶ ତହସିଲ ଅଧୀନରେ ଥିବା ବାଲିଘାଟରେ।

ହାଣ୍ଡିରୁ ଗୋଟିଏ ଭାତ ଚିପିଲା ପରି ରାଉରକେଲା, ବିଶ୍ରା, କୁଆରମୁଣ୍ଡା, ଲାଠିକଟା, ବିରମିତ୍ରପୁର ତହସିଲକୁ ଉଦାହରଣ ଭାବେ ନିଆଯାଇ ପାରେ। ୫ଟି ତହସିଲ ଅଧୀନରେ ମୋଟ ୪୪ଟି ବାଲିଘାଟ ରହିଛି। ରାଉରକେଲାରେ ୭ଟି, ବିଶ୍ରାରେ ୭ଟି, କୁଆରମୁଣ୍ଡାରେ ୧୩ଟି, ଲାଠିକଟାରେ ୮ଟି, ବୀରମିତ୍ରପୁରରେ ୯ଟି ବାଲି ଘାଟ ରହିଛି। ରାଉରକେଲା ତହସିଲ ଅଧୀନରେ ବ୍ରାହ୍ମଣୀ ନଦୀର ତରକେରା-୧, ତରକେରା -୨, ତରକେରା-୩, କୋଏଲନଦୀର ତୁମକେଲା, ପ୍ରଧାନପାଲୀ, ଲୁଆକେରା, କୋଏଲନଗର। ତୁମକେଲା, ପ୍ରଧାନପାଲୀ ବାଲିଘାଟର ନିଲାମ ହୋଇଛି। ଦୁଇଟି ଘାଟକୁ ଇସି ଏଯାଏ ମିଳି ନାହିଁ। କିନ୍ତୁ ବେଧଡକ ହେଉଛି ବାଲି ଉଠାଣ। ଏମାନଙ୍କୁ ନା ତହସିଲ ବାରଣ କରୁଛି ନାଁ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ। ସମସ୍ତେ ଜାଣିଶୁଣି ଚୁପ୍‌ ରହୁଛନ୍ତି। ବିଶ୍ରା ତହସିଲ ଅଧୀନରେ ଜାମେସରା-୧, ଜାମସେରା-୨, ଡୁଡୁସୁ, କୁଣ୍ଡାପୋଷ, ଜବାଘାଟ, ବଡବମ୍ବୁଆ, ମଶୁରିକୁଦର ବାଲି ଘାଟ ଅଛି। ଏଥିରୁ କେବଳ ଜାମସେରା ବାଲିଘାଟ ଚାଲିଛି। ଦୁଇଟି ନିଲାମ ହୋଇଛି। କିନ୍ତୁ ଠିକାସଂସ୍ଥା ସହ ଏଗ୍ରିମେଣ୍ଟ ହୋଇ ନାହିଁ। ଜବାଘାଟ, ମଶୁରୀକୁଦର, ବଡବମ୍ବୁଆ ଘାଟର ନିଲାମ ପାଇଁ ପ୍ରକ୍ରିୟା ଚାଲିଛି।

ବିଡମ୍ବନା, ଯେଉଁ ୬ ଘାଟକୁ ବାଲି ଉତ୍ତୋଳନ କରିବାକୁ ଏଯାଏଁ ଅନୁମତି ମିଳିନି ସେଠି ଖୋଲାଖୋଲି ଭାବେ ଦୈନିକ ଶହ ଶହ ଟ୍ରିପ୍‌ ବାଲି ଉତ୍ତୋଳନ କରି ବାହାରକୁ ଚାଲାଣ କରାଯାଉଛି। କୁଆରମୁଣ୍ଡା ତହସିଲରେ ମଧ୍ୟ ଅନୁରୂପ ସ୍ଥିତି। ୧୩ଟି ବାଲିଘାଟରୁ ବିଜୁବନ୍ଧ, ପସରା, ଜମୁନାକି -୧, କୁଦାବେଡାକୁ ଅନୁମତି ମିଳିଛି। ଅନ୍ୟ ୯ ବାଲିଘାଟ ଏଯାଏଁ ନିଲାମ ହୋଇ ନାହିଁ। କିନ୍ତୁ ମାଫିଆମାନେ ମନଇଚ୍ଛା ବାଲି ଉଠାଉଛନ୍ତି। ବୀରମିତ୍ରପୁର ତହସିଲ ଅଧୀନରେ ୯ଟି ବାଲିଘାଟରୁ ତେତରକେଲା, ଗୋପୁର, ଲା‌ଙ୍କୋଇ, ଜାହାରିଟୋଲି ନିଲାମ ହୋଇ ଠିକାସଂସ୍ଥାକୁ ୫ ବର୍ଷ ପାଇଁ ଲିଜ୍‌ ସୂତ୍ରରେ ଦିଆଯାଇଛି। ଅନ୍ୟ ୫ଟି ଅବଧି ଶେଷ ହୋଇଛି। ନବୀକରଣ ହୋଇ ନାହିଁ। ଯେବେଠୁ ଲିଜ୍‌ ଅବଧି ଶେଷ ହୋଇଛି, ସେବେଠୁ ବେଆଇନ ଭାବେ ବାଲି ଉତ୍ତୋଳନ ଚାଲିଛି। ଜିଲ୍ଲାର ଅନ୍ୟ ବ୍ଲକରେ ଥିବା କିଛି ବାଲିଘାଟ ବିନା ଲିଜ୍‌, ଇସିରେ ଚାଲିଛି। ମାଲେମାଲ୍‌ ହେଉଛନ୍ତି ତହସିଲ କାର୍ଯ୍ୟାଳୟର ଅଧିକାରୀ ଓ ମାଫିଆ। ତେଣୁ ସମସ୍ତେ କାର୍ଯ୍ୟାନୁଷ୍ଠାନ ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଉଲ୍ଲେଖନୀୟ କଥା ହେଉଛି, ବାଲିଘାଟଗୁଡ଼ିକରୁ ବେଆଇନ ବାଲି ଉଠାଣ ହେଉଛି ବୋଲି ଦାୟିତ୍ବରେ ଥିବା ସବୁ ସରକାରୀ ଅଧିକାରୀ ଜାଣିଛନ୍ତି। କିନ୍ତୁ ସେସବୁ ବିନା ବାଧାରେ ମାସ ମାସ ଧରି ଚାଲୁ ରହିଛି।

ରାଉରକେଲାର କାର୍ଯ୍ୟନିର୍ବାହୀ ତହସିଲଦାର ଅଭିଜିତ ମହାନ୍ତ କହିଛନ୍ତି, ବିନା ଇସିରେ ବାଲୁଘାଟ ଆାଦୌ ଚାଲି ପାରିବ ନାହିଁ। ନିୟମିତ ଭାବେ ଚଢ଼ଉ କରାଯାଉଛି। ସ୍ଥାନୀୟ ପୁଲିସକୁ ଏ ସଂକ୍ରାନ୍ତରେ ଜଣାଇ ଦିଆଯାଇଛି। ବିଶ୍ରା ତହସିଲଦାର ଜ୍ୟୋତ୍ସ୍ନା ସାହୁ କହିଛନ୍ତି, ତହସିଲ ପକ୍ଷରୁ ନିୟମିତ ବ୍ୟବଧାନରେ ଚଢ଼ଉ କରାଯାଉଛି। ଜରିମାନା ଆଦାୟ କରାଯାଉଛି। ଯେଉଁ ବାଲିଘାଟଗୁଡ଼ିକ ନିଲାମ ହୋଇ ନାହିଁ, ସେଗୁଡ଼ିକ ନିଲାମ କରିବାକୁ ଖୁବ୍‌ଶୀଘ୍ର ବିଜ୍ଞପ୍ତି ପ୍ରକାଶ କରାଯିବ। ଅନୁରୂପ ଭାବେ ବୀରମିତ୍ରପୁର ତହସିଲଦାର ଅଂଶୁମାନ ଦାସ, କୁଆରମୁଣ୍ଡା ତହସିଲଦାର ମିସ୍‌ ଚାନ୍ଦନୀଙ୍କୁ ଏ ସଂକ୍ରାନ୍ତରେ ବାରମ୍ବାର ଯୋଗା‌ଯୋଗ କରିଥିଲୁ। ମାତ୍ର ସେମାନେ ଫୋନ୍‌ ଉଠାଇ ନଥିଲେ। ଏଥିରୁ ବାଲିଘାଟରୁ ରାଜସ୍ବ ଆଦାୟ କରିବାକୁ ସ୍ଥାନୀୟ ତହସିଲଦାର, ବିଭାଗ ଅଧିକାରୀ କେତେ ତତ୍ପର ସ୍ପଷ୍ଟ ବାରି ହୋଇ ପଡୁଛି। ବେଆଇନ କାର୍ଯ୍ୟକୁ ପ୍ରୋତ୍ସାହନ ଦେଇ ଚାଲିଥିବା ଏଭଳି ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ରାଜସ୍ବ କେମିତି ସରକାର ପାଣ୍ଠିକୁ ଆସିବ ସେଥିପ୍ରତି ଜିଲ୍ଲାପାଳ ଦୃଷ୍ଟି ଦେବାର ଆବଶ୍ୟକତା ରହିଛି।

ସମ୍ବନ୍ଧିତ ଖବର