ବେଆଇନ ବାଲିଚାଲାଣ ମାମଲା : ପଦକ୍ଷେପ ଗ୍ରହଣ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : କେନ୍ଦୁଝର ଜିଲା ଘଷିପୁରା ବ୍ଲକ କେନ୍ଦୁଆ ଅଞ୍ଚଳରେ ବେଆଇନ ବାଲିଘାଟ ପ୍ରସଂଗରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଉପଜିଲ୍ଲାପାଳ ସ୍ତରୀୟ ଅଧିକାରୀ ଏଭଳି ଅଭିଯୋଗର ତଦନ୍ତ କରି ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି। ଡକ୍ଟର ଜଷ୍ଟିସ ଏ.କେ.ରଥଙ୍କୁ ନେଇ ଗଠିତ ଅବକାଶକାଳୀନ ଖଣ୍ଡପୀଠ ରାଜକିଶୋର ଚକ୍ର, ବିଦ୍ୟାଧର ଚକ୍ର ଓ ଅନ୍ୟମାନଙ୍କ ପକ୍ଷରୁ ଦାୟର ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ପ୍ରତାପ ଚନ୍ଦ୍ର ମିଶ୍ର ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ କେନ୍ଦୁଝର ଜିଲ୍ଲାର ଘଷିପୁରା ତହସିଲ ଅଧିନସ୍ଥ ବୈତରଣୀ ନଦୀର କାଂଶ ଘାଟ, ଖଲ୍ଲିଆ ଘାଟ, ରେମାଳ ଘାଟରୁ ବେଆଇନ ଭାବେ ଦୈନିକ ଶହଶହ ଟ୍ରିପ ବାଲି ଚାଲାଣ ହେଉଛି ବୋଲି ଅଭିଯୋଗ ହୋଇଥିଲା। ବିନା ଲିଜରେ ବାଲି ମାଫିଆମାନେ ବେଆଇନ ଭାବେ ଘାଟରୁ ଚୋରାରେ ବାଲି ଚାଲାଣ କରୁଛନ୍ତି। ଏପରି ବେଆଇନ ବାଲି ଚାଲାଣ ପାଇଁ ସରକାର ୫୦ କୋଟିରୁ ଅଧିକ ଟଙ୍କା ରାଜସ୍ବ ହରାଇଲେଣି। ଅନ୍ୟପକ୍ଷରେ ଦିନ ବେଳା ମାଫିଆମାନେ ବାଲି ଚାଲାଣ କରୁଥିବା ବେଳେ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁନାହିଁ। ଏଭଳି କାର୍ଯ୍ୟକଳାପ ‌ପାଇଁ କେନ୍ଦୁଆ ଗ୍ରାମବାସୀଙ୍କ ଚଲା ରାସ୍ତା ବିପର୍ଯ୍ୟସ୍ତ ହୋଇପଡିଥିବାବେଳେ ଗାଁରୁ ବାହାରିବା ବିପଦପୂର୍ଣ୍ଣ ହୋଇପଡିଛି ବୋଲି ଅଭିଯୋଗ ହୋଇଥିଲା। ଏ ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳ, ତହସିଲଦାରଙ୍କୁ ଲିଖିତ ଭାବେ ଅଭିଯୋଗ ପରେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିଲା। ଏହା ପରେ ଗ୍ରାମବାସୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ରାଜସ୍ବ ସଚିବ, କେନ୍ଦୁଝର ଜିଲ୍ଲାପାଳ, ଉପଜିଲ୍ଲାପାଳ, ସ୍ଥାନୀୟ ତହସିଲଦାରଙ୍କୁ ପକ୍ଷଭୁକ୍ତ କରାଯାଇଥିଲା।

ସମ୍ବନ୍ଧିତ ଖବର