ବଡ଼ସାହି/ବେତନଟୀ: ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲ ଅଧୀନ ଆରପଟା ଓ ଡିଙ୍ଗିରା ଘାଟରୁ ୧୭ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ବେଆଇନ ବାଲି ଚାଲାଣ ନେଇ ଏନ୍ଜିଟିରେ ହୋଇଥିବା ମାମଲାରେ ପଟ୍ଟାଦାର ପ୍ରଦୀପ ବିନ୍ଧାଣୀ ଗିରଫ ହୋଇ ଜେଲ୍ରେ ଥିବା ବେଳେ ବଡ଼ସାହି ତହସିଲଦାର ମମତାଜ ମହାରଣାଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଯାଇଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୨୩ ତାରିଖରେ ହେବାକୁ ଅଛି। ତେବେ ଏହା ପୂର୍ବରୁ ଆଜି ଏନ୍ଜିଟିର ନିର୍ଦ୍ଦେଶକ୍ରମେ ଏକ ଉଚ୍ଚସ୍ତରୀୟ ତଦନ୍ତକାରୀ ଦଳ ବଡ଼ସାହି ତହସିଲ ଅଧୀନ ମହୁପୁରା ବାଲି ଘାଟକୁ ଯାଇ ବାଲି ଚାଲାଣ ବାବଦ ତଦନ୍ତ କରିଛି।
ଏହି ଟିମ୍ରେ ରାଜ୍ୟ ସରକାରଙ୍କ ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ସମନ୍ବିତ ଆଞ୍ଚଳିକ କାର୍ଯ୍ୟାଳୟର ଜଣେ ବରିଷ୍ଠ ବୈଜ୍ଞାନିକ, ଓଡ଼ିଶା ପ୍ରଦୂଷଣ ବୋର୍ଡର ବୈଜ୍ଞାନିକ ଓ ଏସ୍ଇଆଇଏଏର ଜଣେ ବରିଷ୍ଠ ବୈଜ୍ଞାନିକ ସାମିଲ ଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲା ଖଣି ଅଧିକାରୀ ଭକ୍ତ ପାତ୍ର, ଜିଲ୍ଲାପାଳଙ୍କ ପ୍ରତିନିଧି ଭାବେ ସୁବର୍ଣ୍ଣରେଖା ବୃହତ୍ତ ଜଳସେଚନ ପ୍ରକଳ୍ପର ସ୍ବତନ୍ତ୍ର ଜମି ଅଧିଗ୍ରହଣ ଅଧିକାରୀ ରାମଚନ୍ଦ୍ର ମୁର୍ମୁ, ବଡ଼ସାହି ଅତିରିକ୍ତ ତହସିଲଦାର ସସ୍ମିତା ମୁର୍ମୁ, କୁରାଡ଼ିଆ ରାଜସ୍ବ ନିରୀକ୍ଷକ ସୌମ୍ୟାଶ୍ରୀ ଆଶୀର୍ବାଦନ ଓ ସୁରପଭାଇଜର ନରହରି ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ମହୁପୁରା ବାଲି ଘାଟରୁ ବିନା ଅନୁମତିପତ୍ରରେ ବେଆଇନ ଭାବେ ମେସିନ୍ ଲଗାଇ ବାଲି ଉତ୍ତୋଳନ ହେଉଥିବା ଜାଣିବାକୁ ପାଇଛି ତଦନ୍ତକାରୀ ଦଳ। ଆରପଟା ଓ ଡିଙ୍ଗିରା ଘାଟ ଅପେକ୍ଷା ଏଠାରେ ଅଧିକ ଦୁର୍ନୀତି ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ତେବେ ଏହି ଟିମ୍ ତା’ର ରିପୋର୍ଟ ଦେବା ପରେ ଏନ୍ଜିଟି ଯାହା ବିଚାର କରିବ ବୋଲି ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/16-6.jpg)