ସୁବର୍ଣ୍ଣରେଖା ବେଆଇନ ବାଲି ଉତ୍ତୋଳନ ପ୍ରସଙ୍ଗ : ୬ ଜଣିଆ ବିଶେଷଜ୍ଞ ଦଳର ଅନୁଧ୍ୟାନ

ପରିବେଶ ସନ୍ତୁଳନ ଓ କ୍ଷୟକ୍ଷତି ଆକଳନ କଲେ, ଏନ୍‌ଜିଟିରେ ଖୁବ୍‌ଶୀଘ୍ର ଦାଖଲ ହେବ ରିପୋର୍ଟ

ଜଳେଶ୍ବର : ସୁବର୍ଣ୍ଣରେଖାରୁ ବେଆଇନ ବାଲି ଉତ୍ତୋଳନ ପ୍ରସଙ୍ଗରେ ଏନ୍‌ଜିଟିର ରାୟ ପରେ ମାମଲାର ତଦାରଖ କରୁଥିବା ଜଷ୍ଟିସ ମାଥିରିଆଙ୍କ ନିର୍ଦ୍ଦେଶରେ ଆଜି ଏକ ଛଅ ଜଣିଆ ବିଶେଷଜ୍ଞ ଦଳ ଜଳେଶ୍ବର ଆସି ସୁବର୍ଣ୍ଣରେଖା ନଦୀତଟର ବିଭିନ୍ନ ଅଞ୍ଚଳ ବୁଲି ଦେଖିଛନ୍ତି। ସେମାନେ ପରିବେଶ ସନ୍ତୁଳନ ଓ କ୍ଷୟକ୍ଷତିର ଆକଳନ କରିଥିବାବେଳେ ଏନ୍‌ଜିଟିରେ ଖୁବ୍‌ଶୀଘ୍ର ଏହାର ରିପୋର୍ଟ ଦାଖଲ କରାଯିବ ବୋଲି ଏହି ବିଶେଷଜ୍ଞ ଦଳ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ବିଶେଷଜ୍ଞ ଦଳରେ କୋଲକାତାସ୍ଥିତ ଜାତୀୟ ପ୍ରଦୂଷଣ ବିଭାଗର ଇଷ୍ଟର୍ଣ୍ଣ ରେଞ୍ଜର ରିଜୋନାଲ ଡାଇରେକ୍ଟର ଡ. ଆର୍‌ ସି ସକସେନା ନେତୃତ୍ବ ନେଇଥିଲେ। ପଶ୍ଚିମବଙ୍ଗର ପ୍ରଦୂଷଣ ବିଭାଗର ସିନିଅର ସାଇଣ୍ଟିଷ୍ଟ ଡ.ପିକେ ବାରେଇ, ନୂଆଦିଲ୍ଲୀସ୍ଥିତ ପ୍ରଦୂଷଣ ବୋର୍ଡର ଡ. ରୀତା ସାହା, ଆଇଆଇଟି ଆଇଏସ୍‌ଏମ୍‌ ଧାବାର୍ଡର ଆସୋସିଏଟ୍‌ ପ୍ରଫେସର ବିଶ୍ବଜିତ ପାଲ, ଇଣ୍ଡିଆନ ଫରେଷ୍ଟ୍ରି ରିସର୍ଚ୍ଚ ଆଣ୍ଡ ଏଜୁକେସନ ହାଇଦ୍ରାବାଦର ମିଷ୍ଟର ରତ୍ନାକର, ଓଡ଼ିଶା ଚିଫ୍‌ ଏନ୍‌ଭାରନମେଣ୍ଟାଲ ଇଂଜିନିୟର ଡ.ଏନ୍‌ଆର ସାହୁ ପମୁଖ ଏହି ବିଶେଷଜ୍ଞ ଦଳରେ ସାମିଲ ଥିଲେ। ଆଜି ଏହି ବିଶେଷଜ୍ଞ ଦଳ ମାକଡ଼ିଆ, କୁଅଁରପୁର, ବେହେରାସାହି, ତୋଟାପଡ଼ା, ସେକସରାଇ, ଗୋବରଘାଟା, ମହମ୍ମଦନଗର ପାଟଣା ଆଦି ନଦୀତଟ ବୁଲି ଦେଖିଥିଲେ। ପଶ୍ଚିମବଙ୍ଗ ବାଲି ମାଫିଆଙ୍କ ବେଆଇନ ବାଲି ଉତ୍ତୋଳନ ଯୋଗୁ ସ୍ଥାନୀୟ ଅଞ୍ଚଳର ପରିବେଶ ଉପରେ ଏହାର ପ୍ରଭାବ କିପରି ପଡ଼ିଛି ଓ ଏଥିଯୋଗୁ ଯେଉଁ କ୍ଷୟକ୍ଷତି ହୋଇଛି ତାର ଆକଳନ ସହ ଆଗାମୀ ଦିନରେ ଏହାକୁ କିପରି ରୋକାଯାଇପାରିବ ସେନେଇ ଏହି ବିଶେଷଜ୍ଞ ଦଳ ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର