ଏନ୍‌ଜିଟିରେ ଜବାବ ରଖିଲେ ପଶ୍ଚିମ ମେଦିନିପୁର ଏସ୍‌ପି

ସୁବର୍ଣ୍ଣରେଖାରୁ ବେଆଇନ ବାଲି ଉତ୍ତୋଳନ ପ୍ରସଙ୍ଗ

ଜଳେଶ୍ୱର : ସୁବର୍ଣ୍ଣରେଖାରୁ ବେଆଇନ ବାଲି ଉତ୍ତୋଳନ ମାମଲାରେ ଆଜି କୋଲକତା ଏନ୍‌ଜିଟିରେ ଜବାବ ରଖିଛନ୍ତି ପଶ୍ଚିମ ମେଦିନିପୁର ଏସ୍‌ପି। ଏସ୍‌ପି କୋର୍ଟରେ ତାଙ୍କର ଆକ୍ସନ ଟେକେନ ରିପୋର୍ଟ (ଏଟିଆର) ଦାଖଲ କରିଛନ୍ତି। ଏଣେ ଓଡ଼ିଶା ସରକାରଙ୍କ ଜଳସମ୍ପଦ ବିଭାଗ ମଧ୍ୟ ଜବାବ ରଖିଛି।

ଆଜି ଏନ୍‌ଜିଟିରେ ସୁବର୍ଣ୍ଣରେଖାରୁୁ ବେଆଇନ ବାଲି ଉତ୍ତୋଳନ ମାମଲାର ଥିଲା ପରବର୍ତ୍ତୀ ଶୁଣାଣି। ପୂର୍ବରୁ ଅକ୍ଟୋବର ୨୬ ତାରିଖରେ ପଶ୍ଚିମ ମେଦିନିପୁର ଜିଲ୍ଲାପାଳ ତାଙ୍କ ଏଟିଆର ଦାଖଲ କରିଥିଲେ। ଆଜି ଏସ୍‌ପି ଦାଖଲ କରିଥିବା ଏଟିଆର ତାହାର ଅବିକଳ ନକଲ ବୋଲି ଆବେଦନକାରୀଙ୍କ ଓକିଲ ଋତ୍ୱିକ ଦତ୍ତ ଓ ରାହୁଲ ମଜୁମଦାର କୋର୍ଟରେ ଯୁକ୍ତି ବାଢ଼ିଥିଲେ।

ଅନ୍ୟପକ୍ଷରେ ଓଡ଼ିଶା ସରକାର ମଧ୍ୟ ଏନ୍‌ଜିଟି ନୋଟିସର ଜବାବରେ ତାଙ୍କର ଉତ୍ତର ରଖିଛନ୍ତି। ଭାରତ ସରକାରଙ୍କ ନିର୍ଦେଶନାମା ଅନୁସାରେ, ଆନ୍ତଃରାଜ୍ୟ ସୀମାରେ ପ୍ରବାହିତ ନଦୀଗୁଡ଼ିକର ସୀମାରୁ ୫୦୦ ମିଟର ଅଞ୍ଚଳରେ ମାଇନିଂ ଅପରେସନ ପାଇଁ ଉଭୟ ରାଜ୍ୟର ସହମତି ଆବଶ୍ୟକ। ଏହାକୁ ପଶ୍ଚିମବଙ୍ଗ ସରକାର ଉଲ୍ଲଂଘନ କରିଛନ୍ତି। ଏହାଫଳରେ ଓଡ଼ିଶା ସୀମା ନଦୀତଟର ବହୁ ଅଞ୍ଚଳ ଏବେ ନଦୀଗର୍ଭକୁ ଚାଲିଯାଇଛି। ଆହୁରି ବହୁ ଅଞ୍ଚଳ ଏବେ ବିପଦରେ। ଏ ନେଇ ଉପଯୁକ୍ତ କାର୍ଯାନୁଷ୍ଠାନ ଗ୍ରହଣ ନକଲେ ଓଡ଼ିଶାର ବହୁ ଭୂଭାଗ ନଦୀଗର୍ଭରେ ବିଲୀନ ହେବ ବୋଲି ଜଳସମ୍ପଦ ବିଭାଗ ତାଙ୍କ ପକ୍ଷ ରଖିଛନ୍ତି। ସୂଚନାଯୋଗ୍ୟ, ବେଆଇନ ବାଲି ଉତ୍ତୋଳନ ରୋକିବା ପାଇଁ ସମାଜସେବୀ ସୁଦର୍ଶନ ଦାସ ଏନ୍‌ଜିଟି କୋଲକତା ବେଞ୍ଚ୍‌ର ଦ୍ୱାରସ୍ଥ ହୋଇଥିଲେ। ପରବର୍ତ୍ତୀ ଶୁଣାଣି ୨୦୧୮ ଜାନୁଆରି ୫ରେ ହେବ।

ସମ୍ବନ୍ଧିତ ଖବର