ନୂଆପଡ଼ା: ନୂଆପଡ଼ା ତହସିଲ ଅଧୀନ ଛତିଶଗଡ଼ ସୀମାନ୍ତରେ ବେଆଇନ ବାଲି ଚୋରାଚାଲାଣ ବଢ଼ିବାରେ ଲାଗିଛି। ବାଲି ମାଫିଆ ମାଲାମାଲ ହେଉଥିବା ବେଳେ ସରକାର କୋଟିକୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। ଅନ୍ୟପକ୍ଷରେ ଜିଲ୍ଲାର ବାଲି ମାଫିଆମାନେ ରୟାଲ୍‌ଟିରେ ମଧ୍ୟ ତଞ୍ଚକତା କରୁଥିବା ଅଭିଯୋଗ ହୋଇଛି। ଛତିଶଗଡ଼କୁ ଡମ୍ଫର କିମ୍ବା ହାଇୱାରେ ବାଲି ଚାଲାଣ କରୁଥିବା ବେଳେ ଜିଲ୍ଲା ପ୍ରଶାସନକୁ ଟ୍ରାକ୍ଟରର ରୟାଲଟି ଦେଖାଉଥିବା ଜଣାପଡ଼ିଛି। ଏହି  ବାଲି ଚାଲାଣରେ ତହସିଲ ଅଫିସ୍‌ର କିଛି ଅଧିକାରୀ ସଂପୃକ୍ତ ରହି ମାଫିଆଙ୍କୁ ସହଯୋଗ କରୁଥିବା ଚର୍ଚ୍ଚା ହେଉଛି।

Advertisment

ବର୍ତ୍ତମାନ ନୂଆପଡ଼ା ତହସିଲ ଅଧୀନ ୯ଟି ବାଲି ଖାଦାନରୁ ଟେଣ୍ତର ହୋଇ ବାଲି ଉଠାଣ ହେଉଛି। ସେଥିରୁ କୋଲଦା ବାଲି ଖାଦାନରେ ୨୫ ଶହ ସିଏମ୍‌, ଚିଙ୍ଗରାସରାରେ ୫୫ ଶହ, ବେହେରାଡିହିରେ ୧୨୫୦, ହଲଦୀ (୧)ରେ ୪୧୬୮, ମନ୍ଦିରପଡ଼ାରେ ୩୯୦, ଡୁମେରଡିହିରେ ୨୫ ଶହ, ବନକାରେ ୧୦ ହଜାର, ମୋଙ୍ଗରାପାଲିରେ ୧୦ ହଜାର, ଭାଲେଶ୍ବରରେ ୧୦ ହଜାର ସିଏମ୍‌ ବାଲି ସଂଗ୍ରହ ପାଇଁ ୫ ବର୍ଷର ଟେଣ୍ତର ହୋଇଛି।

ଆସନ୍ତା ଜୁନ୍‌ ମାସରେ କୋଲଦା, ବେହେରାଡିହି, ମନ୍ଦିରପଡ଼ା, ଡୁମେରଡ଼ିହି ଓ ଅଗଷ୍ଟ ମାସରେ ହଲଦୀ(୧) ବାଲି ଖାଦାନର ଟେଣ୍ତର ଅବଧି ସରିବାକୁ ଯାଉଛି। ହେଲେ ଟେଣ୍ଡର ଅନୁସାରେ ବାଲି ନଉଠାଇ ତାଠାରୁ ଢେର୍‌ ଅଧିକ ଚାଲାଣ ହେଉଥିବା ଦେଖାଯାଉଛି। ସେହିପରି ହଲଦୀ ବାଲି ଖାଦାନ (୨) ଓ (୩), କୁରୁମୁଣ୍ତା, ଭୁଷୁଡ଼ି, ସାରାବଙ୍ଗ, ପରସାଭଦର ଭଳି ବାଲି ଖାଦାନ ଟେଣ୍ତର ହୋଇଥିଲେ ବି ଆବଶ୍ୟକ କାଗଜାତ ଅଭାବରୁ ବାଲି ଉଠାଣ ପାଇଁ ରାଜସ୍ବ ବିଭାଗ ଅନୁମତି ଦେଇନାହାନ୍ତି। ତଥାପି ଟେଣ୍ତର ପାଇଥିବା ଲିଜ୍‌ଧାରୀ ବେଆଇନ ଭାବେ ବାଲି ଉଠାଣ କରି ବିକ୍ରି କରାଯାଉଥିବା ଦେଖିବାକୁ ମିଳିଛି। ଏନେଇ ନୂଆପଡ଼ା ତହସିଲଦାର କୈଳାସ ଦାସଙ୍କୁ ପଚାରିବାରୁ ବାଲି ଚୋରାଚାଲାଣ ରୋକିବା ପାଇଁ ସ୍କ୍ବାଡ୍‌ ଗଠନ କରି ଯାଞ୍ଚ କରାଯାଉଥିବା କହିଛନ୍ତି।