କୋରେଇ: ବ୍ୟାସନଗର ତହସିଲ ଅନ୍ତର୍ଗତ କୋରେଇ ବ୍ଲକ୍ର ନିଶଙ୍ଖପୁର, ମୁକୁନ୍ଦପୁର-୧ ଓ ମୁକୁନ୍ଦପୁର-୨ ବାଲିଘାଟରୁ ଏବେ ସରକାରୀ ସ୍ତରରେ ବାଲି ଉଠାଣ ବନ୍ଦ ରହିଛି। ଲିଜ୍ ଅବଧି ସରିଯାଇଥିବାରୁ ପୁନଃ ଚୁକ୍ତିନାମା ପାଇଁ ତହସିଲ କର୍ତ୍ତୃପକ୍ଷ ଗତ ଦୁଇମାସ ହେଲା ଘାଟ ବନ୍ଦ ରଖିଛନ୍ତି। ହେଲେ ବେସରକାରୀ ଭାବେ ଏହି ବାଲିଘାଟ ଗୁଡ଼ିକରୁ ପ୍ରତିଦିନ ଶହଶହ ଟ୍ରିପ୍ ବାଲି ଚୋରାଚାଲାଣ ହେଉଥିବା ଅଭିଯୋଗ ହୋଇଛି। ଦିନ ଦିପହରରେ ଶହଶହ ଭାରୀଯାନ ବାଲି ପରିବହନ କରୁଥିବା ବେଳେ ପ୍ରଶାସନ ଏହାର ଟେର୍ ପାଉନି।
ମାଳମାଳ ବାଲିଗାଡ଼ି ପାଇଁ ଦିନଯାକ ଏହି ଅଞ୍ଚଳର ରାସ୍ତାଘାଟ ଜାମ୍ ରହୁଛି। ଏନେଇ ସ୍ଥାନୀୟ ଲୋକେ ବ୍ୟାସନଗର ତହସିଲଦାରଙ୍କ ନିକଟରେ ଅଭିଯୋଗ କରିଛନ୍ତି। କେବଳ ସାଆଁଳା ବାଲିଘାଟରୁ ଏବେ ସରକାରୀ ଭାବେ ବାଲି ପରିବହନ ହେଉଛି। ସେଠାରେ ମଧ୍ୟ ଭାରୀଯାନ ବ୍ୟବହାର କରାଯାଉଥିବା ଅଭିଯୋଗ ହୋଇଛି। ଶହଶହ ବାଲିବୋଝେଇ ଭାରୀଯାନ ଚଳାଚଳ ଫଳରେ ବୈତରଣୀରୋଡ ଠାରୁ ପାଣିକୋଇଲି ରାସ୍ତା ମରଣଯନ୍ତାରେ ପରିଣତ ହୋଇଛି। ପରିସ୍ଥିତି ଏପରି ଯେ, ସ୍କୁଲ୍, କଲେଜକୁ ଛାତ୍ରଛାତ୍ରୀ ଯିବା ବିପଦ ସଂକୁଳ ହୋଇପଡ଼ିଛି। ଏପରିକି ଏହି ରାସ୍ତାର ଆଖପାଖ ଗାଁକୁ ଆମ୍ବୁଲାନ୍ସ ଯିବା ମଧ୍ୟ କଷ୍ଟସାଧ୍ୟ ହେଉଛି।
ଶତାଧିକ ଗାଡ଼ି ପ୍ରତିଦିନ ଜାଲ୍ ରସିଦ୍ରେ ବାଲି ପରିବହନ କରିବା ସହିତ ନିଲାମ୍ ହୋଇଥିବା ଘାଟର ଲିଜ୍ ଏରିଆ ବାହାରୁ ବାଲି ଉତ୍ତୋଳନ କରାଯାଉଛି। ରାଜସ୍ବ ବିଭାଗ ପକ୍ଷରୁ ଏଠାରେ ବାଲି ଉତ୍ତୋଳନକୁ ବନ୍ଦ ରଖାଯାଇଛି। ହେଲେ ସ୍ଥାନୀୟ ଅଞ୍ଚଳର କିଛି ବାଲି ବ୍ୟବସାୟୀ ଯାଜପୁର ସମେତ ପଡ଼ୋଶୀ ଜିଲ୍ଲାକୁ ଶହଶହ ଟ୍ରିପ୍ ବାଲି ଚୋରାଚାଲାଣ କରୁଛନ୍ତି। ଫଳରେ କଣ୍ଟାବଣିଆ, ମଥୁରାପୁର, ମୁକୁନ୍ଦପୁର, ସୋଲପାଟିଆ, କଡ଼ମିଆଁ, ଜଳପତିପୁର, ଓଷଳା, ଖଜୁରୀନାଲୁଆ ଓ ଗୌରପୁର ଆଦି ଗ୍ରାମବାସୀଙ୍କ ସମେତ ବୈତରଣୀରୋଡ ଷ୍ଟେସନକୁ ଆସୁଥିବା ଶହଶହ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଘାଟକୁ ଭାରୀଯାନ ନିଷେଧ କରାଯାଇଥିବା ବେଳେ ମେସିନ ଓ ହାଇୱାରେ ବାଲି ଉତ୍ତୋଳନ ଏବଂ ପରିବହନ ହେଉଛି।
ସ୍ଥାନୀୟ ରାଜସ୍ବ ନିରୀକ୍ଷକଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉନାହିଁ। ମାଳମାଳ ବାଲିବୋଝେଇ ଗାଡ଼ି ଚଳାଚଳ ପାଇଁ ସ୍ଥାନୀୟ ଲୋକେ ଦିନବେଳେ ମଧ୍ୟ କୋରେଇ ଡାକ୍ତରଖାନା, ବ୍ଲକ୍ କାର୍ଯ୍ୟାଳୟ ଓ ରେଳ ଷ୍ଟେସନକୁ ଯିବା ମୁସ୍କିଲ ହୋଇପଡ଼ୁଛି। ଏସମ୍ପର୍କରେ ବ୍ୟାସନଗର ତହସିଲଦାର ଅଶୋକ କୁମାର ମାଝିଙ୍କୁ ପଚାରିବାରୁ କେବଳ ସାଆଁଳା ବାଲିଘାଟ ଚାଲିବା ପାଇଁ ଅନୁମତି ରହିଥିବା ବେଳେ ଅନ୍ୟ କୌଣସି ଘାଟ ଚାଲିବାକୁ ଅନୁମତି ଦିଆଯାଇନାହିଁ ବୋଲି କହିଛନ୍ତି। ତେବେ ଅଭିଯୋଗ ଆଧାରରେ ଖୁବ୍ଶୀଘ୍ର ଚଢ଼ଉ କରାଯାଇ ବାଲି ଚୋରାବେପାରୀଙ୍କୁ ଧରାଯିବ ବୋଲି ତହସିଲଦାର ଶ୍ରୀ ମାଝୀ ଦୃଢ଼ୋକ୍ତି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/02/20-16.jpg)