କେନ୍ଦୁଝରରେ ବେଧଡ଼କ ବେଆଇନ ବାଲି କାରବାର : ୨୦ରୁ ଊର୍ଦ୍ଧ୍ବ ଖାଦାନର ନାହିଁ ପରିବେଶ ମଞ୍ଜୁରି

କେନ୍ଦୁଝର : ଲୁହାପଥର ବେଆଇନ କାରବାରକୁ ନେଇ କେନ୍ଦୁଝର ଜିଲ୍ଲା ବହୁ ଦୁର୍ନାମ ମୁଣ୍ଡାଇଛି। ଏବେ ପୁଣି ସମାନ ଢ଼ଙ୍ଗରେ ବେଆଇନ ବାଲି କାରବାର ଆରମ୍ଭ ହେଲାଣି। କେନ୍ଦୁଝର ଜିଲ୍ଲାର ୨୦ରୁ ଊର୍ଦ୍ଧ୍ବ ବାଲି ଖାଦାନର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ଦିଆଯାଉଥିବା କନସେଣ୍ଟ ଟୁ ଅପରେଟ ସାର୍ଟିଫିକେଟ ନ ଥିବା ସତ୍ତ୍ବେ ଏଠାରୁ ଦୈନିକ ହଜାର ହଜାର ଟ୍ରିପ୍‌ ବାଲି ଚାଲାଣ ହେଉଛି। ଜିଲ୍ଲା ପ୍ରଶାସନ ଓ ସଂପୃକ୍ତ ଅଞ୍ଚଳର ତହସିଲଦାରଙ୍କ ଜାଣତରେ ଏସବୁ ଚାଲିଥିବା ବେଳେ ଏହି ବେଆଇନ କାରବାରକୁ ବନ୍ଦ କରାଯାଉ ନାହିଁ।

ଜିଲ୍ଲାରେ ବର୍ତ୍ତମାନ ୨୭ଟି ବାଲି ଖାଦାନ ଚ‌ାଲିଛି। ସାହାରପଡ଼ା, ପାଟଣା, ଚମ୍ପୁଆ, ଘସିପୁରା ତହସିଲ ଅଧୀନରେ ସଂଖ୍ୟାଧିକ ବାଲି ଖାଦାନ ରହିଛି। ଖାଦାନଗୁଡ଼ିକ ବିଶେଷ କରି ବୈତରଣୀ, ଅର‌ଡ଼େଇ ନଦୀ ଶଯ୍ୟା‌ରେ ରହିଛି। ନିୟମ ଅନୁସାରେ, ବାଲି ଖାଦାନ ପାଇଁ ପରିବେଶ ମଞ୍ଜୁରି ବାଧ୍ୟତାମୂଳକ। ଏ ନେଇ ଜାତୀୟ ଗ୍ରିନ୍‌ ଟ୍ରିବ୍ୟୁନାଲ ସ୍ବତନ୍ତ୍ର ନିର୍ଦେଶ ଜାରି କରିଛନ୍ତି। ମାତ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ନଥାଇ ବେଧଡ଼କ ବାଲି ଖାଦାନ ଚାଲିଛି। ତହସିଲଦାର ଖାଦାନ ଲିଜ୍‌ ଦେବାବେଳେ ପ୍ରଥମେ ପ୍ରଦୂଷଣ ବୋର୍ଡର କନସେଣ୍ଟ ଟୁ ଅପରେଟ ସାର୍ଟିଫିକେଟ ଅଛି କି ନା ତାହା ଦେଖିବା କଥା। ମାତ୍ର କୌଣସି ତହସିଲରେ ଏଭଳି କରାଯାଉନି।

National Business Mirror

ସୂଚନା ଅନୁସାରେ, କେନ୍ଦୁଝର ଜିଲ୍ଲାର ୨୭ଟି ବାଲି ଖାଦାନ ମଧ୍ୟରୁ ମାତ୍ର ୭ଟିର କନସେଣ୍ଟ ଟୁ ଅପରେଟ ସାର୍ଟିଫିକେଟ ଅଛି। ଏଗୁଡ଼ିକ ହେଲା ପାଟଣା ତହସିଲର କଇଣ୍ଡା, ତଣ୍ଡୋ, ଏରେଣ୍ଡେଇ, ସାହାରପଡ଼ା ତହସିଲର ମୟୂରପଙ୍ଖା, ମୈଦିପା, ଉଦୟପୁର ଓ ଘସିପୁରା ତହସିଲର ଦେଓଗାଁରେ ଥିବା କୁଶେଇ ବାଲି ଖାଦାନ। ଅନ୍ୟମାନଙ୍କର କନସେଣ୍ଟ ଟୁ ଅପରେଟ ସାର୍ଟିଫିକେଟ ନାହିଁ। ଉଦାହରଣ ସ୍ବରୂପ, ଚମ୍ପୁଆ ବ୍ଲକ୍‌ ସରେଇ ବାଲି ଖାଦାନ ଅନନ୍ତ ଚରଣ ମହାନ୍ତଙ୍କ ନାମରେ ରହିଛି। ଏହାକୁ ୨୦୧୬ ମସିହାରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ କନ‌ସେଣ୍ଟ ଟୁ ଅପରେଟ ସାର୍ଟିଫିକେଟ ଦିଆଯାଇଥିଲା। ଯାହା ୨୦୨୦ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବଳବତ୍ତର ଥିଲା। ସମୟସୀମା ପୂର୍ବରୁ ଆଉଥରେ କନ‌‌ସେଣ୍ଟ ଟୁ ଅପରେଟ ସାର୍ଟିଫିକେଟ ନେବା କଥା‌। ମାତ୍ର ତାହା ହୋଇନାହିଁ। ଏଠାରୁ ଦୈନିକ ଶହ ଶହ ଟ୍ରିପ ବାଲି ‌ବେଆଇନ ଭାବେ ପରିବହନ ହେଉଛି। କେବଳ ଏହି ଗୋଟିଏ ନୁହେଁ ସମସ୍ତ ୨୦ଟି ଖାଦାନର ଅବସ୍ଥା ଏମିତି। ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଧାରା ୨୫ର ଜଳ ପ୍ରଦୂଷଣ ଆଇନ ୧୯୭୪ ଓ ଧାରା ୨୧ ବାୟୁ ପ୍ରଦୂଷଣ ଆଇନ ୧୯୮୧ ଅନୁଯାୟୀ ଖାଦାନ ଚଳାଇବା ପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁମତି ଆବଶ୍ୟକ। କିନ୍ତୁ ବିନା ଅନୁମତିରେ କିଭଳି ୨୦ଟି ବାଲି ଖାଦାନ ଚାଲୁଛି ତାହା ଅନେକଙ୍କୁ ବିସ୍ମିତ କରିଛି। ଏ ସଂପର୍କରେ ଜିଲ୍ଲା ପ୍ରଶାସନ ବି ଅବଗତ ଥିଲେ ବି କୌଣସି ପଦ‌କ୍ଷେପ ନେଉନାହିଁ। କନସେଣ୍ଟ ଟୁ ଅପରେଟ ସାର୍ଟିଫିକେଟ୍‌ ନଥିବା ବାଲି ଖାଦାନ ଉପରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ମଧ୍ୟ ଚଢ଼ଉ କରାଯାଉ ନାହିଁ।

ସେହିପରି ଟ୍ରାଞ୍ଜିଟ‌ ପାସ୍‌ରେ ମଧ୍ୟ ବଡ଼ ଧରଣର ଜାଲିଆତି କରାଯାଉଛି। ଗାଡ଼ି ଚାଳକମାନେ ଗୋଟିଏ ଗୋଟିଏ ଟ୍ରାଞ୍ଜିଟ ପାସ୍‌ ପାଖରେ ରଖି ବାଲି ପରିବହନ କରୁଛନ୍ତି। ବାଟରେ ଧରାପଡ଼ିଲେ ତାରିଖ ପୂରଣ କରି ଦେଖାଉଛନ୍ତି। ଏ ନେଇ ତହସିଲ କର୍ତ୍ତୃପକ୍ଷ ଜାଣିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଉନି। ଏ ସଂପର୍କରେ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ ଅଧିକାରୀ ପୁଷ୍କର ବେହେରାଙ୍କୁ ପଚାରିବାରୁ, ବାଲି ଖାଦାନ ଲିଜ୍‌ ଦେବା ପୂର୍ବରୁ ତହସିଲ କର୍ତ୍ତୃପକ୍ଷ କନ‌‌‌ସେଣ୍ଟ ଟୁ ଅପରେଟ ସାର୍ଟିଫିକେଟ ଦେଖିବା କଥା। ଏନ୍‌ଜିଟି ନିୟମ ଅନୁସାରେ ଏହା ବାଧ୍ୟତାମୂଳକ। ମାତ୍ର ଅଧିକାଂଶ ବାଲି ଖାଦାନ ଲିଜ୍‌ଧାରୀଙ୍କ ପାଖରେ ପ୍ରଦୂଷଣ ବୋର୍ଡର ଅନୁମତିପତ୍ର ନାହିଁ। ସେ ଏ ସଂପର୍କରେ ଅବଗତ ଅଛନ୍ତି। ଖୁବଶୀଘ୍ର ଏସବୁ ବାଲି ଖାଦାନରେ ଚଢ଼ଉ କରାଯାଇ କାରଣଦର୍ଶାଅ ନୋଟିସ ଜାରି କରିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧିତ ଖବର