ବୈତରଣୀ ଶଯ୍ୟାରୁ ବେଆଇନ ଭାବେ ଦୈନିକ ଶହଶହ ଟ୍ରିପ୍ ବାଲି ଚାଲାଣ, ବ୍ୟାପକ ରାଜସ୍ବହାନୀ

ଆନନ୍ଦପୁର : ଆନନ୍ଦପୁର ବୈତରଣୀ ନଦୀ ଶଯ୍ୟାରୁ ବେଆଇନ ଭାବେ ଦୈନିକ ଶହଶହ ଟ୍ରିପ୍ ବାଲି ଚାଲାଣ ହେଉଛି। ମେସିନ ସାହାଯ୍ୟରେ ବା‌ଲି ଉଠାଯାଇ ଦିନରାତି ଚାଲାଣ କରାଯାଉଛି। ପ୍ରଶାସନ ଏ ଦିଗରେ ଦୃଷ୍ଟି ଦେଉନଥିବାରୁ ସରକାରଙ୍କ ବ୍ୟାପକ ରାଜସ୍ବହାନୀ ହେଉଛି ବୋଲି ଅଭିଯୋଗ ହୋଇଛି। ଆନନ୍ଦପୁରରେ ବୈତରଣୀ ନଦୀରୁ ବାଲି ଉଠାଣ ପାଇଁ ଜଣେ ବ୍ୟକ୍ତିଙ୍କୁ ଘାଟ ନିଲାମ ଦିଆଯାଇଛି। ସମ୍ପୃକ୍ତ ବ୍ୟକ୍ତି ସରକାରୀ ନିୟମ ଉଲ୍ଲଂଘନ କରି ବାଲି ଚାଲାଣ କରୁଥିବା ଅଭିଯୋଗ ହୋଇଛି। ଆନନ୍ଦପୁର ରାଜସ୍ବ ସର୍କଲରୁ ନିଲାମ ନିଆଯାଇଥିବା ବେଳେ ଘସିପୁରା ତହସିଲ ସୀମାରୁ ବାଲି ଉଠାଯାଉଥିବା ଦେଖିବାକୁ ମିଳୁଛି। ରାଜସ୍ବ ବିଭାଗକୁ ରୟାଲଟି ମିଳୁନଥିବାରୁ ବ୍ୟାପକ ରାଜସ୍ବହାନୀ ହେଉଛି। ଗତକାଲି ଆନନ୍ଦପୁର ରିଂରୋଡରେ ଏକ ଟ୍ରାକ୍ଟରରେ ବାଲି ଚାଲାଣ ବେଳେ ତିନିଦିନ ତଳର ରୟାଲଟି ଚାଲାଣ ଦେଖାଇବା ଏଠାରେ ଚାଲିଥିବା ଦୁର୍ନୀତିର ପ୍ରମାଣ ଦେଉଛି। ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଇ ବେଆଇନ ବାଲି ଚାଲାଣ କରୁଥିବା ବ୍ୟକ୍ତିଙ୍କ ବି‌ରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର