ବାଲି ଚୋରାଚାଲାଣି ଲାଗି ଚିକିଟି ନିର୍ବାଚନ ମଣ୍ଡଳୀରେ ବିଗୁଡୁଛି ଆଇନଶୃଙ୍ଖଳା ପରିସ୍ଥିତି

ପ୍ରଶାସନ-ରାଜନେତା-ବାଲିମାଫିଆଙ୍କ ମଧୁଚନ୍ଦ୍ରିକା

ଚିକିଟି, (ବିଭୂଧେନ୍ଦ୍ର ପାଢୀ): ଗଞ୍ଜାମ ଜିଲ୍ଲାର ବାହୁଦା ନଦୀରୁ ଚିକିଟି ଦେଇ ଆନ୍ଧ୍ରପ୍ର‌ଦେଶ ଏବଂ ଜିଲ୍ଲାର ବିଭିନ୍ନ ସ୍ଥାନକୁ ବେନିୟମ ଭାବେ ବାଲି ଚୋରା ଚାଲାଣ ହେଉଛି। ବାହୁଦା ମଧୁର ବାଲିର ଚାହିଦା ରହିଥିବା ବେଳେ ଏଠାରୁ ଚୋରାରେ ଏବଂ କମ୍‌ ଦାମ୍‌ରେ ବାଲି କିଣି ନେଇ ମାଫିଆ ସୁନା ଦରରେ ବିକି ଲାଭବାନ ହେଉଛନ୍ତି। ପ୍ରଶାସନ-ରାଜନେତା ଓ ବାଲିମାଫିଆଙ୍କ ମଧୁଚନ୍ଦ୍ରିକା ଯୋଗୁଁ ଚିକିଟି ନିର୍ବାଚନ ମଣ୍ଡଳୀରେ ଅଧିକାଂଶ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ଉପୁଜୁଛି। ଏଥିସହ ରାଜ୍ୟ ସରକାର କୋଟି କୋଟି ଟଙ୍କା ରାଜସ୍ବ ହରାଉଛନ୍ତି।

Outlook Hindi

ଭୌଗୋଳିକ ଅବସ୍ଥିତି ଅନୁଯାୟୀ, କେରାଣ୍ତିମାଳ ପର୍ବତମାଳା ଘେରରେ ଚିକିଟି ଅବସ୍ଥିତ। ପାନୀୟ ଜଳ ଯୋଗାଣ ଏବଂ ଜଳସେଚନ କ୍ଷେତ୍ରରେ ପୂଣ୍ୟତୋୟା ବାହୁଦା ଚିକିଟିବାସୀଙ୍କ ଜୀବନରେଖା ପାଲଟିଛି। ବାହୁଦା ନଦୀର ମଧୁର ବାଲିର ଚାହିଦାକୁ ଆଖି ଆଗରେ ରଖି ବାଲି ମାଫିଆମାନେ ରାଜନେତା ଏବଂ ପ୍ରାଶାସନିକ ଅଧିକାରୀଙ୍କୁ ହାତ କରି ଆନ୍ଧ୍ର ସମେତ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଚାଲାଣ କରୁଛନ୍ତି। ଚିକିଟିରୁ କେଶପୁର-ଖଲ୍ଲିକୋଟ-ନୟାଗଡ଼ ଦେଇ ପାରାଦ୍ବୀପ ଅଞ୍ଚଳ ପର୍ଯ୍ୟନ୍ତ ବାହୁଦା ବାଲି ଚାଲାଣ ହେଉଥିବା ସୂଚନା ମିଳିଛି। ଗଞ୍ଜାମ ଜିଲ୍ଲା ଚିକିଟି ତହସିଲ ଅନ୍ତର୍ଗତ ବାହୁଦା ନଦୀର ବିଭିନ୍ନ ସ୍ଥାନରୁ ଶହ ଶହ ଟ୍ରକ‌୍ ବାଲି ଆନ୍ଧ୍ର ଚାଲାଣ ହେଉଛି। ମାଫିଆମାନେ ରାତିରେ ଟ୍ରାକ୍ଟର୍‌ରେ ବାଲି ଆଣି ଖାଲି ସ୍ଥାନରେ ଜମା କରୁଛନ୍ତି। ସେଠା‌ରୁ ବଡ଼ ବଡ଼ ଟ୍ରକ୍‌ ଯୋଗେ ଆନ୍ଧ୍ର ଚାଲାଣ ହେଉଛି। ଉକ୍ତ ଟ୍ରକ୍‌ଗୁଡିକ ମୁଖ୍ୟରାସ୍ତାରେ ନ ଯାଇ ଚିକିଟି, ପିତାପଲ୍ଲୀ, ମନ୍ତ୍ରିଡ଼ି ଦେଇ ସୁମାଣ୍ଡି ଛକକୁ ବାହରି ଆନ୍ଧ୍ରରେ ପ୍ରବେଶ କରୁଛନ୍ତି। ଅନ୍ୟପକ୍ଷରେ ଚିକିଟି ତହସିଲ ପକ୍ଷରୁ ବିଭିନ୍ନ ସ୍ଥାନରେ ବାରମ୍ବାର ଚଢ଼ଉ କରାଯାଉଥିଲେ ହେଁ ବାଲି ଚୋରା ଚାଲାଣକୁ ରୋକା ଯାଇପାରୁ ନାହିଁ। ବାଲି ଚୋରା ଚାଲାଣକୁ କେନ୍ଦ୍ର କରି ବାରମ୍ବାର ଆଇନଶୃଙ୍ଖଳା ପରିସ୍ଥିତି ଉୁପଜୁଛି।

Naidunia

ଗତ ୨୦୧୪ ନଭେମ୍ବରରେ ଚିକିଟି ତହସିଲ ଅନ୍ତର୍ଗତ ମୈସାନପୁର ଏବଂ ମଧୁସୁଦନପୁର ଗ୍ରାମ ହରିଜନ ସାହି ନିକଟ ବାହୁଦା ନଦୀଶଯ୍ୟା ଶ୍ମଶାନରୁ ବାଲି ଉତ୍ତୋଳନ ଚାଲିଥିବା ବେଳେ ନିଲାମଧାରୀ ଓ ଗ୍ରାମବାସୀ ମୁହାମୁହିଁ ହୋଇଥିଲେ। ୨୦୧୮ ମସିହାରେ ପାତ୍ରପୁର ତହସିଲ ଭୀମପୁର ଠାରେ ବାଲି ଉଠାଣକୁ ନେଇ ଗୁଳି ମାଡ଼ ହୋଇଥିଲା। ୨୦୧୯ ମସିହାରେ ଚିକିଟି ତହସିଲ ବଡ଼ବରଙ୍ଗା ଗାଁ ବାଲି ଉଠାଣକୁ କେନ୍ଦ୍ର କରି ବଡ଼ବରଙ୍ଗା ଗ୍ରାମବାସୀ ଏବଂ ନିଲାମଧାରୀ ମୁହାଁମୁହିଁ ହୋଇଥିଲେ। କିନ୍ତୁ ଏବେ ବିନା ନିଲାମରେ ବଡ଼ବରଙ୍ଗା ବାହୁଦା ନଦୀରୁ ବାଲି ଚାଲାଣ ହେଉଛି। ଗତ ମେ ୨୪ ତାରିଖରେ ଟ୍ରକ୍ ଯୋଗେ ଆନ୍ଧ୍ରକୁ ବାଲି ଚୋରା ଚାଲାଣ ହେଉଥିବା ସୂଚନା ପାଇ ବ୍ରହ୍ମପୁର ଉପଜିଲ୍ଲାପାଳ ବିଳମ୍ବିତ ରାତିରେ ଚଢ଼ଉ କରି ୭ଟି ଟ୍ରକ୍‌ ଜବତ କରିଥିଲେ। ଗତ ମାର୍ଚ୍ଚ ୫ତାରିଖରେ ପ୍ରଶାସନ-ରାଜନେତା-ବାଲି ମାଫିଆ ମଧୁଚନ୍ଦ୍ରିକା ଯୋଗୁଁ ଆନ୍ଧ୍ର-ଓଡ଼ିଶା ସୀମା ବିବାଦ ଦେଖା ଦେଇଥିଲା। ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଆନ୍ଧ୍ର ପ୍ରଶାସନ ମଧ୍ୟରେ ଏକରକମ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଫଳରେ ଆନ୍ଧ୍ର ପୁଲିସ ଏବଂ ଓଡ଼ିଶା ପୁଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା। ମିଳିଥିବା ସୂଚନା ଅନୁଯାୟୀ, ୨୦୧୯-୨୦ ଆର୍ଥିକ ବର୍ଷରେ ବେଆଇନ ବାଲି ଗାଡ଼ିରୁ ପାତ୍ରପୁର ତହସିଲ ୩୦ଲକ୍ଷ ୮୦ ହଜାର ଏବଂ ଚିକିଟି ତହସିଲରୁ୧୮ଲକ୍ଷ ୫୨ ହଜାର ୬୧୨ ଟଙ୍କା ରାଜସ୍ବ ଆଦାୟ(ଜରିମାନା) କରିଥିବା ଜଣାପଡ଼ିଛି।

New Indian Express

ବାଲି ସୈରାତ ପରିଚାଳନା ଓ ନିୟନ୍ତ୍ରଣ ଲାଗି ରାଜ୍ୟ ସରକାରଙ୍କ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଏକ ସ୍ବତନ୍ତ୍ର ନିୟମାବଳୀ ୨୦୧୯ ଏପ୍ରିଲ ମାସ ୨୬ତାରିଖରେ ଜାରି କରାଯାଇଛି। ତାହାକୁ ସମସ୍ତ ଜିଲ୍ଲାପାଳଙ୍କୁ ପଠାଇଯାଇଛି। ବେଆଇନ ଏବଂ ବିପଦପୂର୍ଣ୍ଣ ବାଲି ଉତ୍ତୋଳନ ଦ୍ବାରା ସରକାର ରାଜସ୍ବ ହରାଇବା ସହିତ ପରିବେଶଗତ ଅସନ୍ତୁଳନ ସୃଷ୍ଟି ହେଉଛି। ଏହାକୁ ଦୃଷ୍ଟିରେ ରଖି ବେଆଇନ ବାଲି ଉତ୍ତୋଳନ ଓ ପରିବହନ ଉପରେ ସତର୍କ ନଜର ରଖିବାକୁ ଜିଲ୍ଲାପାଳମାନଙ୍କୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ବାଲି ଉତ୍ସ ନିଲାମ ଦିଆଯିବା ପୂର୍ବରୁ ରାଜସ୍ବ ଏବଂ ଜଳସେଚନ ବିଭାଗ ପକ୍ଷରୁ ଯୁଗ୍ମ ତଦନ୍ତ କରି ଚିହ୍ନଟ କରାଯିବାକୁ ନିର୍ଦ୍ଦେଶ ରହିଛି। ଏପରିକି ନିଲାମଧାରୀଙ୍କ ବାଲି ଉତ୍ସର ଇଲକାକୁ ସ୍ପଷ୍ଟ ଭାବେ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ରହିଛି। ବାଲି ଉତ୍ସ ପାଇଁ ପରିବେଶ ମଞ୍ଜୁରୀ ମଧ୍ୟ ଆଣିବାକୁ ନିର୍ଦ୍ଦେଶ ରହିଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବିଷୟ ହେଲା, ରିଟ୍‌ ପିଟିସନ(ସି) ନଂ ୧୨୨୩୨/୨୦୧୨ର ଶୁଣାଣି କରି ଓଡ଼ିଶାରୁ ଉତ୍ତୋଳନ ହେଉଥିବା ବାଲି କୌଣସି ପରିସ୍ଥିତିରେ ବାହାର ରାଜ୍ୟକୁ ପଠାଯାଇ ପାରିବ ନାହିଁ ବୋଲି ୨୦୧୨ ଜୁଲାଇ ୧୯ରେ ଓଡ଼ିଶା ହାଇକୋର୍ଟ ଏକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏହା ଆଧାରରେ ରାଜ୍ୟ ସରକାର ବାହାର ରାଜ୍ୟକୁ ବାଲି ଚାଲାଣକୁ ନିଷିଦ୍ଧ କରିଛନ୍ତି। କିନ୍ତୁ ହାଇକୋର୍ଟ ଏବଂ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶର ଖୁଲ୍ଲମ୍‌ଖୁଲା ଉଲ୍ଲଂଘନ କରାଯାଇ ଗଞ୍ଜାମ ଜିଲ୍ଲାର ବାହୁଦାରେ ଅପ୍ରିତିକର ପରିସ୍ଥିତି ଉପୁଜୁଛି।

ସମ୍ବନ୍ଧିତ ଖବର