କେନ୍ଦୁଝରରେ ଚାଲିଛି ମାଳମାଳ ବେଆଇନ କ୍ରସର

କେନ୍ଦୁଝର :  କେନ୍ଦୁଝରରେ ଚାଲିଛି ମାଳମାଳ ବେଆଇନ୍ କ୍ରସର। କ୍ରସର ଯୋଗୁଁ ପ୍ରଦୂଷଣର ମାତ୍ରା ବଢ଼ୁଛି। ଯାହାକୁ ନେଇ ଉଦବେଗ ପ୍ରକାଶ କରିଛି ପ୍ରଦୂଷଣ ନିୟନ୍ତ୍ରଣ ବିଭାଗ। ଏଥିପାଇଁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନୋଟିସ୍‌ କରାଯାଇ ୧୫ ଦିନ ମଧ୍ୟରେ ଜବାବ ରଖିବାକୁ କୁହାଯାଇଛି।

ଘଟଗାଁ ତହସିଲ ଢେଙ୍କିକୋଟ ରାଜସ୍ୱ ସର୍କଲ ଅନ୍ତର୍ଗତ ଖଣ୍ଟଘରଠାରେ କେତେକ କ୍ରସର ରହିଛି। ୨୦୦ ଟିପିଏଚ୍‌ କ୍ଷମତା ବିଶିଷ୍ଟ ଗୋଟିଏ କ୍ରସରର ମାଲିକାନା ଶିବମ୍ କନଡେଭ ପ୍ରାଇଭେଟ ଲିଃ ନାମରେ ରହିଛି। ଏହି ସଂସ୍ଥା ଜାତୀୟ ରାଜପଥ -୨୦ ର ମରାମତି କାର୍ଯ୍ୟ କରୁଥିବା ବେଳେ ଖଣ୍ଟଘର ମୌଜାର ଖାତା ନଂ ୫୦, ପ୍ଲଟ ନଂ ୩୬୮ର ଏକ ଘରବାଡି କିସମରେ ୨ ଏକର ୯୦ ଡିସିମିଲ ଆଦିବାସୀ ଜମିରେ ୨୦୦ ଟିପିଏଚ କ୍ରସର ପ୍ରତିଷ୍ଠା କରିଛି। ଜାତୀୟ ରାଜପଥ ୨୦ର ଅବଶିଷ୍ଟ କାମ କରୁଥିବା ଠିକାଦାରଙ୍କୁ ପଥର ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ ଘଟଗାଁ ତହସିଲଦାରଙ୍କ ନାମରେ ଖଜୁରିଜୁଆଣି ପଥର କ୍ୱାରି -୧ ଲିଜ୍ ଦିଆଯାଇଛି । ଜାତୀୟ ରାଜପଥ ଠିକାଦରଙ୍କ ଆବଶ୍ୟକତା ଅନୁଯାୟୀ ଶିବମ କନଡେଭ ପ୍ରାଇଭେଟ ଲିମିଟେଡ଼କୁ ଟ୍ରାନଜିଟ ପାସ ତହସିଲ ପକ୍ଷରୁ ଯୋଗାଇ ଦିଆଯାଉଛି।  ମାତ୍ର ସବୁଠୁ ବଡ଼ କଥା ହେଉଛି, ଏହି କ୍ରସର ପ୍ରତିଷ୍ଠା ପାଇଁ ଅନୁମତି ନାହିଁ।

ସାଧାରଣତଃ କ୍ରସର ପ୍ରତିଷ୍ଠା ପୂର୍ବରୁ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ପ୍ରଥମେ କନସେଣ୍ଟ ଟୁ ଏଷ୍ଟାବ୍ଲିସ୍‌ ସାର୍ଟିଫିକେଟ ପ୍ରଦାନ କରାଯାଇଥାଏ। ତେବେ କ୍ରେସର ପ୍ରତିଷ୍ଠା କରିବା ପରେ କନସେଣ୍ଟ ଟୁ ଅପରେଟ ସାର୍ଟିଫିକେଟ ଦେବା ପରେ କ୍ରସର ଚାଲିଥାଏ। ତେବେ ସବୁଠୁ ବଡ଼ କଥା ହେଉଛି, ଏହି କ୍ରସର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପାଖରୁ କୌଣସି ଗୋଟିଏ ବି ସାର୍ଟିଫିକେଟ ହାସଲ କରିନାହିଁ। ନିୟମ ଅନୁସାରେ, କନସେଣ୍ଟ ଟୁ ଏଷ୍ଟାବ୍ଲିସ୍‌ ଏବଂ କନସେଣ୍ଟ ଟୁ ଅପରେଟ ସାର୍ଟିଫିକେଟ ନଥିଲେ କୌଣସି ମତେ କ୍ରସର ଚାଲି ପାରିବ ନାହିଁ। ମାତ୍ର ଏସବୁ ନଥାଇ ବି କ୍ରସର ଚାଲୁଛି।

ଏସଂପର୍କରେ ଖବର ପାଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଏକ ଟିମ୍‌ ଗତ ଅଗଷ୍ଟ ୨୯ ତାରିଖରେ କ୍ରସର ପରିସର ଯାଞ୍ଚ କରିଥିଲେ। ଯାଞ୍ଚ ବେଳେ କୌଣସି ସାର୍ଟିଫିକେଟ ନ ଥିବା ଦେଖିବାକୁ ପାଇଥିଲେ। ଯେଉଁଥିପାଇଁ ଚିଠି ନମ୍ବର ୧୫୨୭ରେ ଗତ ୧୨.୯.୨୦୨୨ ତାରିଖରେ ସଂପୃକ୍ତ କ୍ରସର କମ୍ପାନିକୁ କାରଣ ଦର୍ଶାଅ ନୋଟିସ କରାଯାଇଛି ଏବଂ ଆସନ୍ତା ୧୫ ଦିନ ମଧ୍ୟରେ ଏହାର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର