ଓକିଲଗୁଡ଼ା ପଥର ଖାଦାନ ଲିଜରେ ଚଞ୍ଚକତା: ଟେଣ୍ଡର ଲକ୍ଷରେ, ଆଦାୟ କୋଟିରେ

ମାପଚୁପ୍ କରି ବକେୟା ଆଦାୟ କରିବ ରାଜସ୍ବ ବିଭାଗ

ରାୟଗଡ଼ା: ଓକିଲଗୁଡ଼ା ପଥର ଖାଦାନ ଲିଜ ପ୍ରଦାନରେ ହୋଇଛି ବଡ଼ ଧରଣର ଚଞ୍ଚକତା। ଲିଜଧାରୀ ଲକ୍ଷ ଆକାରରେ ଟେଣ୍ଡର ହାତେଇ ପଥର ବିକ୍ରି କୋଟି କୋଟି ଟଙ୍କାର ଲାଭ ପାଇଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷ ଅପେକ୍ଷା ୨୦୧୯-୨୦ ବର୍ଷ ଟେଣ୍ଡରରେ ଲିଜ୍ ଅର୍ଥ ବଢ଼ିବା ପରିବର୍ତ୍ତେ କମିଛି। ଯାହା ଲିଜଧାରୀଙ୍କୁ ତହସିଲ କର୍ତ୍ତୃପକ୍ଷ ଅହେତୁକ ଅନୁକମ୍ପା ଦେଖାଇଥିବାକୁ ପ୍ରମାଣିତ କରୁଛି। ଗତ ୧୩ ବର୍ଷ ଧରି ଗୋଟିଏ ପରିବାର ହାତରେ ଏହି ଖାଦାନ ଥିବାବେଳେ ଶାଗମାଛ ଦରରେ ପ୍ରଶାସନଠୁ ଲିଜ୍ ହାତେଇ ଲିଜଧାରୀ ମାଲାମାଲ୍ ହୋଇଛନ୍ତି। ମୁନାଫାଖୋର ଅଧିକାରୀଙ୍କ ସଲାସୁତୁରା ପାଇଁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଇଥିବା ବେଳେ ଲିଜଧାରୀଙ୍କ ବେପାରୁଆ କାର୍ଯ୍ୟ ଚଳିତ ବର୍ଷ ୩ ନୀରିହ ଶ୍ରମିକଙ୍କ ଜୀବନ ମଧ୍ୟ ନେଇଛି। ଗୁଣପୁର ସହରରୁ ୪ କିମି ଦୂରରେ ଚାଲିଥିଲା ଏହି ବେଆଇନ ପଥର ଖାଦାନ।

କିଛି ଦିନ ବ୍ୟବଧାନରେ ଖାଦାନରେ ହେଉଥିଲା ବିସ୍ଫୋରଣ। ବିସ୍ଫୋରଣ ଶବ୍ଦକୁ ସଭିଁଏ ଶୁଣି ପାରୁଥିଲେ। କିନ୍ତୁ ସୁରକ୍ଷା ଦିଗ ପ୍ରତି ଆଖି ବୁଜି ଦେଇଥିଲେ ରାଜସ୍ବ-ଜଙ୍ଗଲ-ପ୍ରଦୂଷଣ ଓ ପୁଲିସ୍ ବିଭାଗ ଅଧିକାରୀ। ମାସିକ ମୋଟା ଅଙ୍କର ଡିଲ୍ ଯୋଗୁ କେହି ଲିଜଧାରୀଙ୍କ କାର୍ଯ୍ୟରେ ବାଧକ ସାଜୁନଥିଲେ। ପରିବେଶ ମଞ୍ଜୁରୀ, ବିସ୍ଫୋରଣ ଅନୁମତି ନଥିବା ସତ୍ତ୍ବେ ଜଙ୍ଗଲ ବିଭାଗ କିମ୍ବା ପୁଲିସ୍ ଅଧିକାରୀ ଦିନଟିଏ ବି ଏହି ଖାଦାନକୁ ଯାଞ୍ଚ ପାଇଁ ଯାଇନାହାନ୍ତି। ସେହିପରି ନୂଆ ଅନୁମତି ନଥାଇ ପୁରୁଣା ଲିଜ୍ ଆଧାରରେ ଲିଜଧାରୀ ଗତ ୫ ମାସ ହେଲା ଏହି ଖାଦାନରୁ ପଥର ବିକ୍ରି କରି ଲକ୍ଷାଧିକ ଟଙ୍କା କିକବ୍ୟାକ୍ କରିଛନ୍ତି। ଯାହାର ଲାଭାଂଶ ବିଭାଗୀୟ ଅସାଧୁ କର୍ମଚାରୀଙ୍କ ଭାଗରେ ମଧ୍ୟ ପଡିଥିବା ଆଲୋଚନା ଜୋର୍ ଧରିଛି। ବଡ଼ କଥା ହେଲା ରାଜସ୍ବ ଆଦାୟକୁ ନେଇ ଜିଲ୍ଲାପାଳ, ଉପଜିଲ୍ଲାପାଳଙ୍କ ସ୍ତରରେ ନିୟମିତ ସମୀକ୍ଷା ହେଉଛି। ହେଲେ ବେଆଇନ ଭାବେ ଚାଲିଥିବା ଓକିଲଗୁଡ଼ା ପଥର ଖାଦାନ ସଂପର୍କରେ ଥରୁଟିଏ ବି ଆଲୋଚନା ହୋଇନି।

ନିୟମିତ ଭାବେ ଖାଦାନରୁ ଟ୍ରାକ୍ଟର, ଟ୍ରକରେ ପଥର ବାହାରକୁ ଚାଲାଣ ହେଉଥିଲେ ମଧ୍ୟ ତହସିଲ କର୍ତ୍ତୃପକ୍ଷ ଏହାର ଯାଞ୍ଚ ନ କରିବା ସହ ବେଆଇନ ଚାଲାଣ ସମୟ ମଧ୍ୟରେ ଗୋଟିଏ ବି ଗାଡ଼ିକୁ ଜବତ କରି ନାହାନ୍ତି କିମ୍ବା ଜରିମାନା ବାବଦକୁ ଟଙ୍କାଟିଏ ଆଦାୟ ହୋଇନି। ଯାହା ଲିଜଧାରୀଙ୍କୁ ବେଆଇନ ଖାଦାନ ଚଲାଇବା ନେଇ ସାହାସ ଯୋଗାଇଥିଲା। ଅନ୍ୟପକ୍ଷରେ ୨୦୧୯ ସେପ୍ଟେମ୍ବର ମାସରେ ଗୁଣପୁର ପୁଲିସ୍ ସନ୍ୟାସୀପୁର ପଥର ଖାଦାନ ଉପରେ ଚଢ଼ାଉ କରି ବେଆଇନ ଭାବେ ଗଚ୍ଛିତ ଥିବା ୪୮୫ କୁଇଣ୍ଟାଲ୍ ବିସ୍ଫୋରକ ସାମଗ୍ରୀ ଜବତ କରିଥିଲା। କିନ୍ତୁ ଏହା ପରଠାରୁ ବେଆଇନ ବ୍ଲାଷ୍ଟିଂ ଖାଦାନରେ ଚାଲିଥିଲେ ମଧ୍ୟ କେଉଁଠି ପୁଲିସ୍ ଚଢ଼ାଉ କରିନାହିଁ। ଏପରିକି ୩ ଜଣଙ୍କ ମୃତ୍ୟୁ ଘଟଣାକୁ ଇତି ମଧ୍ୟରେ ୫ ଦିନ ବିତି ଯାଇଥିଲେ ମଧ୍ୟ ମୁଖ୍ୟ ଅଭିଯୁକ୍ତ ଦୁଇଙ୍କୁ ଧରିବାରେ ପୁଲିସ୍ ସକ୍ଷମ ହୋଇନି।

ଖାଦାନକୁ ଲାଗି ଗୋଚର ଜମି ସହ ୨ ଶହ ମିଟର ଦୂରରେ ନୁଙ୍ଗୁରତାଲ, ସାମ୍ପେନି, ନୂଆଗାଁ ଜନବସତି ଅଞ୍ଚଳ ରହିଛି। ହେଲେ ଲିଜଧାରୀଙ୍କ ସ୍ବାର୍ଥକୁ ଗୁରୁତ୍ବ ଦେଇ ବିଭାଗୀୟ ଅଧିକାରୀଙ୍କ ଛତ୍ରଛାୟା ତଳେ ଚାଲିଥିଲା ବେଆଇନ ପଥର ଖାଦାନ। ୨୦୦୭ରୁ ୨୦୧୦ ଆର୍ଥିକ ବର୍ଷ ପର୍ୟ୍ୟନ୍ତ ଖୁବ୍ କମ ଦରରେ ଲିଜ୍ ହୋଇଥିବା ବେଳେ ଏବେ ଲିଜ୍ ନଥାଇ ଉତ୍ତୋଳନ ହୋଇଥିବା ପଥରର ମାପଚୁପ୍ କରି ବକେୟା ଆଦାୟ କରିବା ପାଇଁ ପ୍ରଶାସନ ସଜବାଜ ହେଉଛି। ଆବଶ୍ୟକ ପଡ଼ିଲେ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ପରାମର୍ଶ ଅନୁଯାୟୀ ଲିଜ୍ ବାତିଲ୍ ଦିଗରେ ମଧ୍ୟ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇପାରେ ବୋଲି ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ସମ୍ବନ୍ଧିତ ଖବର