ପଥର ମାଫିଆ, ସ୍ଥାନୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକା : ବେଲଗାମ ବେଆଇନ ବ୍ଲାଷ୍ଟିଂ, ପଥର ଚୋରା ଚାଲାଣ

୪ ବ୍ଲକରେ ୪୪ ପଥର ଖଣି
ଟାର୍ଗେଟ ୧୭.୫୦ କୋଟି, ଆଦାୟ ୨୨ କୋଟିରୁ ଅଧିକ
ଚାଲାଣ ହେଉଛି ଝାଡ଼ଖଣ୍ଡ, ଛତିଶଗଡ

ରାଉରକେଲା : ପଥର ମାଫିଆଙ୍କ ଦ୍ୱାରା ଚାଲିଛି ପଥର ଖଣି ଲୁଟ୍‌। ଚାଲିଛି ବେଆଇନ ବ୍ଲାଷ୍ଟିଂ। ବିଭାଗର ବିନା ଅନୁମତିରେ ମାସ ମାସ ଏଭଳି ବେଆଇନ ହେଉଛି। ଦୈନିକ ଗୋଟିଏ ଗୋଟିଏ ପଥର ଖାଦାନରୁ ଶହ ଶହ ଟ୍ରକ ପଥର କ୍ରସର ୟୁନିଟ୍‌କୁ ଯାଉଛି। ସେଠାରୁ ମେଟାଲ, ଚିପ୍‌ସ ବାହାରିବା ପରେ ସୁନ୍ଦରଗଡ ଜିଲ୍ଲା ନୁହେଁ ବରଂ ପଡୋଶୀ ଝାଡ଼ଖଣ୍ଡ ଓ ଛତିଶଗଡକୁ ଚାଲାଣ ହେଉଛି। ବର୍ଷ ବର୍ଷ ଧରି ଏସବୁ ଚାଲିଛି। ତେଣୁ ଏସବୁକୁ ଯେ ସ୍ଥାନୀୟ ଅଧିକାରୀମାନେ ଜାଣି ନାହାନ୍ତି, ତାହା ଅସମ୍ଭବ। ତେଣୁ ସେ ବାବଦରେ କିଛି ଭିତିରି ସଲାସୁତରା ହୋଇଥିବା ସ୍ୱାଭାବିକ ଭାବେ ଆଶଙ୍କା କରାଯାଏ। ଏହାଦ୍ୱାରା ପଥର ମାଫିଆ, କ୍ରସର ମାଲିକ ଓ ସ୍ଥାନୀୟ ସରକାରୀ ଅଧିକାରୀ ମାଲେମାଲ୍ ହେଉଥିବାବେଳେ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କାର ରାଜସ୍ୱ ହରାଇବାକୁ ପଡୁଛି। ସବୁଠି ଆଶ୍ଚର୍ଯ୍ୟ କଥା ଏସବୁ ପଥର ଖଣିକୁ ନିଲାମ କରିବା ପରିବର୍ତ୍ତେ କିଛି କରିତକର୍ମା ପଥର ମାଫିଆଙ୍କୁ ଟେମ୍ପରାରୀ ପାସ୍‌ (ଟିପି) ଦେଇ ଦିଆଯାଉଛି। ଫଳରେ ସେମାନଙ୍କୁ ଯେତିକି ଟ୍ରକ୍‌ ଉତ୍ତୋଳନ କରିବାକୁ ଅନୁମତି ମିଳୁଛି, ତା’ ଠାରୁ ୧୦ରୁ ୧୫ ଗୁଣ ଲୁଟୁଛନ୍ତି। ସ୍ଥାନୀୟ ଅଫିସର କିଛି ଅଧିକାରୀ ବିଭାଗୀୟ ଉଚ୍ଚ ଅଧିକାରୀଙ୍କୁ ଦୃଷ୍ଟି ଆଢ଼ୁଆଳରେ ରଖି ଏସବୁ ବେଆଇନ କାମ କରୁଥିବା ଅଭିଯୋଗ ହେଉଛି। ବର୍ଷା ପାଇଁ କିଛି ପଥର ଖଣିର ଉତ୍ତୋଳନ ବନ୍ଦ ରହିଥିବାବେଳେ ପ୍ରାୟ ଅଧିକାଂଶ ପଥର ଖଣିରେ ବେଆଇନ ବ୍ଲାଷ୍ଟିଂ ‌ହେଉଛି। ସ୍ଥାନୀୟ ବାସିନ୍ଦା ପ୍ରତିବାଦ କଲେ ମଧ୍ୟ ପଥର ମାଫିଆଙ୍କ ଉପରେ ଏହାର କୌଣସି ପ୍ରଭାବ ପଡୁନାହିଁ। ଗତ ୪ ଦିନ ତଳେ ଏମିତି ଗୁରୁତର ଅଭିଯୋଗ ଆଣିଥିଲେ ବୀରମିତ୍ରପୁର ଥାନା ଅନ୍ତର୍ଗତ ଅନ୍ଧାରୀ ପଞ୍ଚାୟତର ଧାଙ୍ଗିରିନଚା ଗ୍ରାମବାସୀ। ବେଆଇନ ବ୍ଲାଷ୍ଟିଂ ବିରୋଧରେ ଶତାଧିକ ଗ୍ରାମବାସୀ ବୀରମିତ୍ରପୁର ଥାନା ଘେରାଉ କରିଥିଲେ।

khabarindia.in

କେବଳ ଗୋଟିଏ ଉଦାହରଣ ନୁହେଁ, ଲାଠିକଟା ବ୍ଲକରେ ଅଭିଯୋଗ ତାଲିକା ବେଶ୍‌ ଲମ୍ବା। ସେଠାରେ ଡ୍ରିଲର କପ୍ଲେନ୍‌ ମେସିନ୍‌ରେ ୧୫ରୁ ୨୦ ଫୁଟ୍‌ ପର୍ଯ୍ୟନ୍ତ ଗାତ କରି ବ୍ଲାଷ୍ଟିଂ କରାଯାଉଛି। ଖଣିର ବ୍ଲାଷ୍ଟିଂର ବାଉଣ୍ଡରି ଲାଇନ ନଥିବାରୁ ବାୟୁ ପ୍ରଦୂଷଣ, ଶଦ୍ଧ ପ୍ରଦୂଷଣ ହେଉଛି। ଗ୍ରାମବାସୀଙ୍କର ବ୍ୟାପକ କ୍ଷୟକ୍ଷତି ହେବା ସହ ସେମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ପଥର ଖାଦାନରୁ ଦୈନିକ ଶହ ଶହ ପଥର ଲୋଡ୍‌ ଟ୍ରକ ଗାଁ ଦେଇ ଯାଉଥିବାରୁ ରାସ୍ତା ସ୍ଥିତି ଦୟନୀୟ ‌ହୋଇ ପଡୁଛି। ସ୍ଥାନୀୟ ଲୋକଙ୍କ ବାରମ୍ବାର ପ୍ରତିବାଦ ଫଳରେ ବିଭାଗୀୟ ଉଚ୍ଚ ଅଧିକାରୀ କାଁ ଭାଁ ‌କେତକେ ସ୍ଥାନରେ ପଥର ଖଣି ଉତ୍ତୋଳନକୁ ସମ୍ପୂର୍ଣ୍ଣ ବନ୍ଦ କରି ଦେଇଛନ୍ତି। କିନ୍ତୁ ଅନେକ ଜାଗାରେ ସ୍ଥିତି ଯଥା ପୂର୍ବଂ ତଥା ପରଂରେ ରହିଛି।

Ken Research

ସେପଟେ ପଥର ଖଣିଗୁଡ଼ିକରୁ ବର୍ଷକୁ ଯେତିକି ରାଜସ୍ୱ ଆଦାୟ ପାଇଁ ଟାର୍ଗେଟ ଦିଆଯାଉଛି। ତା’ ଠାରୁ ଢ଼େର ଅଧିକ ରାଜସ୍ୱ ଆଦାୟ ହେଉଛି। ବିନା ଅନୁମତିରେ ପଥର ଖଣି କେମିତି ଅବାଧରେ ଖୋଳା ଚାଲିଛି ଏଥିରୁ ସ୍ପଷ୍ଟ ବାରି ହୋଇ ପଡୁଛି। ପାନପୋଷ ଉପଜିଳ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟ ଅନୁଯାୟୀ, ରାଉରକେଲା ତହସିଲ, ବିଶ୍ରା, କୁଆରମୁଣ୍ଡା, ଲାଠିକଟା ଓ ବୀରମିତ୍ରପୁରରେ ମୋଟ୍‌ ୪୪ଟି ପଥର ଖଣି ରହିଛି। ରାଉରକେଲା ତହସିଲ ଅଧୀନରେ ୩ଟି, ବିଶ୍ରା ତହସିଲଦ ଅଧୀନରେ ୪ଟି ପଥର ଖଣି ରହିଥିବାବେଳେ କୁଆରମୁଣ୍ଡା ତହସିଲରେ ୩ଟି, ଲାଠିକଟା ବ୍ଲକରେ ୨୮, ବୀରମିତ୍ରପୁର ତହସିଲରେ ୬ଟି ପଥର ଖଣି ରହିଛି। ଏଥି ମଧ୍ୟରୁ ହାତ ଗଣତି କେତୋଟି ପଥର ଖଣି ଲିଜ୍‌ରେ ଚାଲିଛି। ଆଉ କିଛି ଟିପିରେ ଏବଂ ଅବଶିଷ୍ଟ ବିନା ଲିଜ୍‌ରେ ବେଧଡକ ଚାଲିଛି। ଲାଠିକଟା ବ୍ଳକରେ ୨୮ଟି ପଥର ଖଣି ମଧ୍ୟରୁ ୨୦୧୮-୧୮ରେ ୭ଟି ଆଗାମୀ ୫ ବର୍ଷ ପାଇଁ ନିଲାମ ହୋଇଛି। ବିବାଦ ଯୋଗୁଁ ପ୍ରାୟ ୧୨ଟି ପଥର ଖଣି ସାମୟିକ ସମୟ ପାଇଁ ବନ୍ଦ ରଖାଯାଇଛି। ୩ଟି ପଥର ଖଣିରୁ ଉତ୍ତୋଳନ ପଥର ୧୪୩ ନଂ ଜାତୀୟ ରାଜପଥ କାମରେ ବ୍ୟବହାର କରାଯାଉଛି। ବଲଣ୍ଡାର ୨ଟି, ଅସୁରଛାପଲର ଗୋଟିଏ ଖଣି ନିଲାମ ହେବ ବୋଲି ସ୍ଥାନୀୟ ଅଫିସରୁ ଜଣାପଡିଛି। ଅବଶିଷ୍ଟ ୩ଟି ପଥର ଖଣି କେଉଁ ସ୍ଥିତିରେ ଅଛି ବିଭାଗୀୟ ଅଧିକାରୀଙ୍କୁ ଜଣାନାହିଁ। ବୀରମିତ୍ରପୁର ଡୁମଙ୍ଗଡୋରି, କରଡେଗା, ମହୁଲଛାପର, ଲାସେ, ଅନ୍ଧାରୀରେ ପଥର ଖଣି ରହିଛି। ଏଥିମଧ୍ୟରୁ କୌଣସି ଗୋଟିଏ ହେଲେ ପଥର ଖଣି ନିଲାମ ହୋଇନାହିଁ ବୋଲି ବୀରମିତ୍ରପୁର ତହସିଲ ଅଫିସ ସୂତ୍ରରୁ ପ୍ରକାଶ। ଯଦି ନିଲାମ ହୋଇନାହିଁ ବୋଲି ବିଭାଗୀୟ ଅଧିକାରୀ କହୁଛନ୍ତି, ତେବେ ବେଆଇନ ବ୍ଲାଷ୍ଟିଂ ଓ ଚୋରା ପଥର ଚାଲାଣକୁ କାହିଁକି ରୋକା ଯାଉନାହିଁ ବୋଲି ପ୍ରଶ୍ନ ହେବା ସ୍ବାଭାବିକ।

Express Kerala

କେବଳ ଏତିକି ନୁହେଁ, ଏସବୁ ପଥର ଖଣିରୁ ଚୋରା ପଥର କ୍ରସରକୁ ଯିବାପରେ ସେଠାରୁ ସିଧାସଳଖ ଝାଡ଼ଖଣ୍ଡର ବିଭିନ୍ନ ଅଞ୍ଚଳକୁ ଚାଲାଣ ହେଉଥିବା ଅଭିଯୋଗ ହେଉଛି। କୁଆରମୁଣ୍ଡା ଓ ବିଶ୍ରା ବ୍ଳକ ସମେତ ରାଉରକେଲା ମଧ୍ୟ ସେହି ସମାନ ଅଭିଯୋଗ। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ପଥର ଖଣି ବାବଦରେ ଗତ ୨୦୧୯-୨୦ ଆର୍ଥିକ ବର୍ଷରେ ଏହି ୪ଟି ବ୍ଲକକୁ ୧୭ କୋଟି ୫୦ ଲକ୍ଷ ଟଙ୍କାର ରାଜସ୍ବ ଟାର୍ଗେଟ ଦିଆଯାଇଥିଲା। କିନ୍ତୁ ଆଦାୟ ‌ହୋଇଥିଲା ୨୨ କୋଟିରୁ ଅଧିକ। ଏଥିରୁ କେମିତି ଖୋଲାଖୋଲି ବେଆଇନ କାମ ଚାଲିଛି ତାହା ସ୍ପଷ୍ଟ ହୋଇ ଯାଉଛି। ତେଣୁ ପଥର ଚୋରିର ଚେର କେତେବାଟ ଲମ୍ବିଛି, ଏହାର ବିଧିବଦ୍ଧ ତଦନ୍ତ ହେବାରେ ଆବଶ୍ୟକତା ରହିଛି। ଏ ସଂକ୍ରାନ୍ତରେ ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ୍‌ ମହାପାତ୍ରଙ୍କୁ ପଚାରିବାରୁ ସେ କହିଛନ୍ତି, ୪ ବ୍ଲକର କିଛି ଖଣି ନିଲାମ ଦିଆଯାଇଛି। ଅଧିକାଂଶ ଖଣି ନିଲାମ ଅନୁମତି ପାଇଁ ଜିଲ୍ଲାପାଳଙ୍କ ନିକଟକୁ ପଠାଯାଇଛି। ଅନୁମତି ମିଳିବା ପରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ।

ସମ୍ବନ୍ଧିତ ଖବର