ନବକଳେବରକୁ ଅପେକ୍ଷା

ସାଧାରଣରେ ଉତ୍ସାହ, ଏକାଠି ହେଲେ ମଠାଧୀଶ

ଭୁବନେଶ୍ବର/ପୁରୀ : ପୁରୀର ନବକଳେବର ପାଇଁ ଚାଲିଛି ପରିଯୋଜନା। ଏଥରର ନବକଳେବର ଦାରୁ ଦେବତାଙ୍କର ନୁହେଁ, ସଂପୂର୍ଣ୍ଣ ପୁରୀ ସହରର ହେବ। ଶ୍ରୀମନ୍ଦିର ମେଘନାଦ ପାଚେରିଠାରୁ ୭୫ ମିଟର ଭିତରେ ଆସୁଥିବା ସବୁ ନିର୍ମାଣକୁ ଭାଙ୍ଗି ଦିଆଯିବ। ଶ୍ରୀମନ୍ଦିର ଚାରିପାଖକୁ ମୁକ୍ତ ରଖାଯିବ। ପୁରୀକୁ ବିଶ୍ବ ଐତିହ୍ୟ ସହରର ମାନ୍ୟତା ଦେବାର ପରିକଳ୍ପନା କରି ସରକାର ଏଭଳି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ଗତକାଲି ରାଜ୍ୟ କ୍ୟ‌ାବିନେଟ୍‌ରେ ଏହି ନିଷ୍ପତ୍ତିକୁ ସବୁଜ ସଂକେତ ମିଳିଛି। ଏହାକୁ ନେଇ ସାରା ରାଜ୍ୟରେ ବେଶ୍‌ ଉତ୍ସାହ ଦେଖା ଦେଇଛି। ପୁରୀରେ ବି ହଇଚଇ ସୃଷ୍ଟି ହୋଇଛି।

ପୁରୀକୁ ଆସୁଥିବା ପ୍ରାୟ ସମସ୍ତ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ ସରକାରଙ୍କ ଏଭଳି ଏକ ନିଷ୍ପତ୍ତିକୁ ସ୍ବାଗତ କରୁଛନ୍ତି। ଶ୍ରୀମନ୍ଦିରର ଶ୍ରୀ ବୃଦ୍ଧି ସହ ସୁରକ୍ଷା ଓ ପରିଚ୍ଛନ୍ନତା‌ ପାଇଁ ଏହି ପଦକ୍ଷେପ ଅତ୍ୟନ୍ତ ଆବଶ୍ୟକ ଥିଲା ବୋଲି ମତ ଦେଉଛନ୍ତି। ଶ୍ରୀମନ୍ଦିର ସଂସ୍କାର ପାଇଁ ଗଠିତ ଜଷ୍ଟିସ ବି.ପି ଦାସ କମିସନ ମଧ୍ୟ ୨୦୧୭ ଏପ୍ରିଲରେ ରାଜ୍ୟ ସରକାରଙ୍କୁ ଦେଇଥିବା ତାଙ୍କର ପ୍ରଥମ ଅନ୍ତରୀଣ ରିପୋର୍ଟରେ ଏଭଳି ସୁପାରିସ କରିଥିଲେ। ସେଥିରେ ଶ୍ରୀମନ୍ଦିର ସୁରକ୍ଷା ସମେତ ଭକ୍ତ ଓ ତୀର୍ଥ ଯାତ୍ରୀମାନଙ୍କ ସୁବିଧା ପାଇଁ ଶ୍ରୀମନ୍ଦିର ଚାରିପଟୁ ୭୫ ମିଟର ସ୍ଥାନ ଖାଲି କରିବାକୁ ସୁପାରିସ କରିଥିଲେ। ଏହା ଫଳରେ ଶ୍ରଦ୍ଧାଳୁମାନେ ସୁବିଧାରେ ମନ୍ଦିର ପରିକ୍ରମା କରିପାରିବା ସହ ମନ୍ଦିର ଚାରିପଟର ଅଧିକ ସୌନ୍ଦର୍ଯ୍ୟକରଣ ହୋଇପାରିବ। ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବଢ଼ା ଯାଇପାରିବ। ଏଠାରେ ଦୁଇ ପ୍ଲାଟୁନ୍ ଓଏସ୍‌ଏପି ବାଟାଲିୟନ, ଆଇଆରବି ବାଟାଲିୟନ୍ ଓ କ୍ୟୁଏଟି ଟିମ୍ ସହ ବୋମା ନିଷ୍କ୍ରିୟକାରୀ ଦଳଙ୍କୁ ମୁତୟନ କରାଯାଇପାରିବ। ଶ୍ରୀମନ୍ଦିର ଉପରେ ଆତଙ୍କବାଦୀ ଆକ୍ରମଣ ଆଶଙ୍କା ଦୃଷ୍ଟିରୁ ଏପରି ବ୍ୟବସ୍ଥା ଅତ୍ୟାବଶ୍ୟକ ହୋଇପଡ଼ିଛି।

ଅବଶ୍ୟ ଗଣମାଧ୍ୟମରେ ଏହି ଖବର ପ୍ରସାରିତ ହେବା ପୁରୀରେ ଏହାକୁ ନେଇ ପ୍ରତିକ୍ରିୟା ପ୍ରକ‌ାଶ ପାଇଛି। ଅନେକ ବ୍ୟବସାୟୀ, ମଠାଧୀଶ ଏହାକୁ ବିରୋଧ କରିଛନ୍ତି। ସରକାର ଶହ ଶହ ବର୍ଷର ଐତିହ୍ୟକୁ ଭାଙ୍ଗି ଦେଇ କି ପ୍ରକାର ଐତିହ୍ୟ ସହରର ପରିକଳ୍ପନା କରୁଛନ୍ତି ବୋଲି ମଠାଧୀଶମାନେ ପ୍ରଶ୍ନ କରିଛନ୍ତି। ଶ୍ରୀମନ୍ଦିର ସହିତ ସଂପର୍କ ଥିବା ବିଭିନ୍ନ ମଠ, ମନ୍ଦିର ପୁରୀ ଐତିହ୍ୟର ଏକ ପ୍ରମୁଖ ଉପାଦାନ। ଏସବୁ ବିନା ଐତିହ୍ୟର କଳ୍ପନା କରାଯାଇପାରିବ ନାହିଁ ବୋଲି ମଠାଧୀଶମାନେ ମତ ରଖିଛନ୍ତି। ସେମାନେ କହିଛନ୍ତି ଯେ ସରକାର ଭାରତର ଅନ୍ୟ ମଠ, ମନ୍ଦିରକୁ ଦେଖି ଏଭଳି ନିଷ୍ପତ୍ତି ନେଉଛନ୍ତି। ମାତ୍ର ଭାରତର ଅନ୍ୟ ମନ୍ଦିରମ‌ାନେ ଯେଉଁଭଳି ଢାଞ୍ଚା କରିଛନ୍ତି ସରକାର ତାହା ଅନୁକରଣ କରୁନାହାନ୍ତି। ତିରୁପତିରେ ଭଙ୍ଗା ଯାଇଥିବା ମଠ ଗୁଡିକ ଯେତିକି ଜମି ହରାଇଥିଲେ ଠିକ୍ ସେତିକି ଜମି ତାଙ୍କୁ ଦିଆଯାଇଛି ଓ ମଠ ନିର୍ମାଣ ପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯାଇଛି। ମାତ୍ର ରାଜ୍ୟ ସରକାର ଏ ନେଇ କି ପ୍ରକାର ରୂପରେଖ ପ୍ରସ୍ତୁତ କରିଛନ୍ତି ତାହା ସ୍ପଷ୍ଟ କରନ୍ତୁ ବୋଲି ମଠାଧୀଶମାନେ ଦାବି କରିଛନ୍ତି।

ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ଏ ପ୍ରସଙ୍ଗରେ କିଛି ପ୍ରତିକ୍ରିୟା ରଖିନାହାନ୍ତି। କ୍ୟାବିନେଟ୍‌ ନିଷ୍ପତ୍ତି ସଂପର୍କରେ ସେ ଗଣମାଧ୍ୟମରୁ ଜାଣିଥିବା କଥା କହିଛନ୍ତି। ଆଜି ପୁରୀରେ ବିଭିନ୍ନ ମଠାଧୀଶମାନେ ଗୁପ୍ତ ଭାବେ ଏକତ୍ରିତ ହୋଇଥିବା ଜ‌ଣାପଡିଛି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ମଠାଧୀଶମାନେ ଏକାଠି ହୋଇ ମଠ ସୁରକ୍ଷା ପାଇଁ ଜଗତ୍‌ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିବେ। ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି ଜଣାପଡିଛି।

କ୍ୟାବିନେଟ୍‌ ନିଷ୍ପତ୍ତି କାର୍ଯ୍ୟକାରୀ ହେଲେ ଶ୍ରୀମନ୍ଦିର ମେଘନାଦ ପାଚେରିକୁ ଲାଗି ୭୫ ମିଟର ପରିସରରେ ଆସୁଥିବା ଲଙ୍ଗୁଳି ମଠ, ଦୋଳବେଦୀ କୋଣ, ବଡଆଖଡା ମଠ, ସାନଛତା ମଠ, ଉତ୍ତରପାର୍ଶ୍ବ ମଠ, ତ୍ରିମାଳୀ ମଠ, ରାସବିହାରୀ ମଠ, ମଣିପୁର ଆଶ୍ରମ, ରାଘବଦାସ ମଠ, ପଞ୍ଜାବୀ ମଠ, ଦକ୍ଷିଣପାର୍ଶ୍ବ ମଠ, କପାଳଲୋଚନ ମଠ, ଏମାର ମଠ, ମଙ୍ଗୁ ମଠ, ବଳରାମକୋଟ ମଠ ସହିତ ବୁଢୀମା ଠାକୁରାଣୀ, କାକୁଡିଖାଇ, ନୃସିଂହ ମନ୍ଦିର ଭାଙ୍ଗିବ। ଏହାଛଡ଼ା ଅନେକ ଦୋକାନ ଘର ମଧ୍ୟ ଭାଙ୍ଗିଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର