ଆଜିଠୁ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ଉଚ୍ଛେଦ : ଭଙ୍ଗାଯିବ ମେଘନାଦ ପାଚେରି ସଂଲଗ୍ନ ସରକାରୀ, ବେସରକାରୀ କୋଠା ଓ ଦୋକାନ

ପୁରୀ : ଆସନ୍ତାକାଲିଠାରୁ ଶ୍ରୀମନ୍ଦିର ଚାରିପାଖକୁ ଲାଗି ରହିଥିବା କୋଠା ସବୁ ଭଙ୍ଗାଯିବ। ମେଘନାଦ ପାଚେରି ସଂଲଗ୍ନ ସମସ୍ତ ସରକାରୀ ଓ ବେସରକାରୀ ଘରକୁ ମାଟି ମିଶାଇ ଦିଆଯିବ। ଏ ନେଇ ପ୍ରଶାସନିକ ପ୍ରସ୍ତୁତି ଆରମ୍ଭ ହୋଇଛି। ଲାଗି ରହିଥିବା ଘର ସବୁକୁ ଭାଙ୍ଗିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ହାଇଡ୍ରା, ଜେସିବି ଆଦିର ବ୍ୟବସ୍ଥା କରାଯାଇଛି। ପ୍ରଶାସନିକ ଅଧିକାରୀ ଓ ପୁଲିସ ଅଧିକାରୀଙ୍କୁ ବି ଏ ନେଇ ସଜାଗ ରଖାଯାଇଛି। ଅପ୍ରୀତିକର ପରିସ୍ଥିତି ଏଡ଼ାଇବାକୁ ପୁଲିସ ଫୋର୍ସ ସହ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି।

ଆସନ୍ତାକାଲି ସକାଳୁ ଏହି ଅଭିଯାନ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ପ୍ରାଥମିକ ପର୍ଯ୍ୟାୟରେ ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ଭଙ୍ଗାଯିବ। ପରେ ଅନ୍ୟ ଘର ସବୁ ଭଙ୍ଗାଯିବ। ଏହି ଉଚ୍ଛେଦ ପୂର୍ବରୁ ମେଘନାଦ ପାଚେରିକୁ ଲାଗି ଥିବା ବହୁ ସରକାରୀ କାର୍ଯ୍ୟାଳୟକୁ ଅନ୍ୟତ୍ର ସ୍ଥାନାନ୍ତର କରି ଦିଆଯାଇଛି। ଗତକାଲି ରାତିରେ ସିଂହଦ୍ବାର ସମ୍ମୁଖ ଫାଣ୍ଡିକୁ ଘୁଞ୍ଚାଇ ଦିଆଯାଇଛି। ଏଠାରେ ଥିବା ଦରକାରୀ କାଗଜପତ୍ର ସହ ଅନ୍ୟାନ୍ୟ ଆସବାବପତ୍ରକୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ସିଂହଦ୍ବାର ଓ ଉତ୍ତରଦ୍ବାର ମଝିରେ ରହିଥିବା ଦୁଇ ଜୋତାଷ୍ଟାଣ୍ଡ, ଦୁଇ ମୋବାଇଲ୍ ଷ୍ଟାଣ୍ଡ୍, ଦିବ୍ୟାଙ୍ଗ ରାମ୍ପ ଆଦିକୁ ବଡ଼ଦାଣ୍ଡ ବ୍ୟାରିକେଡ୍ ଭିତରକୁ ଅସ୍ଥାୟୀ ଭାବେ ଉଠାଇ ନିଆଯାଇଛି। ମେଘନାଦ ପାଚେରିକୁ ଲାଗି ରହିଥିବା ସରକାରୀ କାର୍ଯ୍ୟାଳୟ ସବୁକୁ ଅସ୍ଥାୟୀ ଭାବେ ଚଲାଇବା ପାଇଁ ଲୁହାର ବଡ଼ ବଡ଼ କଣ୍ଟେନର ବି ଅଣାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ୪ଟି ଲୁହାର କଣ୍ଟେନର ସିଂହଦ୍ବାର ସମ୍ମୁଖ ବଡ଼ଦାଣ୍ଡରେ ରଖାଯାଇଛି। ଏ ମଧ୍ୟରୁ ଏକ କଣ୍ଟେନର ପୁଲିସ ଫାଣ୍ଡିକୁ ଦିଆଯାଇଛି। ବାକି କଣ୍ଟେନରରେ ସୂଚନା କେନ୍ଦ୍ର ସହ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟ ଅସ୍ଥାୟୀ ଭାବେ ଖୋଲିବାର ବ୍ୟବସ୍ଥା କରାଯିବ।

ସୂଚନାଯୋଗ୍ୟ, ମେଘନାଦ ପାଚେରିକୁ ଶ୍ରୀମନ୍ଦିର ସୂଚନା କେନ୍ଦ୍ର, ସିଂହଦ୍ବାର ଫାଣ୍ଡି, ଜୋତା, ମୋବାଇଲ୍ ଷ୍ଟାଣ୍ଡ୍, ସେସୁ କାର୍ଯ୍ୟାଳୟ(କଲେକ୍ସନ ପଏଣ୍ଟ), କିଛି ଦୋକାନ, ମଠ ରହିଛି। ଭକ୍ତଙ୍କ ସୁବିଧା ଦୃଷ୍ଟିରୁ ଏସବୁକୁ ଉଚ୍ଛେଦ କରି ‌ମେଘନାଦ ପାଚେରିକୁ ଜବରଦଖଲମୁକ୍ତ କରିବାକୁ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି। ମେଘନାଦ ପାଚେରିକୁ ଜବରଦଖଲମୁକ୍ତ ଅଭିଯାନ ଶେଷ ପରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁଯାୟୀ ୭୫ ମିଟର ଓସାରରେ ଶ୍ରୀମନ୍ଦିର ଚାରିପାଖକୁ ଘର, ମଠ, ମନ୍ଦିର ସବୁ ଭଙ୍ଗାଯିବ।

ସମ୍ବନ୍ଧିତ ଖବର