କଟକ-କେନ୍ଦୁଝର ରାସ୍ତାରେ ବେଆଇନ ଟୋଲ ଫି ଆଦାୟ ଅଭିଯୋଗ, କେନ୍ଦ୍ର ସରକାର ଓ ଏନଏଚ୍‌ଏଆଇକୁ ନୋଟିସ୍‌

କଟକ : କଟକରୁ କେନ୍ଦୁଝର ଯିବା ରାସ୍ତାରେ ଆଇନ ଉଲ୍ଲଂଘନ କରି ଟୋଲ ଫି ଆଦାୟ କରାଯାଉଛି ବୋଲି ଅଭିଯୋଗ କରି ରୁଜୁ ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାର ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷ((ଏନ୍‌.ଏଚ୍‌.ଏ.ଆଇ)ଙ୍କୁ ନୋଟିସ୍‌ ଜାରି କରିଛନ୍ତି। ଜଷ୍ଟିସ ଏସ୍‌.କେ.ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ କେନ୍ଦୁଝର ରାଇସୁଆଁ ଥାନା ଅନ୍ତର୍ଗତ ପାଟୁଙ୍ଗା ଗ୍ରାମର ଦିବ୍ୟଲୋଚନ ସାହୁଙ୍କ ଆବେଦନର ଶୁଣାଣି କରି ଜବାବ ଦାଖଲ କରିବାକୁ କେନ୍ଦ୍ର ସରକାର ଓ ଏନଏଚଏଆଇକୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ରାଜୀବ କୁମାର ମହାନ୍ତ ମାମଲା ପରିଚାଳନା କରୁଛନ୍ତି।

ଆବେଦନକାରୀ ଦର୍ଶାଇଛନ୍ତି ଯେ ବାପା-ମାଙ୍କ ଚିକିତ୍ସା ପାଇଁ ତାଙ୍କୁ ଅନେକ ସମୟରେ କେନ୍ଦୁଝରରୁ କଟକ ଆସିବାକୁ ପଡୁଛି। ନିଜ କାର୍‌ ମାଧ୍ୟମରେ ସେ କଟକ ଆସୁଥିବା ବେଳେ କେନ୍ଦୁଝରରୁ କଟକ ମଧ୍ୟରେ ତାଙ୍କୁ ବହୁ ସ୍ଥାନରେ ଟୋଲ ଫି ଦେବାକୁ ପଡୁଛି। ସେ ଜାତୀୟ ରାଜପଥ ନମ୍ବର ୨୧୫ ଓ ୫ ଦେଇ କଟକ ଯା’ ଆସ କରୁଥିବା ବେଳେ କେନ୍ଦୁଝର, ଯାଜପୁର ଓ କଟକରେ ଥିବା ବିଭିନ୍ନ ଟୋଲ ଗେଟ୍‌ରେ ପ୍ରାୟ ୫ଶହ ଟଙ୍କା ଫି ଦେଉଛନ୍ତି। ଏହି ଟୋଲ ଗେଟ୍‌ ଗୁଡିକ ଭିତରେ ଦୂରତ୍ୱ ବେଶି ନଥିବା ବେଳେ ନିୟମ ଉଲ୍ଲଂଘନ କରି ଏ ଗୁଡିକ ପ୍ରତିଷ୍ଠା ପାଇଁ ଅନୁମତି ପ୍ରଦାନ କରାଯାଇଛି ବୋଲି ଆବେଦନକାରୀ ଅଭିଯୋଗ କରିଛନ୍ତି। ଏପରି ସାଧାରଣ ଲୋକ ଓ ଗାଡି ମାଲିକଙ୍କୁ ଶୋଷଣ କରାଯାଉଛି। ଟୋଲ ଗେଟ୍‌ ପ୍ରତିଷ୍ଠା ପାଇଁ ରହିଥିବା ନିୟମ ଉଲ୍ଲଂଘନ କରାଯାଇଥିବା ବେଳେ ମଙ୍ଗୁଳି, ପାଣିକୋଇଲି, ହସନପୁର, ଖନ୍ତାଘର, ବନଯୋଡି ଟୋଲ ଗେଟରେ ଟୋଲ ଆଦାୟକୁ ବେଆଇନ୍‌ ଘୋଷଣା କରାଯାଉ ବୋଲି ଆବେଦନକାରୀ ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର