୨୫୦ଟି ଅଣଲାଇସେନ୍ସ ଅସ୍ତ୍ରଶସ୍ତ୍ର, ୧୪୬୫ କିଲୋ ବିସ୍ଫୋରକ ଦ୍ରବ୍ୟ ଜବତ୍‌

ଭୁବନେଶ୍ବର : ଓଡ଼ିଶାରେ ସ୍ବଚ୍ଛ ଓ ଅବାଧରେ ସାଧାରଣ ନିର୍ବାଚନ ପରିଚାଳନା ପାଇଁ ୫୫୧୯ଟି ଲାଇସେନ୍ସପ୍ରାପ୍ତ ବନ୍ଧୁକ ବିଭିନ୍ନ ଜିଲ୍ଲା ପ୍ରଶାସନ ନିକଟରେ ଜମା ଦିଆଯାଇଛି। ତେବେ ଲାଇସେନ୍ସ ନ ଥିବା ୨୫୦ଟି ଅସ୍ତ୍ରଶସ୍ତ୍ର ଓ ୧୪୬୫.୫୮୨ କିଲୋଗ୍ରାମ ବିସ୍ଫୋରକ ଦ୍ରବ୍ୟ ଜବତ ହୋଇଛି।

ଆଜି ଏ ନେଇ ସୂଚନା ଦେଇଛି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କ କାର୍ଯ୍ୟାଳୟ। ଏହି ସୂଚନା ଅନୁଯାୟୀ ବର୍ତମାନ ସୁଦ୍ଧା ୧୪,୩୬୪ଟି ଗିରଫ ବିହୀନ ପରୱାନା କାର୍ଯ୍ୟକାରୀ ହୋଇଛି। ଭାରତୀୟ ପିଙ୍ଗଳ କୋଡ ୧୦୭/୧୧୬ ଧାରା ଅନୁଯାୟୀ ୬୫,୨୮୮ଜଣ ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଉଭୟ ଅବକାରୀ ବିଭାଗ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ୧୫୯୨୫୩.୯୧୩ ବଲ୍‌କ ଲିଟର ମଦ ଜବତ କରିଛନ୍ତିି। ଏସବୁ ମଦର ଆନୁମାନିକ ମୂଲ୍ୟ ୪ କୋଟି ୧୩ ଲକ୍ଷ ୪୨ ହଜାର ୭୦୯ ଟଙ୍କା। ସେହିପରି ଫ୍ଲାଇଂ ସ୍କ୍ବାଡ୍‌ ଓ ପୁଲିସ ଜବତ କରିଛନ୍ତି ୩ କୋଟି ୭୫ ଲକ୍ଷ ୨୧ ହଜାର ୩୮୦ ଟଙ୍କା।

ଏହାବ୍ୟତୀତ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରିଥିବା ଅଭିଯୋଗରେ ସର୍ବସାଧାରଣ ସ୍ଥାନରେ ଲାଗିଥିବା ୬୩ ଲକ୍ଷ ୭୨ ହଜାର ୫୯୫ଟି ଏବଂ ଘରୋଇ ମାଲିକାନାରେ ଥିବା ସ୍ଥାନରେ ବେଆଇନ ଭାବେ ଲାଗିଥିବା ୪ ଲକ୍ଷ ୬୬ ହଜାର ୮୩୮ଟି ହୋର୍ଡିଂ ଓ ପୋଷ୍ଟର ଆଦିକୁ ହଟାଯାଇଥିବା ସିଇଓ କାର୍ଯ୍ୟାଳୟ ସୂଚନାରୁ ଜଣାଯାଇଛି।

ସମ୍ବନ୍ଧିତ ଖବର