ବାଲିପାଟଣାରେ ବଢ଼ୁଛି ବେଆଇନ କରତକଳ

ବାଲିପାଟଣା: ବାଲିପାଟଣା ଅଞ୍ଚଳରେ ଛତୁ ଫୁଟିଲା ଭଳି କରତ କଳ ସଂଖ୍ୟା ବଢ଼ି ଚାଲିଛି। ବନ ବିଭାଗ କେବଳ ଲୋକ ଦେଖାଣିଆ ଚଢ଼ଉ କରି ଚୁପ୍ ବସୁଥିବାରୁ କରତକଳ ସଂଖ୍ୟା କମିବା ବଦଳରେ ବଢ଼ୁଛି ବୋଲି ଅଭିଯୋଗ ହେଉଛି। ଏବେ ବାଲିଅନ୍ତା ଓ ବାଲିପାଟଣା ଅଞ୍ଚଳରେ ବେଆଇନ କରତକଳ ସଂଖ୍ୟା ୧୫ରୁ ଅଧିକ ହେଲାଣି। ବେଆଇନ କରତକଳ ଯୋଗୁଁ ସ୍ଥାନୀୟ ଅଞ୍ଚଳର ସଂରକ୍ଷିତ ଜଙ୍ଗଲ ପ୍ରଭାବିତ ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚିନ୍ତାପ୍ରକଟ କରାଯାଉଛି।

ଏବେ ଏହି ଦୁଇ ବ୍ଲକ୍‌ ଅଞ୍ଚଳରେ ୧୫ରୁ ଅଧିକ କରତକଳ ବେଆଇନ ଭାବେ ଚାଲୁଛି। କେବଳ ବାଲିପାଟଣା ଅଞ୍ଚଳରେ ୧୦ ରୁ ଅଧିକ ବେଆଇନ କରତକଳ ଚାଲୁଛି। ବଡ଼ କଥା ହେଉଛି, ଭାକରସାହି, ଚାରିପଡ଼ା, ଚିତ୍ତଲପୁର ଠାରେ ନୂଆ କରତକଳ ପ୍ରତିଷ୍ଠା ହୋଇଛି। ଅଥଚ ବନ ବିଭାଗ ସବୁ ଦେଖି ନଦେଖିବା ଭଳି ନିରବ ରହୁଛି। ଗତ ଜୁନ ୨୩ ଓ ଜୁଲାଇ ୨୦ରେ ବନ ବିଭାଗ ଭିଜିଲାନ୍ସ ପକ୍ଷରୁ ସରିପୁର, ଡେଙ୍ଗ, ଚଣାହଟ୍ଟା ଓ ଧାନହରା କରତକଳରେ ଚଢ଼ଉ ହୋଇଥିଲା। ଲକ୍ଷ ଲକ୍ଷ ଟଙ୍କାର ଯନ୍ତ୍ରାଂଶ ଓ କାଠଗଣ୍ଡି ଜବତ କରାଯାଇଥିଲା। କିନ୍ତୁ ବାଲିପାଟଣା ବଜାରର ସର୍ବପୁରାତନ ଜଗନ୍ନାଥ କରତକଳରେ ଚଢ଼ଉ କରିବାକୁ ଯାଇ ଅଧିକାରୀମାନେ ବିଭିନ୍ନ ଆଳ ଦେଖାଇ ଫେରିଯାଇଥିଲେ। ବନ ବିଭାଗର ଚଢ଼ଉକୁ ନେଇ ସ୍ଥାନୀୟ ଲୋକେ ଆପତ୍ତି ଉଠାଇଛନ୍ତି। କେମିତି ଚଢ଼ଉ ହେଉଛି ଯେ ଦିନକ ପରେ ପୁଣି ଉକ୍ତ କଳ ଚାଲୁଛି। ଜଗନ୍ନାଥ କରତକଳ ବନ ବିଭାଗର ଟାର୍ଗେଟ୍‌ରେ ଥିବା କୁହାଯାଉଥିଲେ ମଧ୍ୟ ତାହା ଏବେ ବି ଦିନରାତି ଚାଲୁଛି।

କରତକଳ ଯୋଗୁଁ ସ୍ଥାନୀୟ ଅଞ୍ଚଳର ସବୁଜ ବନାନୀ ଧ୍ବଂସ ପାଉଛି ବୋଲି ଅଭିଯୋଗ ହୋଇଆସୁଛି। ବାଲିପାଟଣା ଭଅଁରାଗଡ଼ ସଂରକ୍ଷିତ ଜଙ୍ଗଲ ଉଜୁଡ଼ିବାକୁ ବସିଲାଣି। ଗଛ ନଷ୍ଟ ହେବା ସହ ବିଭିନ୍ନ ବନ୍ୟଜନ୍ତୁ ବି ସ୍ବତଃ ଲୋପ ପାଇଗଲେଣି। କରତକଳ ଯୋଗୁଁ ହିଁ ଏହି ଅଞ୍ଚଳରେ ଅବାଧ ଗଛ କଟା ହେଉଛି ବୋଲି ଅଭିଯୋଗ ହେଉଛି। ତେବେ ବାଲିପାଟଣା ବନାଞ୍ଚଳ ଅଧିକାରୀ ମାନସ ରଞ୍ଜନ ମହାନ୍ତିଙ୍କ ସୂଚନାନୁସାରେ ବିଗତ ଦିନରେ ୪ କରତକଳ ଉପରେ ଚଢ଼ଉ ହୋଇଛି। ଏବେ ବି ୮ ରୁ ଅଧିକ କରତକଳ ଟାର୍ଗେଟ୍‌ରେ ରହିଛି। ଉଚ୍ଚ କର୍ତୃପକ୍ଷଙ୍କୁ ରିପୋର୍ଟ ପଠାଯାଇଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର