ଗୁମର ଖୋଲିଲା ନିର୍ବାହୀ ଅଧିକାରୀଙ୍କ ଏତଲା : ବଢ଼ିଲା ‘କମଲ ବେଷ୍ଣିୱାଲ୍’ଙ୍କ ଅଡ଼ୁଆ, କୈଫୟତ୍ ତଲବ

ବେଆଇନ ଭାବେ ଆଦାୟ କରିଥିବା ମହାସୁଲ ତୁରନ୍ତ ଜମା କରିବାକୁ ନୋଟିସ୍ ଜାରି

ସୈରାତ୍ ନିଲାମ ଅବଧି ସରିଥିଲେ ମଧ୍ୟ କରୁଥିଲେ ମହାସୁଲ ଆଦାୟ
ଖବର ପ୍ରକାଶ ପରେ ବନ୍ଦ କରିଦେଲେ

ବାରିପଦା : ଆଜି ସନ୍ଧ୍ୟାରେ ବାରିପଦା ଉପଜିଲ୍ଲାପାଳ ତଥା ପୌରପାଳିକା ନିର୍ବାହୀ ଅଧିକାରୀ ଅନ୍ବେଷା ରେଡ୍ଡୀଙ୍କ ବାରିପଦା ଟାଉନ୍ ଥାନରେ ଏତଲା ଏଠାରେ ଚାଲିଥିବା ବେଆଇନ କାରବାରର ଗୁମର ପେଡ଼ି ଖୋଲିଛି। ସୈରାତ୍ ନିଲାମ ଅବଧି ସରିଥିଲେ ମଧ୍ୟ ‘କମଲ କୁମାର ବେଷ୍ଣିୱାଲ’ ବେଆଇନ ଭାବେ କ୍ଷୁଦ୍ର ଏବଂ ଉଠାଦୋକାନୀଙ୍କଠାରୁ ମହାସୁଲ ଆଦାୟ କରୁଥିଲେ। ଚଳିତ ବର୍ଷ ଜୁନ୍ ମାସରୁ ସରିଥିବା କମଲଙ୍କର ନିଲାମ ଅବଧିକୁ କରୋନା ମହାମାରୀ କାରଣରୁ ଦୁଇ ପର୍ଯ୍ୟାୟରେ ଗତ ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ମାତ୍ର ଗତ ମାସରେ କମଲ ବାରିପଦା ପୌରପାଳିକାରେ ୱାର୍ଡ ନଂ ୧୩ ଓ ୨୦କୁ ଛାଡ଼ି ବାକି ସବୁ ସ୍ଥାନରେ ବେପାର କରୁଥିବା ସମସ୍ତ କ୍ଷୁଦ୍ର ଉଠାଦୋକାନୀଙ୍କଠାରୁ ବେଆଇନ ମହାସୁଲ ଆଦାୟ କରୁଥିବା ଅଭିଯୋଗ କରିଛନ୍ତି ଖୋଦ ନିର୍ବାହୀ ଅଧିକାରୀ। ଏନେଇ କମଲଙ୍କୁ ନୋଟିସ୍ ଜାରି କରାଯାଇଛି। ଗତକାଲି ଜାରି ହୋଇଥିବା ଏହି ନୋଟିସରେ ଆସନ୍ତା ତିନି ଦିନ ମଧ୍ୟରେ କେଉଁ ନିୟମ ବଳରେ ବେନିୟମ ଭାବେ ମହାସୁଲ ଆଦାୟ କଲେ ତାହାର କୈଫୟତ୍ ଦେବାକୁ ପଡ଼ିବ। ସେହିପରି ନଭେମ୍ବର ମାସରେ ସେ ଆଦାୟ କରିଥିବା ମହାସୁଲକୁ ପୌରପାଳିକାର ରାଜସ୍ବରେ ତୁରନ୍ତ ଜମା କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେତେ ଟଙ୍କା ଜମା କରିବେ ସେନେଇ କୌଣସି ନିର୍ଦ୍ଦିଷ୍ଟ ରାଶି କୁହାଯାଇନାହିଁ।

ଉଲ୍ଲେଖଯୋଗ୍ୟଯେ ଏହି ସୈରାତ୍ ନିଲାମଧାରୀ ବିନା କୌଣସି ନୁଆ ଟେଣ୍ଡରରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ରସିଦ ଛାପି ବାରିପଦା ପୌରାଞ୍ଚଳରେ ବେପାର କରୁଥିବା ଅଣଲାଇସେନ୍ସପ୍ରାପ୍ତ ଉଠାଦୋକାନୀଙ୍କଠାରୁ ମହାସୁଲ(ହାଟ ଦାଣ୍ଡିଆ) ଆଦାୟ କରୁଥିବା ଅଭିଯୋଗ ହୋଇଥିଲା। ଏନେଇ ଗତକାଲି ଏବଂ ଆଜି ଲଗାତର ଦୁଇଦିନ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବ୍ୟାପକ ଅନିୟମିତତା ପଦାକୁ ଆସିଛି। ଏହି ସମ୍ପୂର୍ଣ୍ଣ ପ୍ରକରଣରେ ବାରିପଦା ପୌରପାଳିକାର କିଛି ନିର୍ଦ୍ଦିଷ୍ଟ କର୍ମଚାରୀ ମଧ୍ୟ ସୈରାତ୍ ନିଲାମଧାରୀଙ୍କ ସହିତ ସାମିଲ ଥିବା ଜଣାପଡ଼ିଛି। ମାତ୍ର ଏହା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସ୍ବରୂପ ବେନିୟମ ମହାସୁଲ ଆଦାୟ କରୁଥିବା କମଲ ବେଷ୍ଣିୱାଲଙ୍କ ବିରୋଧରେ ଥାନାରେ ଏତଲା ଦେବା ସହିତ ନୋଟିସ୍ ଜାରି କରିଛନ୍ତି ନିର୍ବାହୀ ଅଧିକାରୀ ଶ୍ରୀମତୀ ରେଡ୍ଡୀ। କମଲ ଗତ ମାସକ ମଧ୍ୟରେ ପ୍ରାୟ ଲକ୍ଷାଧିକ ଟଙ୍କା ବେନିୟମ ମହାସୁଲ ଆଦାୟ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର