ଅଢ଼େଇ ବର୍ଷ ହେଲା ବିଛଣାରେ ସୁନୀଲ : ଚିକିତ୍ସାରେ ଅର୍ଥ ବାଧକ, ସହାୟତାକୁ ଅପେକ୍ଷା

ବ୍ରହ୍ମପୁର: ମାସେ କି ଦୁଇ ମାସ ନୁହଁ। ଅଢ଼େଇ ବର୍ଷ ହେଲା ବିଛଣାରେ ପଡ଼ିଛନ୍ତି। ଖାଇବା, ପିଇବା ସେହି ବିଛଣାରେ ହିଁ କରୁଛନ୍ତି। ଜଣେ ଧରିଲେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଉଛନ୍ତି। ଶୌଚ ପାଇଁ ଜଣଙ୍କ ସାହାରା ଦରକାର ପଡ଼ୁଛି। ଯେଉଁ ବୟସରେ ରୋଜଗାର କରି ପରିବାର ପ୍ରତିପୋଷଣ କରିବା କଥା ସେ ବିଛଣାରେ ପଡ଼ି ଦିନ କଟୁଛନ୍ତି। ବ୍ରହ୍ମପୁର ମହାନଗର ୪ ନମ୍ବର ୱାର୍ଡ଼ ଅନ୍ତର୍ଗତ ନେଳିଆ ବନ୍ଧ ହୁଡ଼ା ସାହିରେ ରହୁଥିବା ସୁନୀଲ କୁମାର ସାହୁଙ୍କ ଦୁଇ ଗୋଡ଼ ଅଚଳ। କିଡ୍‌ନି ରୋଗରେ ପୀଡ଼ିତ ହୋଇଛନ୍ତି। ଚିକିତ୍ସାରେ ଅର୍ଥ ବାଧକ। ଦୋକାନରେ କାମ କରି ପରିବାର ଚଳାଉଥିବା ଭେଣ୍ଡିଆ ପୁଅ ଆଜି ପରିବାର ପାଇଁ ବୋଝ ପାଲଟି ଯାଇଛନ୍ତି।

ସୁନୀଲଙ୍କ ପରିବାର କହିଲେ ମା’ ସୂଯ୍ୟମଣି ଓ ସାନଭାଇ ସଚିନ୍। ପୂର୍ବରୁ ପରିବାର ସମସ୍ତେ କାଳୁପାତ୍ର ସାହିରେ ରହୁଥିଲେ। ସେଠାରେ ପୈତୃକ ସମ୍ପତ୍ତି ଭାଗ ହେବା ପରେ ସୁନୀଲଙ୍କ ବାପା ପ୍ରଫୁଲ୍ଲ ସାହୁଙ୍କ ଭାଗକୁ କିଛି ଟଙ୍କା ମିଳିଥିଲା। ପ୍ରଫୁଲ୍ଲ ଚା’ ଦୋକାନ କରି ପରିବାର ଚଳାଉଥିବା ବେଳେ ଅଜଣା ରୋଗରେ ପୀଡ଼ିତ ଥିଲେ। ଭାଗରେ ମିଳଥିବା ଟଙ୍କା ବାପାଙ୍କ ଚିକିତ୍ସାରେ ଖର୍ଚ୍ଚ ହୋଇଗଲା ଏବଂ ପରେ ବାପାଙ୍କ ଦେହାନ୍ତ ଘଟିଲା। ପାଖରେ ଟଙ୍କା ନଥିବାରୁ ନେଳିଆ ବନ୍ଧ ହୁଡ଼ା ବସ୍ତିରେ ଆସି ରହିଲେ। ସୁନୀଲ ଗୋଟିଏ ରେଡ଼ିମେଡ୍‌ ପୋଷାକ ଦୋକାନରେ କାମ କରି ଯେଉଁ ଟଙ୍କା ରୋଜଗାର କରୁଥିଲେ ସେଥିରେ ପରିବାର ଚଳୁଥିଲା। ଏହାପରେ ଧାରକରଜ କରି ଭଉଣୀର ବିବାହ କରିଥିଲେ। ବହୁ କଷ୍ଟରେ ପରିବାର ଚାଲିଥିବା ବେଳେ ସଂକଟ ଘନେଇ ଆସିଲା। ଦିନେ ସୁନୀଲ ଖରାବେଳେ ଖାଇସାରି ଦୋକାନ ଯିବା ପାଇଁ ବାହାରୁଥିଲେ, ଗୋଡ଼ଟି ମୋଡ଼ି ହୋଇ ଯାଇଥିଲା। ତା’ପରେ ସେ ଚାଲି ପାରିଲେ ନାହିଁ। ସୁନୀଲଙ୍କୁ ପରିବାର ଲୋକେ ବ୍ରହ୍ମପୁର ଏମ୍‌କେସିଜି ମେଡ଼ିକାଲକୁ ନେଇଥିଲେ, ସେଠାରୁ ତାଙ୍କୁ କଟକ ମେଡ଼ିକାଲ ସ୍ଥାନାନ୍ତର ହେଲେ। ସେଠାରେ ମଧ୍ୟ ଚିକିତ୍ସା ହୋଇ ପାରିଲା ନାହିଁ। ପିଲାଦିନେ ଖାଦ୍ୟନଳୀ ପାଇଁ ପେଟରେ ଅସ୍ତ୍ରୋପଚାର କରା ଯାଇଥିଲା। ପୁଣି ଗୋଡ଼ରେ ଅସ୍ତ୍ରୋପଚାର କଲେ କ’ଣ ଅସୁବିଧା ହେବା ଭୟରେ ଚିକିତ୍ସା ହୋଇପାରିଲା ନାହିଁ। ଏହାପରେ ଦେଶୀ ଚିକିତ୍ସା ଆରମ୍ଭ କରିଥିବା ସୁନୀଲ କହିଛନ୍ତି। ଦେଶୀ ଚିକିତ୍ସା ପରେ ଗୋଡ଼ଟି ଆହୁରି ପତଳା ହୋଇ ଯାଇଥିଲା। ଚିକିତ୍ସା ପରେ ମଧ୍ୟ ଚାଲିବାକୁ ସକ୍ଷମ ହେଲେ ନାହିଁ। ପରିବାରବର୍ଗଙ୍କ ହାତରେ ଟଙ୍କା ନଥିବାରୁ ସୁନୀଲଙ୍କୁ ଘରକୁ ନେଇ ଆସିଥିଲେ। ସେହି ଦିନଠାରୁ ଆଜି ପର୍ଯ୍ୟନ୍ତ ବିଛଣାରେ ହିଁ ପଡ଼ି ରହିଛନ୍ତି।

ଏହାପରେ ଅନ୍ୟାନ୍ୟ ସ୍ବାସ୍ଥ୍ୟ ପରୀକ୍ଷାରୁ ଜଣା ପଡ଼ିଥିଲା ସୁନୀଲଙ୍କ ଗୋଟିଏ କିଡ୍‌ନି ଖରାପ ଅଛି। ସେଥିପାଇଁ ଡାଏଲିସିସ୍ ଆରମ୍ଭ ହେଲା। ପାଖରେ ଟଙ୍କା ନ ଥିବାରୁ ଧାରକରଜ କରି ପ୍ରତି ମାସରେ କଟକ ଯାଇ ଡାଏଲିସିସ୍ କରିବାକୁ ପଡ଼ୁଛି। ଯିବା ଆସିବା ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ମାସକୁ ପାଖାପାଖି ୧୪ ହଜାର ଟଙ୍କା ଖର୍ଚ୍ଚ ହୋଇଯାଉଛି। ସାନ ଭାଇ କାମ କରି ଯେଉଁ ଟଙ୍କା ଆଣୁଛି ତାହା ଚିକିତ୍ସାରେ ହିଁ ଖର୍ଚ୍ଚ ହୋଇଯାଉଛି। ସରକାରଙ୍କ ପକ୍ଷରୁ ମା’ଙ୍କୁ ମାସକୁ ୫୦୦ ଟଙ୍କା ଭତ୍ତା ମିଳୁଥିବା ବେଳେ ଚାଉଳ ୧୫ କେଜି ମିଳୁଛି। ସେଥିରେ ପରିବାର ଚଳିବା କଷ୍ଟକର ହୋଇପଡ଼ୁଛି। ମା’ ଆଗରୁ ମୂଲ କାମ କରିବାକୁ ଯାଉଥିଲେ, କିନ୍ତୁ ଏବେ ସେ ମୋର ସାହାରା ପାଲଟି ଥିବାରୁ ସବୁବେଳେ ମୋ’ ପାଖରେ ରହୁଥିବା ସୁନୀଲ କହିଛନ୍ତି। ପ୍ରତି ମାସରେ ଚିକିତ୍ସା ପାଇଁ ଏତେ ଟଙ୍କା କେଉଁଠୁ ଆଣିବି ବୋଲି ମା’ ସୂର୍ଯ୍ୟମଣି କୋହଭରା କଣ୍ଠରେ କହିଛନ୍ତି। ପ୍ରଶାସନ ପକ୍ଷରୁ ପୁଅ ପାଇଁ ଚିକିତ୍ସା ସହାୟତା, ଭତ୍ତାଟିଏ କରି ଦେବାକୁ ସେ ନିବଦେନ କରିଛନ୍ତି।

ସମ୍ବନ୍ଧିତ ଖବର