ଯୁବତୀ ସହ ଅନୈତିକ ସମ୍ପର୍କ: କନିଷ୍ଠ ଯନ୍ତ୍ରୀ ଓ ପୂର୍ବ ବିଜେପି ନଗର ସଭାପତି ଗିରଫ

ସୋନପୁର : ଜଣେ ଯୁବତୀଙ୍କ ସହ ଅନୈତିକ ସମ୍ପର୍କ ରଖି ବିଦ୍ୟୁତ୍‌ ବିଭାଗର ଜଣେ କନିଷ୍ଠ ଯନ୍ତ୍ରୀ ଓ ସୋନପୁର ନଗର ପୂର୍ବ ବିଜେପି ସଭାପତି ଗିରଫ ହେବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଘଟଣା ରବିବାର ବିଳମ୍ବିତ ରାତିରେ ଘଟିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୋନପୁର ବିଦ୍ୟୁତ୍ ବିଭାଗର କନିଷ୍ଠ ଯନ୍ତ୍ରୀ ଶଶିକାନ୍ତ ସେଠୀ (୪୧) ଏବଂ ପୂର୍ବ ସୋନପୁର ନଗର ବିଜେପି ସଭାପତି ଗଣେଶ ସାହୁ (୪୮)।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ସମ୍ପୃକ୍ତ ଯୁବତୀ ଜଣକ କିଛିଦିନ ପୂର୍ବରୁ ଏକ ବସ୍‌ରେ ସୁବଳୟା ଅଞ୍ଚଳରୁ ସମ୍ବଲପୁର ଯାଉଥିଲେ। କନିଷ୍ଠ ଯନ୍ତ୍ରୀ ଶଶିକାନ୍ତ ମଧ୍ୟ ସେହି ବସ୍‌ରେ ଯାଉଥିଲେ। ସେଠାରେ ଉଭୟଙ୍କ ପରିଚୟ ହେବା ପରେ କନିଷ୍ଠ ଯନ୍ତ୍ରୀ ଯୁବତୀଙ୍କୁ ଆଣି ଗଣେଶଙ୍କ ସହଯୋଗରେ ସୋନପୁରର ଏକ ଭଡ଼ା ଘରେ ରଖିଥିଲେ। ଯୁବତୀ ଜଣକ ଏକ ହୋଟେଲରେ କାମ ମଧ୍ୟ କରୁଥିଲେ। ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ୪ ଶହ ଟଙ୍କା ଲେଖାଏଁ ଦେବେ ବୋଲି ଉଭୟ ଯୁବତୀଙ୍କୁ କହିଥିଲେ। ଏଥିରେ ଯୁବତୀ ଜଣକ ରାଜି ହେବାରୁ ରାତିରେ ସମ୍ପୃକ୍ତ ଯୁବତୀଙ୍କୁ କନିଷ୍ଠ ଯନ୍ତ୍ରୀ ଭଡ଼ାରେ ରହୁଥିବା ଗୋକର୍ଣ୍ଣେଶ୍ବରପଡ଼ାର ଘରକୁ ନେଇଥିଲେ। ସେଠାରେ ନିଶା ସେବନ କରାଇ ଉଭୟ ଶାରୀରିକ ସଂପର୍କ ରଖିଥିଲେ। ପରେ ଉଭୟ କନିଷ୍ଠ ଯନ୍ତ୍ରୀ ଶଶିକାନ୍ତ ଏବଂ ଗଣେଶ ଏକ ବାଇକ୍‌ରେ ସମ୍ପୃକ୍ତ ଯୁବତୀକୁ ଆଣି ଏକ ହୋଟେଲ ସମ୍ମୁଖରେ ଛାଡ଼ି ଚାଲି ଯାଇଥିଲେ।

ସେଠାରେ ବିଳମ୍ବିତ ରାତିରେ ଯୁବତୀ ଜଣକ ନିଶାସକ୍ତ ଅବସ୍ଥାରେ ପାଟିତୁଣ୍ଡ କରୁଥିବା ଖବରପାଇ ସୋନପୁର ପୁଲିସ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। ସେଠାରେ ମଧ୍ୟ ସମ୍ପୃକ୍ତ ଯୁବତୀ ପାଟିତୁଣ୍ଡ କରିବା ସହ ଜଣେ ମହିଳା ଏସ୍‌ଆଇଙ୍କ ହାତ ପାପୁଲିକୁ କାମୁଡ଼ି ଦେବାରୁ ସେ ମଧ୍ୟ ଆହତ ହୋଇଥିଲେ। ଏହି ଘଟଣାକୁ ନେଇ ପୁଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି। ଏସ୍‌ଆଇ ପ୍ରିୟଙ୍କା ସାହୁଙ୍କ ଅଭିଯୋଗକୁ ଭିତ୍ତି କରି ପୁଲିସ ଅନୈତିକ ମାନବ ଚାଲାଣ ନିଷେଧ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରି ଉଭୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କର ଡାକ୍ତରୀ ମାଇନା କରିଛି। ଏହି ଘଟଣାର ତଦନ୍ତ ଆଇଆଇସି ପୁଷ୍ପେନ୍ଦୁ ସାଗର କରୁଛନ୍ତି।

ସମ୍ବନ୍ଧିତ ଖବର