କଟକ: ୨୦୨୦ରେ କଟକରୁ ନିଷିଦ୍ଧ କଫ୍ ସିରପ୍ ‘ଏସ୍କଫ୍’ ଧରାପଡ଼ିବା ଘଟଣାରେ ହଇଚଇ ସୃଷ୍ଟି କରିଥିବା ଚର୍ଚ୍ଚିତ ଚେହେରା କୁଳମଣି ମିଶ୍ର ପୁଣି ଥରେ ବନ୍ଧାହୋଇଛି। ସିଡିଏରେ ମାମୁଘରେ ରହି ପୁଣି ସେହି କଫ୍ ସିରପ୍ କାରବାର କରୁଥିବା ବେଳେ ତାକୁ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଗିରଫ କରିଛି। ତା’ ନିକଟରୁ ଏଥର ୩୫ ହଜାର ଟଙ୍କାର କଫ୍ ସିରପ୍ ଜବତ କରାଯାଇଛି। ଏଥିରେ ସେ ନାଇଟ୍-୧୦ ଟାବଲେଟ୍ ମିଶାଇ ଅଧିକ ନିଶା କରୁଥିଲା।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ଗୁରୁଡ଼ିଝାଟିଆ ଥାନା ଅନ୍ତର୍ଗତ ମଞ୍ଚେଶ୍ବର ଅଞ୍ଚଳର କୁଳମଣି ମିଶ୍ର(୪୫) ସିଡିଏ ଫେଜ୍ ୨ ଥାନା ଅନ୍ତର୍ଗତ ସେକ୍ଟର ୧୧ ମାମୁଘରେ ରୁହେ। ସେଠାରେ ସେ ‘ଏସ୍କଫ୍’ କଫ୍ ସିରପ୍ କାରବାର ଚଳାଇଥିଲା। କଲିକତାରୁ ବସ୍ ଓ କୋରିଅର୍ ଯୋଗେ ସେ କଫ୍ ସିରପ୍ କଟକ ଆମଦାନୀ କରୁଥିଲା। ବସ୍ରେ ଆଣିଲେ ସିଏନ୍ବିଟି ବସ୍ଷ୍ଟାଣ୍ଡରୁ ଏହାକୁ ସଂଗ୍ରହ କରିନେଉଥିଲା। ପରେ ଏହି କଫ୍ ସିରପ୍କୁ ସମ୍ବଲପୁର, ବରଗଡ଼, ବୌଦ୍ଧ, ବଲାଙ୍ଗୀର ସମେତ ପଶ୍ଚିମଓଡ଼ିଶାକୁ ଯୋଗାଉଥିଲା। ସେହିଭଳି ଭୁବନେଶ୍ବର, ପୁରୀକୁ ମଧ୍ୟ ଚାଲାଣ କରୁଥିଲା। ଏ ନେଇ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ନିକଟରେ ପୂର୍ବରୁ ଖବର ଥିଲା। ଏହି ଖବର ଆଧାରରେ ଗୁଇନ୍ଦା ବିଭାଗ ସିଡିଏରେ ଥିବା ମାମୁଘରେ ସୋମବାର ଚଢ଼ଉ କରି ୧୭୦ ବୋତଲ କଫ୍ ସିରପ୍ ଜବତ କରିଛି। ଏହା ସହିତ ଗୋଟିଏ ବାଇକ୍ ମଧ୍ୟ ଜବତ ହୋଇଛି। କୋଡାଇନ୍ ମିଶ୍ରିତ କଫ୍ ସିରପ୍ ବୋତଲ ପିଛା ୨୦୦ ଟଙ୍କାରେ ବିକ୍ରି ହେଉଥିଲା। ଚଢ଼ଉରେ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗର ଇନ୍ସ୍ପେକ୍ଟର ଧୀରେନ କୁମାର ବେହେରା, ଅବନୀ କୁମାର ମହାପାତ୍ର, ଏସ୍ଆଇ ଦିବ୍ୟଜ୍ୟୋତି ସତ୍ୟପ୍ରକାଶ, ବିଭୂତି ପ୍ରଧାନ, ଏଏସ୍ଆଇ କିଶୋର ଚନ୍ଦ୍ର ରାଉତ, ଥବିର କୁମାର ପଟ୍ଟନାୟକ ପ୍ରମୁଖ ଥିଲେ।
ଅନ୍ୟପଟେ କୁଳମଣିର ପୂର୍ବ ବେଆଇନ କାରବାର ରେକର୍ଡ ସାମନାକୁ ଆସିଛି। ୨୦୨୦ ଅକ୍ଟୋବର ୩୧ ଭୋର ସମୟରେ ନରାଜରୁ ସିଡିଏ ଆଡ଼କୁ କୁଳମଣି ବାଇକରେ କଫ୍ ସିରପ୍ ଆଣୁଥିବା ବେଳେ ମର୍କତନଗର ଥାନା ପୁଲିସ ହାତରେ ଧରାପଡ଼ିଥିଲା। ତା ନିକଟରୁ ୬୫ ବୋତଲ କଫ୍ ସିରପ୍ ଏବ˚ ନାଇ୍ଟ-୧୦ ଟାବଲେଟ୍ ୫୦ଟି ଜବତ ହୋଇଥିଲା। ଚୌଦ୍ବାର ତଳ ବଜାରରେ ଥିବା ‘ଚିକିତ୍ସା’ ନାମକ ଔଷଧ ଦୋକାନର ମାଲିକ ଦିଲ୍ଲୀପ କୁମାର ସାହୁକୁ ମଧ୍ୟ ଗିରଫ କରାଯାଇଥିଲା। ଦିଲ୍ଲୀପର ପାଇଖାନା ନିକଟରୁ ୨୬ ପେଟି ସିରପ୍ ମିଳିଥିଲା। ଉଭୟଙ୍କ ନିକଟରୁ ୪ ଲକ୍ଷ ଟଙ୍କାର କଫ୍ ସିରପ୍ ଜବତ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/08/05/ssffsxcxc-2025-08-05-03-22-42.jpg)