ଘୁ ଉଦୟଗିରି: କନ୍ଧମାଳ ଜିଲ୍ଲା ଘୁମୁସର ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର କିମ୍ବା ଅଧିକାରୀ ନିମନ୍ତେ ଦୀର୍ଘ ୧୭ ବର୍ଷରୁ ଊର୍ଦ୍ଧ୍ବ ହେବ ଷ୍ଟାଫ୍ କ୍ୱାଟର ଗୁଡ଼ିକ ଅର୍ଦ୍ଧନିର୍ମିତ ଅବସ୍ଥାରେ ରହିଛି। କିନ୍ତୁ ଦୁଃଖ ଓ ପରିତାପର ବିଷୟ ଉକ୍ତ କୋଠା ୩ଟି ସମ୍ପୂର୍ଣ ହୋଇପାରିଲା ନାହିଁ। କୋଠା ନିର୍ମାଣ ଅସମ୍ପୂର୍ଣ୍ଣ ରହିବା କାରଣ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ, ଠିକାଦାର ଓ ଅଧିକାରୀ ସୁପ୍ତ ଅବସ୍ଥାରେ। ଏବେକାର ଅଧିକାରୀମାନଙ୍କୁ କୋଠା ନିର୍ମାଣ ବିଷୟରେ ପ୍ରଶ୍ନ କଲେ କେହି ଜାଣି ନ ଥିବା ଉତ୍ତର ମିଳୁଛି।

Advertisment

ତେବେ ଅର୍ଦ୍ଧ ନିର୍ମିତ କୋଠା ଗୁଡ଼ିକ  ମଧ୍ୟରୁ ଗୋଟିଏ କୋଠା ବ୍ଲକ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କରାଯାଇଛି। କିନ୍ତୁ ଆଉ ୨ ଟି କୋଠା ବାକି ରହିଛି । ଏହି ଦୁଇଟି କୋଠା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳ ପାଲଟିଛି। ପ୍ରତିଦିନ ଏହି ଅର୍ଦ୍ଧନିର୍ମିତ ଗୃହରେ  ଅନୈତିକ କାର୍ଯ୍ୟ ହେଉଥିବା ବେଳେ ଗଞ୍ଜେଇ, ମଦ, ଜୁଆ ଭଳି ଅନୈତିକ କାର୍ଯ୍ୟ ସେଠାରେ ଚାଲିଥିବା ନେଇ ସାଧାରଣରେ ଆଲୋଚନା ହେଉଛି। ଏହି କୋଠା ଭିତରେ ବିଭିନ୍ନ ଆପତି ଜନକ ଜିନିଷ(ବ୍ୟବହୃତ କୋଣ୍ଡମ) ମଦ ବତଲ, ଗଞ୍ଜେଇ, ବିଡ଼ି, ସିଗାରେଟ, ଅଳିଆ ଆବର୍ଜନା ଦେଖିବାକୁ ମିଳୁଛି ।

ତେବେ ସରକାର ଏହି କୋଠାଗୁଡ଼ିକର ନିର୍ମାଣ ସମ୍ପୂର୍ଣ୍ଣ କଲେନାହିଁ କି କାର୍ଯ୍ୟ ଉପଯୋଗୀ ହେଲା ନାହିଁ ବୋଲି ଚର୍ଚ୍ଚା ହେଉଛି। ସେପଟେ ମେଡ଼ିକାଲ୍ ଷ୍ଟାଫ୍ ଅନ୍ୟତ୍ର ଭଡ଼ା ରହୁ ଥିବା ବେଳେ କ୍ୱାର୍ଟର ଅଭାବରୁ ଅନେକ ସମୟରେ ସ୍ବାସ୍ଥ୍ୟ ସେବା ମଧ୍ୟ ଅବହେଳା ହେଉଛି। କାରଣ ବ୍ଲକ ଓ ସହର ନିମନ୍ତେ ଏହା ମୁଖ୍ୟ ଚିକିତ୍ସାଳୟ ହୋଇଥିବା ବେଳେ ୫୦ ହଜାରରୁ ଅଧିକ ଲୋକ ଏହି ସ୍ବାସ୍ଥ୍ୟ କେନ୍ଦ୍ର ଉପରେ ନିର୍ଭର କରୁଛନ୍ତି। ଏହି କୋଠା ଚାରି ପାଖରେ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଛି। ହେଲେ କୌଣସି ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ କିମ୍ବା ଅନ୍ୟ କେହି ମଧ୍ୟ ତଦାରଖ କରିବା ପାଇଁ ନିଯୁକ୍ତି ହୋଇନାହାନ୍ତି। ଏହା ଭିତରେ ଅବାଧ ଅନୈତିକ କାର୍ଯ୍ୟ କରିବା ନିମନ୍ତେ ଅସାମାଜିକ ବ୍ୟକ୍ତି ସୁଯୋଗ ପାଉଛନ୍ତି। ଏହା ଗୋଟିଏ ସୁରକ୍ଷିତ ସ୍ଥାନ ହୋଇଛି ଅସାମାଜିକ ବ୍ୟକ୍ତିଙ୍କ ଅନୈତିକ କାର୍ଯ୍ୟ ପାଇଁ ଯାହା ଫଳରେ ସେମାନେ ଏହାର ଅପବ୍ୟବହାର କରୁଛନ୍ତି। ତେବେ ପ୍ରଶ୍ନ ଉଠେ କିଏ କରିବ ଏହାର ଯତ୍ନ ଓ କିଏ କରିବ ଏହାର ସୁରକ୍ଷା। ଯେପରି ଅନୈତିକ କାର୍ଯ୍ୟ ବନ୍ଦ୍ ହେବ ଓ ସ୍ବାସ୍ଥ୍ୟ ବିଭାଗ କୋଠାଗୁଡିକ କାର୍ଯ୍ୟକାରୀ ହେବ ଓ ଷ୍ଟାଫ୍ ଏଠାରେ ରହି ସେବା ଯୋଗାଇବେ। ସ୍ଥାନୀୟ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଉକ୍ତ ସ୍ଥାନରେ ଅନୈତିକ କାର୍ଯ୍ୟକଳାପ ବନ୍ଦ୍ ହେଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।