ଛତୁ ଫୁଟିଲା ପରି ଗଢ଼ି ଉଠୁଛି ବେଆଇନ ଇଟାଭାଟି : ପରିବେଶ ନଷ୍ଟ ସାଙ୍ଗକୁ କ୍ଷତିଗ୍ରସ୍ତ ହେଉଛି ଚାଷ ଜମି, ପ୍ରଶାସନ ନିରବ

କୁଚିଣ୍ଡା : କୁଚିଣ୍ଡା ଉପଖଣ୍ଡର ବିଭିନ୍ନ ସ୍ଥାନରେ ପ୍ରଶାସନର ନିଷେଧାଜ୍ଞା ଓ କଟକଣା ସତ୍ତ୍ବେ ଛତୁ ଫୁଟିଲା ପରି ବେଆଇନ ଇଟା ଭାଟିଗୁଡ଼ିକ ଗଢ଼ି ଉଠିଛି। ବେଆଇନ ଭାବେ ଗଛ କଟାଯାଇ ଇଟାଭାଟି ପୋଡ଼ିବା ଦ୍ବାରା ଅଞ୍ଚଳରେ ଏକ ଉତ୍ତପ୍ତ ବଳୟ ସୃଷ୍ଟି ହେଉଛି। ଏହି ବେଆଇନ କାର୍ଯ୍ୟ ଉପରେ ଅଙ୍କୁଶ ଲଗାଇବା ପାଇଁ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଶାସନର ତଦାରଖ ବ୍ୟବସ୍ଥା ବିଫଳ ହୋଇଛି। ବିଭିନ୍ନ ଗାଁରେ ରହିଛି ବେଆଇନ ଇଟା ଭାଟି। ମାଲିକମାନେ ଜନବସତି ଅତି ନିକଟରେ ଇଟାଭାଟିଗୁଡିକରେ ନିଆଁ ଲଗାଇ ପରିବେଶକୁ ଉତ୍ତପ୍ତ କରୁଛନ୍ତି। ଏପରିକି ଅସାମାଜିକ ବ୍ୟକ୍ତି ମଧ୍ୟରେ ଏହି କାର୍ଯ୍ୟରେ ନ୍ୟସ୍ତ ରହୁଛନ୍ତି। ଫଳରେ ସଚେତନତା ସତ୍ତ୍ବେ କେହି ବନ୍ଦ କରିବାକୁ ସାହସ କରୁନାହାନ୍ତି। ଭୟରେ ସଚେତନ ନାଗରିକ ଚୁପ ରହୁଛନ୍ତି। ଇଟାଭାଟି ମାଲିକମାନେ ଗାଁ ଭିତରେ ଥିବା ଗଛ କିମ୍ବା ଗାଁ ନିକଟରେ ଥିବା ଗଛଗୁଡ଼ିକ ଅବାଧରେ ଏଥିପାଇଁ କାଟୁଛନ୍ତି। ଏହାଦ୍ବାରା ଜଙ୍ଗଲ ମଧ୍ୟ ପଦା ହେଉଛି ଏବଂ ପରିବେଶକୁ ଏହା ମଧ୍ୟ ଉତ୍ତପ୍ତ କରିବାରେ ସହାୟକ ହେଉଛି। ସେହିପରି ଇଟାଭାଟି ପାଇଁ ବେଆଇନ ଭାବେ ମାଟି ଖନନ ହେଉଥିବାରୁ ଚାଷ ଜମି କ୍ଷତିଗ୍ରସ୍ତ ହେଉଛି। ଏହାଦ୍ବାରା ଜଳସ୍ତର ପ୍ରଭାବିତ ମଧ୍ୟ ହେଉଛି। ଏହାକୁ ରୋକିବା ପାଇଁ ନିୟମ ରହିଥିଲେ ମଧ୍ୟ ସରକାରୀ କର୍ମଚାରୀମାନେ ଏହା ଉପରେ ଆଖି ବନ୍ଦ କରି ଦେଇଛନ୍ତି। ପ୍ରଶାସନ ମଧ୍ୟ ଏକପ୍ରକାର ନିରବ ରହିଛି। କେତେକ ଅସାଧୁ କର୍ମଚାରୀଙ୍କ ପାଇଁ ଏହା ଆୟର ପନ୍ଥା ହୋଇଛି। ଯା’ଫଳରେ ବ୍ୟାପକ ରାଜସ୍ବ ହାନୀ ହେଉଛି। ଉପଖଣ୍ଡରେ ଚାଲିଥିବା ଏହି ବେଆଇନ ଇଟାଭାଟିକୁ ସଂପୂର୍ଣ୍ଣ ବନ୍ଦ କରିବା ସହିତ ଏହି କାର୍ଯ୍ୟରେ ଲିପ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି।

ସମ୍ବନ୍ଧିତ ଖବର