ରଣପୁର : ରଣପୁର ଓ ଆଖପାଖ ଅଞ୍ଚଳରେ ବେଧଡ଼କ ଭାବେ ବେଆଇନ ଇଟାଭାଟି ଚାଲିଥିବା ବେଳେ ପ୍ରଶାସନର ନିରବତା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଫଳରେ ଲୋକଙ୍କ କଷ୍ଟକୁ ଦ୍ବିଗୁଣିତ କରିପକାଇଛି। ତେବେ ବେଆଇନ ଇଟାଭାଟିମାନ ଚାଲୁଥିବା ଯୋଗୁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଦେଖିବାକୁ ମିଳିଛି। ତେବେ ପରିବେଶକୁ ପ୍ରଦୂଷଣମୁକ୍ତ କରିବା ପାଇଁ ରାଜ୍ୟ ସରକାର ନାନାଦି ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି। କିନ୍ତୁ ସରକାରୀ ବଡ଼ପଣ୍ତାଙ୍କ ମନମୁଖୀ କାର୍ଯ୍ୟ ଓ ରାଜନେତାଙ୍କ ଇଚ୍ଛାଶକ୍ତିର ଅଭାବ ଯୋଗୁ ଏହାର ଠିକ୍ ରୂପାୟନ ହେଉନଥିବା ଅଭିଯୋଗ ହେଉଛି। ଏ ନେଇ ଅଞ୍ଚଳବାସୀ ପ୍ରଶାସନକୁ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ ସ୍ଥାୟୀ ପ୍ରତିକାର ପରିବର୍ତ୍ତେ ମିଥ୍ୟା ପ୍ରତିଶ୍ରୁତି ଦେଇ ପୂର୍ବଭଳି ନିରବ ରହିଯାଉଥିବା ଅଭିଯୋଗ ହେଉଛି।

Advertisment

ଏହାର ଜ୍ବଳନ୍ତ ଉଦାଦରଣ ହେଉଛି, ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ୍‌ ଅନ୍ତର୍ଗତ ଶରଣକୁଳ-ପୁରୀ ନୂଆ ଜଗନ୍ନାଥ ସଡ଼କ। ଏହି ସଡ଼କ ପାର୍ଶ୍ବରେ ପ୍ରତିବର୍ଷ ଭଳି, ଚଳିତ ବର୍ଷ ପୁଣି ବହୁ ସଂଖ୍ୟାରେ ବେଆଇନ ଇଟାଭାଟି ଚାଲୁଥିବା ପରିଲକ୍ଷିତ ହୋଇଛି। ଫଳରେ ଜନଜୀବନ ସଂପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଥିବା ଜଣାପଡ଼ିଛି। ସୂଚନା ଥାଉକି, ରଣପୁର ବ୍ଲକ୍‌ ଅନ୍ତର୍ଗତ ସାନଗଡ଼, ବଜ୍ରକୋଟ, କୃଷ୍ଣଚନ୍ଦ୍ରପୁର, ଛତିପୁର, ଶଙ୍ଖମୂଳ, ହରିହରପୁର, ବାଉଁଶଗଡ଼, ଦର୍ପନାରାୟଣପୁର, ଖତିଆ, ଡମସାହି, ରଙ୍କଦେଉଳି ଆଦି ଗ୍ରାମର ମୁଖ୍ୟ ରାସ୍ତା ପାର୍ଶ୍ବରେ ବେଆଇନ ଇଟାଭାଟି ବହୁସଂଖ୍ୟାରେ ଚାଲୁଛି। ଏହି ଇଟାଭାଟି ମାଲିକମାନେ ରାସ୍ତାପାର୍ଶ୍ବରୁ ମାଟି ଆଣି ଇଟା ପକାଉଥିବାରୁ ରାସ୍ତାପାର୍ଶ୍ବରେ ଖାଲଖମା ସୃଷ୍ଟି ହେବା ସହିତ ଫସଲଯୋଗ୍ୟ ଭୂମି ମଧ୍ୟ ନଷ୍ଟ ହେଉଛି।  ସେହିପରି ସରକାରୀ କୂଅରୁ ପାଣି ବ୍ୟବହାର କରୁଥିବାରୁ ଶୀଘ୍ର କୂଅ ଶୁଖିଯାଉଛି। ଗ୍ରୀଷ୍ମ କାଳରେ ଲୋକେ ପାଣି ପାଇଁ ନାହିଁନଥିବା ହଇରାଣ ହେଉଥିବା ଅଭିଯୋଗ ହେଉଛି।

ଏହି ରାସ୍ତା ମୁଖ୍ୟତଃ ଶରଣକୁଳ-ପୁରୀ ନୂଆ ଜଗନ୍ନାଥ ସଡ଼କକୁ ସଂଯୋଗ କରୁଥିବାରୁ ପ୍ରତ୍ୟହ ହଜାରହଜାର ଗାଡ଼ିମୋଟର ଯାତାୟାତ କରିଥାନ୍ତି। ଫଳରେ ଅଞ୍ଚଳବାସୀ ଓ ସାଧାରଣ ପଥଚାରୀମାନେ ଇଟାଭାଟିରୁ ନିର୍ଗତ ଧୂଆଁରେ ନାନାଦି ରୋଗରେ ଶିକାର ହେଉଥିବା ଅଭିଯୋଗ ହେଉଛି। ଏପରିକି କିଛି ସରକାରୀ ବାବୁଙ୍କୁ ହାତକରି ଇଟାମାଫିଆମାନେ ଏହି ବେଆଇନ ଭାଟି ଚଳାଉଥିବା ଅଭିଯୋଗ ହେଉଛି। ତୁରନ୍ତ ଏହାକୁ ବନ୍ଦ କରିବାକୁ ବିଭିନ୍ନ ସାମାଜିକ ସଂଗଠନ ତରଫରୁ ପ୍ରଶାସନ ନିକଟରେ ଦାବି ହେଉଛି। ତେବେ ଏଭଳି ବେଆଇନ ଇଟାଭାଟିଗୁଡ଼ିକୁ ତୁରନ୍ତ ବନ୍ଦ କରାଯିବା ସାଙ୍ଗକୁ ଇଟାଭାଟି ଚଲାଉଥିବା ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନସ୍ବରୂପ ଅଦ୍ୟାବଧି ଦର୍ପନାରାୟଣପୁର ଓ ବାଉଁଶଗଡ଼ ଆର୍‌.ଆଇ ସର୍କଲ ଅଧୀନ ୧୫ଟି ଅଞ୍ଚଳରେ ଚଢ଼ଉ କରାଯାଇଥିବା ବେଳେ ଅନ୍ୟ ବେଆଇନ ଇଟାଭାଟି ଉପରେ ନଜର ରଖାଯାଇଛି ବୋଲି ତହସିଲଦାର ଇପ୍‌ସିତ କୁମାର ସାହୁ କହିଛନ୍ତି।