ରଣପୁର : ରଣପୁର ଏନ୍‌ଏସି ଅଞ୍ଚଳରେ କିଛି ମୁଷ୍ଟିମେୟ ଲୋକ ସରକାରୀ ଜମିରେ ଜୋର୍‌ଜବରଦସ୍ତ ଗୃହ ନିର୍ମାଣ କରିବା ସାଙ୍ଗକୁ ଶାଗ ମାଛ ଦରରେ ବିକ୍ରି କରି ଚାଲିଛନ୍ତି। ବିଶେଷ କରି ସରକାରୀ ରାସ୍ତାକୁ ପ୍ଲଟିଂ କରି ବିକ୍ରି କରିଚାଲିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଥିବା ଦେଖିବାକୁ ମିଳିଛି। ସୂଚନା ଥାଉକି, ନବ ଗଠିତ ରଣପୁର ଏନ୍‌ଏସି ରେ ଦୀର୍ଘ ଦିନ ଧରି ମୁଷ୍ଟିମେୟ ଲୋକ ସରକାରୀ ଜମିକୁ ଜୋର୍‌ଜବରଦସ୍ତ ଅକ୍ତିଆର କରି ରଖିବା ସାଙ୍ଗକୁ ବିକ୍ରି କରିଚାଲିଛନ୍ତି। ଫଳରେ ସାଧାରଣ ଲୋକଙ୍କ ଯାତାୟାତରେ ବ୍ୟାପକ ବ୍ୟାଘାତ ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଏ ନେଇ ଅଞ୍ଚଳବାସୀ ପ୍ରଶାସନ ନିକଟରେ ବାରମ୍ବାର ଜଣାଇ ଆସୁଥିଲେ ମଧ୍ୟ କୌଣସି ପ୍ରତିକାର ହେଉନଥିବା ଅଭିଯୋଗ ହୋଇଆସୁଛି। ବିଶେଷ କରି ୧୨ ନମ୍ବର ୱାର୍ଡ ନୂଆଗାଁ ପ୍ରମୁଖ ରାସ୍ତାକୁ ସଂଯୋଗ କରୁଥିବା ଘଡେଇ ସାହି ସମ୍ମୁଖ ରାସ୍ତା ଉପରେ ଜୋର୍‌ ଜବରଦସ୍ତ ଗୃହ ନିର୍ମାଣ କରାଯାଇଥିବା ଅଭିଯୋଗ ହେଉଛି। ଏପରିକି ଉକ୍ତ ପ୍ରଶସ୍ତ ରାସ୍ତାକୁ କିଛି ମୁଷ୍ଟିମେୟ ଲୋକ ପ୍ଲଟିଂ କରି ବିକ୍ରି କରିଚାଲିଛନ୍ତି। ଜାଗା କିଣିଥିବା ଲୋକେ ଏବେ ଗୃହ ନିର୍ମାଣ କରିଚାଲିଛନ୍ତି। ଫଳରେ ଏହା ଉପରେ ନିର୍ଭର କରୁଥିବା ୱାର୍ଡ ବାସିନ୍ଦା ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପରିଲକ୍ଷିତ ହୋଇଛି। ଏ ନେଇ ବିଭାଗୀୟ ଅଧିକାରୀଙ୍କୁ ୱାର୍ଡ ବାସିନ୍ଦାମାନେ ବାରମ୍ବାର ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଜଣାଯାଇଛି।

Advertisment

ସୂଚନା ଥାଉକି, ରଣପୁର ଏନ୍‌ଏସି ୧୨ ନମ୍ବର ୱାର୍ଡର ଘଡ଼େଇ ସାହି ସମ୍ମୁଖ ନବଗଠିତ ନୂଆସାହି ରାସ୍ତା ଦୀର୍ଘ ଓସାର ଥିବା ସ୍ଥଳେ ଜଣେ ଜବରଦଖଲକାରୀ ରାସ୍ତା ମଧ୍ୟରେ ଜୋର୍‌ ଜବରଦସ୍ତ ଗୃହ ନିର୍ମାଣ କରିଛନ୍ତି। ତେବେ ଏହି ନୂଆସାହିର ବାସିନ୍ଦାମାନେ ଯାତାୟାତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ଜରୁରିକାଳୀନ ସେବା ଯଥା ଆମ୍ବୁଲାନ୍ସ, ଦମକଳ ଗାଡ଼ି ସେହି ରାସ୍ତା ଦେଇ ଯିବା ଅସମ୍ଭବ ହୋଇପଡିଛି। ସେହି ରାସ୍ତା ଦେଇ ଗ୍ରାମବାସୀଙ୍କ ଇଟା, ପଥର ଓ ବାଲି ଗାଡ଼ି ପ୍ରବେଶ କରିପାରୁ ନଥିବା ଅଭିଯୋଗ ହୋଇଛି। ସେହିପରି ୧୫ ନମ୍ବର ୱାର୍ଡ ମଙ୍ଗରାଜପୁର ସେସ୍କୋ ଅଫିସ୍‌ ନିକଟରେ ଜବରଦଖଲ, ଗୃହ ନିର୍ମାଣ, ରଘୁଦିବାକର ଆସୋସିଏସନ ପଛପଟ ସରକାରୀ ରାସ୍ତାରେ ଗୃହ ନିର୍ମାଣ, ଏପରିକି ଏନ୍‌ଏସିର ଅଧିକାଂଶ ୱାର୍ଡର ସାହି ରାସ୍ତାରେ ଜବରଦଖଲ ଗୃହ ନିର୍ମାଣ ହେଉଥିବା ବେଳେ ପ୍ରଶାସନର ନିରବତା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଚ୍ଚନା ନାୟକ କହିଛନ୍ତି। ବିଶେଷ କରି ୧୨ ନମ୍ବର ୱାର୍ଡ ନୂଆସାହି ରାସ୍ତା ଜବରଦଖଲ ଉଚ୍ଛେଦ ଖୁବ୍ ଶୀଘ୍ର କରାଯିବ ବୋଲି ସେ ଜଣାଇଛନ୍ତି। ଅପରପକ୍ଷେ ତୁରନ୍ତ ଏହାର ପ୍ରତିକାର କରିବାକୁ ପ୍ରଶାସନ ନିକଟରେ ଦାବି ହେଉଛି। ଅନ୍ୟଥା ଲୋକେ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି ଚେତାବନୀ ଦେଇଥିବା ଜଣାଯାଇଛି।