ରା.ଉଦୟଗିରି : ୧୩ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟୟରେ ଗଜପତି ଜିଲ୍ଲା ରାମଗିରି ନୂଆସାହି ୱାର୍ଡରେ କେନ୍ଦ୍ରୀୟ ବିଦ୍ୟାଳୟ ନିର୍ମାଣ କାମ ଚାଲିଛି। ଚୁକ୍ତି ଅନୁଯାୟୀ ଏଥିରେ ୪୩ଗ୍ରେଡ଼ ଅଲଟ୍ରାଟେକ ସିମେଣ୍ଟ ଏବଂ ଏକ୍ସକାଭେଟେଡ ବାଲି ବ୍ୟବହାର ହେବା କଥା। ତେବେ ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ପାଇଥିଲେ ଅଞ୍ଚଳବାସୀ। ଶୂନଶାନ ନିର୍ଜନ ସ୍ଥାନରେ ଦିନରେ ଛାତ ପଡିବା ବଦଳରେ ରାତିରେ ଛାତ ପକାଯାଉଛି। ଏଭଳି ଅଭିଯୋଗ ପାଇ ଗତକାଲି ରାମଗିରିର ଯୁବଗୋଷ୍ଠୀ ଘଟଣାସ୍ଥଳକୁ ଯାଇ ଖରାପ ବାଲି ଓ ୪୩ ଗ୍ରେଡ଼ ଠାରୁ କମ୍‌ମାନର ସାଗର ସିମେଣ୍ଟ ବ୍ୟବହାର ହେଉଥିବା ଦେଖିବାକୁ ପାଇଥିଲେ।

Advertisment

publive-image

କାମ ବନ୍ଦ କରି ଏସବୁ ବଦଳାଇ ସଠିକ ସାମଗ୍ରୀ ବ୍ୟବହାର କରିବା ପାଇଁ ତାଗିଦ କରିଥିଲେ ଲୋକେ। ତେବେ ଏହାର ଖିଲାପ କରି ଆଜି ମଧ୍ୟ ନିମ୍ନମାନର ସାମଗ୍ରୀରେ କାମ ଚାଲୁଥିବା ୧୨ନଂ ଜିଲ୍ଲା ପରିଷଦ ସଭ୍ୟ ଦଣ୍ଡପାଣି ବଡମୁଣ୍ଡି ଏବଂ ସରପଞ୍ଚ ସସ୍ମିତା କାର୍ଜି ଦେଖିବାକୁ ପାଇଥିଲେ । ଠୁଳ ହୋଇଥିବା ୩୦୦/୪୦୦ ବସ୍ତା ସାଗର କଂପାନିର ସିମେଣ୍ଟ ଏବଂ ଅତ୍ୟନ୍ତ ଖରାପ ବାଲି ନିଜେ ଦେଖିଥିଲେ । କେନ୍ଦ୍ରୀୟ ଅନୁଦାନରେ ଚାଲିଥିବା ଏହି କାମରେ ଭବିଷ୍ୟତରେ କିଛି ଅଘଟଣ ଘଟିବା ଆଶଙ୍କା କରି ରାମଗିରି ଅଞ୍ଚଳବାସୀ ତୁରନ୍ତ କାମ ବନ୍ଦ କରିବା ପାଇଁ ତାଗିଦ କରିଥିଲେ। କିଛି ପଚାରିବା ପୂର୍ବରୁ ସ୍ପଟ ଇନଚାର୍ଜ ସବ୍ୟସାଚୀ ଦାସ ସ୍ଥାନ ଛାଡି ଚାଲିଯିବାରୁ ସମସ୍ତେ ଉତ୍ତ୍ୟକ୍ତ ହୋଇଯାଇଥିଲେ ଏବଂ ତାଙ୍କ ଘରକୁ ଯାଇ ଏସବୁ ସାମଗ୍ରୀ କାହିଁକି ବ୍ୟବହାର ହେଉଛି ପଚାରିଥିଲେ ମଧ୍ୟ କୌଣସି ସନ୍ତୋଷଜନକ ଉତ୍ତର ପାଇନଥିଲେ।

publive-image

ଏନେଇ ରାମଗିରି ଥାନାରେ ତାଙ୍କ ବିରୋଧରେ ଏକ ଏତଲା ମଧ୍ୟ ଦେଇଥିଲେ ଅଞ୍ଚଳବାସୀ। କେନ୍ଦ୍ରୀୟ ଅନୁଦାନରେ ଚାଲିଥିବା ଏହି କାମରେ ଯେକୌଣସି ପରିସ୍ଥିତିରେ ମଧ୍ୟ ଦୁଇ ନମ୍ବର ସିମେଣ୍ଟ କିମ୍ବା ବାଲି ବ୍ୟବହାର ହୋଇପାରିବ ନାହିଁ ବୋଲି ପ୍ରୋଜେକ୍ଟ ଇନଚାର୍ଜ ସୁଦୀପ ସ୍ପଷ୍ଟ କରିଥିଲେ। ଯଦି ହୋଇଛି ତେବେ ଏହା ଭୁଲ ହୋଇଛି ଏବଂ ୨/୩ଦିନ ମଧ୍ୟରେ ଏହାକୁ ହଟାଇ ଅସଲି ସାମଗ୍ରୀ ବ୍ୟବହାର କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଇଥିଲେ। ଏତେଦିନ ହେଲା ସବୁକିଛି ଚାଲିଥିଲେ ମଧ୍ୟ ଏନେଇ ମୁଁ କିଛି ଜାଣିନି, ଯଦି ୨ନମ୍ବର ସିମେଣ୍ଟ ବ୍ୟବହାର ହୋଇଛି ତେବେ ତାହା ହଟାଇ ଦିଆଯିବ ଏବଂ ୧୩କୋଟି ଟଙ୍କାର ପ୍ରକଳ୍ପ ସରିବା ପର୍ଯ୍ୟନ୍ତ ଲୋକଙ୍କୁ ଅଭିଯୋଗ କରିବାକୁ ସୁଯୋଗ ଦେବୁନି ବୋଲି ଠିକାଦାର ନିତ୍ୟାନନ୍ଦ ପାଢ଼ୀ କହିଥିଲେ। ତେବେ ଯୁବଗୋଷ୍ଠୀଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧିଙ୍କ ଅଭିଯୋଗ ଥିଲା ଯେଉଁଥିରେ ଏସବୁ ବ୍ୟବହାର ହୋଇସାରିଛି ସେଗୁଡିକୁ କଣ କରାଯିବ। ଏନେଇ ସବିଶେଷ ବିବରଣୀ ଫୋନ ଯୋଗେ ଜିଲ୍ଲାପାଳଙ୍କୁ ମଧ୍ୟ ଜଣାଇଥିଲେ ସରପଞ୍ଚ ସସ୍ମିତା କାର୍ଜି। ପିଲାଙ୍କ ସୁରକ୍ଷା ଦୃଷ୍ଟିକୋଣରୁ ଯେଉଁ ଯେଉଁ ସ୍ଥାନରେ ଏସବୁ ବ୍ୟବହାର ହୋଇଛି ସେସବୁ ତଦନ୍ତ କରାଯାଇ ନୂତନ ଭାବେ କରାଯାଉ ବୋଲି ଅଞ୍ଚଳବାସୀ ଦାବି କରିଥିଲେ।