ରଣପୁରରେ ବ୍ୟାପକ ମାତ୍ରାରେ ଚାଲିଛି ନିଶାଦ୍ରବ୍ୟ କାରବାର : ନିଶାଖୋର୍‌ ଯୁବକଙ୍କ ଦୌରାତ୍ମ୍ୟରେ ଜନଜୀବନ ଅସ୍ତବ୍ୟସ୍ତ, ବଢୁୁଛି ଚୋରି, ଡକାୟତି, ରାହାଜାନୀ

ରଣପୁର : ଦୀର୍ଘ ଦିନ ଧରି ରଣପୁର ଓ ଆଖପାଖ ଅଞ୍ଚଳରେ ନିଶା ବେପାରୀଙ୍କ କାରବାର ବ୍ୟାପକ ମାତ୍ରାରେ ବଢ଼ିଚାଲିଛି। ତେବେ ଯୁବ ପିଢି ନାନାଦି ନିଶା ଖାଇ ଚୋରି, ଡକାୟତି, ରାହାଜାନୀ ଆଦି ଘଟଣାମାନ ପ୍ରତ୍ୟହ ଘଟାଉଥିବା ବେଳେ ଏହାକୁ ରୋକିବା ଦିଗରେ ଅବକାରୀ ବିଭାଗ ସଂପୂର୍ଣ୍ଣ ଫେଲ୍ ମାରିଥିବା ଦେଖିବାକୁ ମିଳିଛି। ନିଶାଖୋର୍‌ ଯୁବକଙ୍କ ଦୌରାତ୍ମ୍ୟ ଚରମ ସୀମାରେ ପହଞ୍ଚିଥିବା ବେଳେ ସାଧାରଣରେ ଜନଜୀବନ ଅସହ୍ୟ ହୋଇପଡିଥିବା ଜଣାଯାଇଛି।

Healthline

ସୂଚନା ଥାଉକି, ଖୋର୍ଦ୍ଧା ଜିଲ୍ଲା ଗୁରୁଜଙ୍ଗ ଅଞ୍ଚଳର ବ୍ରାଉନ୍‌ ସୁଗାର ମାଫିଆ ରଣପୁର ଅଞ୍ଚଳରେ ମାତିଥିବା‌ ବେଳେ ବ୍ରାଉନସୁଗାର ନିଶା ଜାଲରେ ଯୁବ ପିଢି ଛନ୍ଦି ହୋଇ ପଡ଼ିଛନ୍ତି। ସେହିପରି ରଣପୁରରେ ହାତରନ୍ଧା ଦେଶୀ ମଦ ଓ ଆସ୍କା–୪୦ ବ୍ୟାପକ ମାତ୍ରାରେ ଚୋରା କାରବାର ହେଉଥିବା ବେଳେ ଅବକାରୀ ବିଭାଗ ସବୁ ଦେଖି ନିରବଦ୍ରଷ୍ଟା ସାଜିଛି। ଏପରିକି ଉକ୍ତ ଅସାଧୁ ବେପାରୀଙ୍କଠାରୁ ମାସିକିଆ ବଟି ନେଇ ଛାଡିଦେଉଥିବା ସାଧାରଣରେ ଅଭିଯୋଗ ହେଉଛି। ସେହିପରି ଦାଣ୍ତସାହି, ସାମୁକାସାହି, ଗୋଡିପାଟଣାସାହି, ନୂଆଗାଁ, ଗୋପାଳପୁର, ସୁନାଖଳା ଆଦି ଅଞ୍ଚଳରେ ଚଳିତ ସପ୍ତାହରେ ସିରିଜ ଚୋରି ଘଟଣା ଏବେ ପୁଲିସ୍‌ର ନିଦ ହଜାଇ ଦେଇଛି। ସେହିପରି ନିଶାଖୋର୍‌ ଯୁବକମାନେ ଦିନଦ୍ବିପ୍ରହରେ ରାଜରାସ୍ତାରେ ମହିଳା ଓ କଲେଜ ଛାତ୍ରୀଙ୍କୁ ଅଶାଳୀନ ବ୍ୟବହାର କରିବା ସାଙ୍ଗକୁ ରାହାଜାନୀ କରିଚାଲିଛନ୍ତି। ଏ ନେଇ ସାଧାରଣ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଥିବା ବେଳେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ଏସବୁ ରୋକିବା ଦିଗରେ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର