ଗୋପାଳପୁର : ବେଆଇନ ଭାବେ ଚାଲିଥିବା ଏକ ଗ୍ୟାସ୍ ଗୋଦାମରେ ବିସ୍ଫୋରଣ ଘଟି ଘର କାନ୍ଥ ଭୁଶୁଡ଼ି ପଡ଼ିବା ସହ ବାପା ଓ ପୁଅ ଆହତ ହୋଇଥିବା ଜଣାଯାଇଛି। ଆହତ ଦେବରାଜ ନାୟକଙ୍କ ଅବସ୍ଥା ଗୁରୁତର ଥିବା ବେଳେ ତାଙ୍କ ପୁଅ ଅଶୋକ ଆହତ ହୋଇଥିବା ସୂଚନା ମିଳିଛି। ଗୋପାଳପୁର ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମର ଠାକୁରାଣୀ ମନ୍ଦିର ସାହିରେ ରହୁଥିବା ଦେବରାଜ ନାୟକଙ୍କ ନିଜ ଘରେ କରିଥିବା ଗ୍ୟାସ୍ ଗୋଦାମରେ ଏଭଳି ବିସ୍ଫୋରଣ ହୋଇଥିବା ଜଣାଯାଇଛି। ଗ୍ରାମର ଦେବରାଜ ଏବଂ ତାଙ୍କ ଦୁଇ ପୁଅ ଅଶୋକ ଓ ଦୌତାରି ଘରୋଇ ଗ୍ୟାସ୍ ଓ କମର୍ସିଆଲ୍ ଗ୍ୟାସ୍ ସିଲିଣ୍ଡର ବ୍ୟବସାୟ କରୁଥିଲେ।
ଆଜି ସକାଳ ପ୍ରାୟ ସାଢ଼େ୧୦ଟା ବେଳେ କୌଣସି କାରଣରୁ ହଠାତ୍ ବିସ୍ଫୋରଣ ହୋଇ ପ୍ରଚଣ୍ଡ ଶବ୍ଦ ହେବା ସହ ନିଆଁ ଲାଗିଯାଇଥିଲା। ବିସ୍ଫୋରଣ ଏତେ ଜୋର ଥିଲା ଯେ ଘରର କାନ୍ଥ ଭୁଶୁଡ଼ି ପଡିଥିଲା। ବିସ୍ଫୋରଣରେ ଦେବରାଜ ଏବଂ ସାନ ପୁଅ ଅଶୋକ ଗୁରୁତର ଭାବେ ଆହତ ହୋଇଥିଲେ। ଉଭୟଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ପଠାଯାଇଥିଲା। ସେଠାରୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି।
ବିସ୍ଫୋରଣ ପରେ ଘରେ ନିଆଁ ଲାଗିଯାଇଥିବାରୁ ବ୍ରହ୍ମପୁର ଅଗ୍ନିଶମ ବିଭାଗକୁ ଖବର ଦିଆଯାଇଥିଲା। ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ବନ୍ଦ କୋଠରୀ ମଧ୍ୟରେ ଗ୍ୟାସ୍ ହାଣ୍ଡି ଲିକେଜ୍ ଥିବା ଯୋଗୁଁ ଏଭଳି ବିସ୍ଫୋରଣ ହୋଇଥିବା ସହକାରୀ ଅଗ୍ନିଶମ ଅଧିକାରୀ ସନ୍ତୋଷ ପାଣିଗ୍ରାହୀ କହିଛନ୍ତି। ଘଟଣା ପରେ ଯୋଗାଣ ବିଭାଗର ଏସିଏସ୍ଓ ସକଳେଶ୍ବର ଦାଶ, ଏମ୍ଆଇ ରଂଜନ କୁମାର ସେଠୀ, ସ୍ନେହା ବେହେରା, ସଦର ଏସ୍ଡିପିଓ ଶିବଶଙ୍କର ମହାପାତ୍ର, ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀ ପ୍ରମୁଖ ପହଞ୍ଚି ତଦନ୍ତ କରିବା ସହ ଘର ଭିତରୁ ୬୭ଟି ଛୋଟ ଓ ବଡ଼ ଗ୍ୟାସ୍ ସିଲିଣ୍ଡର ସହ ପରିବହନ ପାଇଁ ବ୍ୟବହୃତ ଗାଡ଼ିକୁ ଜବତ କରିଛନ୍ତି। ଗୋପାଳପୁର ଥାନା ପୁଲିସ ଦେବରାଜଙ୍କ ବଡ଼ପୁଅ ଦୈତାରିଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି। ଏନେଇ ଗୋପାଳପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ବିନା ଲାଇସେନ୍ସରେ ଗ୍ୟାସ୍ ସିଲିଣ୍ଡର ଆଣି ନିଜ ଘରେ ଗଚ୍ଛିତ କରି ବ୍ୟବସାୟ କରୁଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/16-18.jpg)