ବହି ବଣ୍ଟନରେ ଅନିୟମିତତା

ଯଖପୁରା: ଦାନଗଦୀ ବ୍ଲକ୍‌ ଅନ୍ତର୍ଗତ ମାଣତିରା ସରକାରୀ ଉଚ୍ଚବିଦ୍ୟାଳୟରେ ହରିଜନ ଓ ଆଦିବାସୀ ଛାତ୍ରଛାତ୍ରୀଙ୍କ ପାଇଁ ଆସିଥିବା ବହି ବଣ୍ଟନ କରାଯାଉନଥିବା ଅଭିଯୋଗ ହୋଇଛି। ଏହାକୁ ନେଇ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କଳିଙ୍ଗନଗର ଶିଳ୍ପାଞ୍ଚଳରେ ଏହି ପ୍ରମୁଖ ଶିକ୍ଷାନୁଷ୍ଠାନର ନବମ ଶ୍ରେଣୀରେ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୧୦୪ ଓ ଦଶମ ଶ୍ରେଣୀରେ ୭୯। ନବମ ଶ୍ରେଣୀରେ ଆଦିବାସୀ ଓ ହରିଜନ ଛାତ୍ରଛାତ୍ରୀଙ୍କ ସଂଖ୍ୟା ୩୮।

ହେଲେ ୮୨ଜଣ ଛାତ୍ରଛାତ୍ରୀଙ୍କ ପାଇଁ ସରକାର ବହି ଯୋଗାଇ ଦେଇଛନ୍ତି। ସେପ୍ଟେମ୍ବର ମାସ ତୃତୀୟ ସପ୍ତାହରୁ ବହି ଆସିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ବଣ୍ଟନ ହୋଇନାହିଁ। ଆସନ୍ତା ୨୭ ତାରିଖରେ ପରୀକ୍ଷା ହେବ। ଏଯାଏ ମାତ୍ର ୭/୮ ଜଣ ଛାତ୍ରଛାତ୍ରୀଙ୍କୁ ଅନ୍ୟ ଏକ ଶିକ୍ଷା ଓ ପରିପୂରଣ କାର୍ଯ୍ୟକ୍ରମ ବହି ବଣ୍ଟନ କରାଯାଇଥିବା ସୂଚନା ମିଳିଛି। ହେଲେ ବହି ନଥିବା କାରଣରୁ ଅଧିକାଂଶ ଏହି ବର୍ଗର ପିଲା ପାଠ ପଢ଼ିବାରୁ ବଞ୍ଚିତ ହେଉଛନ୍ତି। ୩୮ ଛାତ୍ରଛାତ୍ରୀଙ୍କ ସ୍ଥାନରେ ୮୨ ବହି ଆଣିବା ଓ ଏହାକୁ ନବାଣ୍ଟିବା ପଛରେ କ’ଣ କାରଣ ରହିଛି ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି। ଏସମ୍ପର୍କରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ରମେଶ ଚନ୍ଦ୍ର ସାହୁଙ୍କ ସହ ଯୋଗାଯୋଗ କରିବାରୁ, ଶ୍ରେଣୀ ଶିକ୍ଷକଙ୍କୁ ଦାୟିତ୍ବ ଦିଆଯାଇଥିଲା। ଦଶହରା ଛୁଟି ପଡ଼ିବାରୁ ପିଲାମାନଙ୍କୁ ସଠିକ ଭାବେ ଏହି ବଣ୍ଟନ କରାଯାଇପାରିନାହିଁ ବୋଲି ସ୍ବୀକାର କରିଛନ୍ତି। ଆସନ୍ତାକାଲି ସେ ବିଦ୍ୟାଳୟକୁ ଗଲେ ଏହାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର