ନୟାଗଡ଼ : ନୟାଗଡ଼ ସହର ବିଶେଷ କରି ଖଣ୍ଡପଡ଼ା ରୋଡ୍ରେ ଥିବା ବିଭିନ୍ନ ହୋଟେଲରେ ମଦୁଆଙ୍କ ଆଡ଼ା ଜମୁଛି। ଖୋଲାଖୋଲି ସନ୍ଧ୍ୟା ସମୟରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଏସବୁ ସ୍ଥାନରେ ମଦ ପିଆ ଚାଲିଛି। ଏହି ସାଧାରଣ ହୋଟେଲ ସବୁ ଅତ୍ୟନ୍ତ ଚତୁରତାର ସହିତ ମଦ୍ୟ ନିଷେଧ ବୋଲି କାନ୍ଥରେ ଲେଖିଥିବା ବେଳେ, ଭିତରେ କିନ୍ତୁ ଜୋରଦାର୍ କାରବାର ଚଳାଇଛନ୍ତି। ଯେଉଁଥି ପାଇଁ ସାଧାରଣ ଲୋକମାନେ ଏହି ହୋଟେଲ୍ ସବୁକୁ ଖାଇବାକୁ ଯିବାକୁ ଭୟ କରୁଛନ୍ତି। ଏଭଳି ବେଆଇନ ମଦ କାରବାର କରିବାକୁ କିଏ ଏହି ହୋଟେଲଗୁଡ଼ିକୁ ଅନୁମତି ଦେଇଛି ବୋଲି ସଚେତନ ନାଗରିକମାନେ ପ୍ରଶ୍ନ ଉଠାଇଛନ୍ତି। ନୟାଗଡ଼ ପୁଲିସ, ଅବକାରୀ ବିଭାଗର ଅଗୋଚରରେ ଏହି କାରବାର ଚାଲିଥିବା ବିଶ୍ବାସ କରି ହେଉନାହିଁ। ସାଧାରଣ ଗ୍ରାହକଟିଏ ଏଭଳି କାରବାର ଦେଖି ଜାଣି ପାରୁଥିବା ବେଳେ ନୟାଗଡ଼ ପୁଲିସ ତଥା ଅବକାରୀ ବିଭାଗ କିଭଳି ଜାଣିପାରୁନାହିଁ; ନା ଜାଣି ଅଜଣା ହେଉଛି! ପୁଲିସ, ଅବକାରୀ ବିଭାଗ ଓ ହୋଟେଲ ମାଲିକମାନଙ୍କ ମଧୁଚନ୍ଦ୍ରିକାରେ ଏଭଳି ଚାଲିଥିବା ଚର୍ଚ୍ଚା ହେଉଛି। ବିଭିନ୍ନ ଗଳିକନ୍ଦିରୁ ଦେଶୀମଦ ପୁଲିସ ତଥା ଅବକାରୀ ବିଭାଗ ଧରି ପାରୁଥିବା, ଏସି ଲଗାଇ ମଦୁଆ ଗ୍ରାହକଙ୍କ ପାଇଁ ସ୍ବତନ୍ତ୍ର କ୍ୟାବିନ କରି ଫ୍ୟାମିଲି ହୋଟେଲରେ ବିଦେଶୀ ମଦ ପରଷା ଯାଉଥିବା ଗ୍ରାହକ ଓ ମାଲିକଙ୍କୁ କିଭଳି ପୁଲିସ ଧରିପାରୁନି?
/sambad/media/post_attachments/wp-content/uploads/2019/09/alco-300x169.jpg)
ଖୋଦ୍ ଜିଲ୍ଲା ସଦର ମହକୁମାରେ ଏଭଳି ସ୍ଥିତି ହୋଇଥିବା ବେଳେ ଅନ୍ୟ ବ୍ଲକ୍, ପୌରାଞ୍ଚଳର ସ୍ଥିତି ସଙ୍ଗୀନ ଅବସ୍ଥାରେ ରହିଛି। ନୟାଗଡ଼ ପୁଲିସ୍ କିଛି ହୋଟୋଲ ମାଲିକଙ୍କ ସହିତ ହାତଗୁଞ୍ଜା କାରବାର ଚଳାଇଥିବା ଅଭିଯୋଗ ଆସିଛି। ଯେଉଁଥି ପାଇଁ ଏଭଳି ବେଆଇନ କାରବାରକୁ ପୁଲିସ ପ୍ରଶୟ ଦେଉଛି ବୋଲି କୁହାଯାଉଛି। ସାଧାରଣ ହୋଟେଲ କରିବାକୁ ଅନୁମତି ନେଇଥିବା ଏହି ହୋଟେଲ ଗୁଡ଼ିକ କିଭଳି ଠିପି ଖୋଲା ବାର୍ରେ ନିଜ ହୋଟେଲକୁ ପରିଣତ କରୁଛନ୍ତି? ଏହା ପଛରେ କେଉଁ କେଉଁ ପୁଲିସ ତଥା ଅବକାରୀ ବିଭାଗ କର୍ମଚାରୀଙ୍କ ହାତ ରହିଛି, ସେସବୁର ଧରପଗଡ଼ କରିବାକୁ ନୟାଗଡ଼ର ମଦ ବିରୋଧୀ ସାମାଜିକ କର୍ମୀମାନେ ମତ ଦେଇଛନ୍ତି। କେବଳ ଏତିକି ନୁହେଁ, ନୟାଗଡ଼ ଟାଉନରେ ଥିବା ମଦ ଦୋକାନଗୁଡ଼ିକ ମଧ୍ୟ ବିଳମ୍ବିତ ରାତି ପର୍ଯ୍ୟନ୍ତ ଖୋଲା ରହୁଛି। ବିଭିନ୍ନ ଅପରାଧ ଘଟାଇବା ପଛରେ ମଦ୍ୟ ମୁଖ୍ୟ କାରଣ ସାଜୁଥିବା ବେଳେ, କିଭଳି ଏତେ ସହଜରେ ଏହା ସବୁ ଜାଗାରେ ଉପଲବ୍ଧ ହେଉଛି? ପୁଲିସ ପାଟ୍ରୋଲିଂ କଲା ବେଳେ ଏହା କିପରି ନଜରରେ ପଡ଼ୁନି? କିଛି ମାସ ତଳେ ନୟାଗଡ଼ ଖଣ୍ଡପଡ଼ା ରୋଡ୍ରେ ଥିବା ହୋଟେଲରେ କଟକ ଅବକାରୀ ବିଭାଗର ଅଧିକାରୀ ଆସି ମଦ ଧରିଥିବାର ନଜିର ରହିଛି। କିନ୍ତୁ କିଭଳି ନୟାଗଡ଼ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ କାର୍ଯ୍ୟଳୟ ତଥା ପୁଲିସ ଏହି ହୋଟେଲଗୁଡ଼ିକ ଉପରେ ଚଢ଼ଉ କରିପାରୁନି, ତାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ରୋଡ୍ରେ ନୟାଗଡ଼ ଟାଉନ ରେଳ ଷ୍ଟେସନକୁ ବହୁ ଯାତ୍ରୀ ଯାତାୟାତ କରୁଛନ୍ତି। ତେଣୁ ଉକ୍ତ ଅଞ୍ଚଳରେ ମଦୁଆଙ୍କର ଏଭଳି ଖୋଲାଖୋଲି ଆଚରଣକୁ ସଭିଏଁ ନାପସନ୍ଦ କରିଛନ୍ତି। ଏଥିନେଇ ଟାଉନ ଥାନା ପୁଲିସ ଓ ଅବକାରୀ ବିଭାଗ ଦୃଷ୍ଟି ଦେବାକୁ ଦାବି ହୋଇଛି। ସାଧାରଣ ହୋଟେଲ୍ ସବୁରେ ମଦ ପରିବେଷଣକୁ କଡାକଡି କରିବା ପାଇଁ ଜିଲ୍ଲାପାଳ ଏବଂ ଏସ୍ପି ସ୍ବତନ୍ତ୍ର ଭାବେ ଧ୍ୟାନ ଦେବାର ଆବଶ୍ୟକତା ରହିଛି ବୋଲି ସ୍ଥାନୀୟ ବୁଦ୍ଧିଜୀବୀ ମତ ଦେଇଛନ୍ତି।