ରାୟଗଡ଼ା: ଜିଲ୍ଲାରେ ବଢ଼ି ଚାଲିଛି ବେଆଇନ ପଥର ଖାଦାନ କାରବାର। ବିଶେଷ ଭାବେ ପଥର, ମୋରମ ଓ ବାଲି ଚୋରା ଚାଲାଣ ସାଧାରଣ ଘଟଣା ହୋଇଗଲାଣି। ଜିଲ୍ଲାର ପ୍ରତ୍ୟେକ ତହସିଲ ଅଂଚଳରେ ଏହି କାରବାର ବଢ଼ିବାରେ ଲାଗିଛି। ମାଫିଆମାନେ ସରକାରଙ୍କୁ କୋଟି କୋଟି ଟଙ୍କାର ରାଜସ୍ୱ ଫାଙ୍କି ଏହି ଚୋରା କାରବାର କରୁଛନ୍ତି। ତେବେ ଏହାର ମୁଖ୍ୟ କାରଣ ହେଉଛି ତହସିଲ କର୍ମଚାରୀଙ୍କ ବ୍ୟକ୍ତିଗତ ସ୍ୱାର୍ଥ ସାଙ୍ଗକୁ ଅବହେଳା। ଏହିଭଳି ଏକ ବେଆଇନ କାର୍ଯ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ସଦର ମହକୁମା ଠାରୁ ମାତ୍ର ୨ କିମି ଦୂରରେ। ଜିଲ୍ଲାପାଳ କାର୍ଯ୍ୟାଳୟ ଠାରୁ ମାତ୍ର ଅଳ୍ପ ଦୂରରେ ଚାଲିଛି ବେଆଇନ ପଥର ଖାଦାନ। ବିନା ଅନୁମତିରେ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଏହି ଖାଦାନରୁ ପଥର ଲୁଟି ନେଉଥିବା ଜଣାପଡିଛି। ପ୍ରତିଦିନ ଶତାଧିକ ସିଏମ ପଥର ଖନନ ହୋଇ ଚାଲାଣ ହେଉଛି।

Advertisment

ସୂଚନା ଅନୁଯାୟୀ, ରାୟଗଡ଼ା ତହସିଲ ଅନ୍ତର୍ଗତ ଧୁମାଗୁଡ଼ା ମୌଜାର ଖାତା ନମ୍ବର ୨୭ର ପ୍ଲଟ ନମ୍ବର ୧୭୧ରେ ଏହି ବେଆଇନ ପଥର ଖନନ ଚାଲିଛି।ସରକାରୀ ରେକର୍ଡ଼ ଅନୁଯାୟୀ ଏହି ପ୍ଲଟ ପ୍ରାୟ ୧୨ ଏକର ପରିମିତ ଏବଂ ପାହାଡ଼ କିସମ ବୋଲି ଉଲ୍ଲେଖ ରହିଛି। ଏହି ବିରାଟ କାୟ ପାହାଡ଼କୁ ୨୦୨୧ ମସିହାରୁ ଉକ୍ତ ମାଫିଆ ବେଆଇନ ଭାବେ ଖନନ କରି ଚାଲିଛନ୍ତି। ବର୍ତ୍ତମାନ ସୁଦ୍ଧା ପ୍ରାୟ ୩ ଏକର ଅଂଚଳରୁ ପଥର ଖନନ କରାଗଲାଣି। ଏଠାରେ ରହିଥିବା ମୂଲ୍ୟବାନ କଳା ପଥର ପାଇଁ ପ୍ରତି ଦୁଇରୁ ତିନି ଦିନ ବ୍ୟବଧାନରେ ଜିଲୋଟିନ ବ୍ୟବହାର କରି ବେଆଇନ ବ୍ଲାଷ୍ଟିଂ କରାଯାଇ ପଥର ଖନନ କରି ଚାଲାଣ କରାଯାଉଛି। ପଥର ଖନନ କରାଯାଇ ବେଆଇନ ଭାବେ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ସେହି ଅଞ୍ଚଳର ସ୍ୱେଚ୍ଛାସେବୀ ସୂଚନା ଦେଇଛନ୍ତି। ଏହି ପ୍ଲଟରେ ପଥର ଖନନ ପାଇଁ ତହସିଲ ପକ୍ଷରୁ କୌଣସି ଲିଜ ପ୍ରଦାନ କରାଯାଇନାହିଁ କି କୌଣସି ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇନାହିଁ। ପ୍ରଦୂଷଣ ବିଭାଗ ପକ୍ଷରୁ କୌଣସି ଗ୍ରାମସଭା ମଧ୍ୟ ହୋଇନଥିବା ଜଣାପଡ଼ିଛି।

ତେବେ ଜିଲ୍ଲାପାଳ କାର୍ଯ୍ୟାଳୟ ଓ ଜିଲ୍ଲା ପୁଲିସ କାର୍ଯ୍ୟାଳୟ ଠାରୁ ମାତ୍ର ୨ କିମି ଦୂରରେ ଅବସ୍ଥିତ ଏହି ପାହାଡ଼ରେ ବେଆଇନ ବ୍ଲାଷ୍ଟିଂ କରାଯାଉଥିବା ବେଳେ ଅଧିକାରୀଙ୍କ ନଜର ପଡ଼ୁନଥିବା ଆଶ୍ଚର୍ଯ୍ୟଜନକ ବିଷୟ। ଫଳରେ ଏହାର ଫାଇଦା ଉଠାଇ ପଥର ମାଫିଆମାନେ। ବର୍ତ୍ତମାନ ସୁଦ୍ଧା ୩ ହଜାର ସିଏମ ପଥର ଧୁମାଗୁଡ଼ା ଗାଁ ନିକଟ ପାହାଡ଼ରୁ ଖନନ କରି ଚାଲାଣ ହୋଇଥିବା ଜଣେ ରାଜସ୍ୱ କର୍ମଚାରୀ ସୂଚନା ଦେଇଛନ୍ତି । ହେଲେ ଜିଲ୍ଲାପାଳ, ଉପଜିଲ୍ଲାପାଳ ଓ ତହସିଲଦାର କେଉଁ ସ୍ୱାର୍ଥରେ ନୀରବ ରହୁଛନ୍ତି ତାହା ତଦନ୍ତ ପରିସରକୁ ଆସିବା ଜରୁରୀ ବୋଲି ସ୍ଥାନୀୟ ଅଂଚଳବାସୀ ଦାବି କରିଛନ୍ତି। ଉକ୍ତ ବ୍ଲାଷ୍ଟିଂ ଏବଂ ପଥର ଖନନ ଦ୍ୱାରା ନିକଟସ୍ଥ ଗ୍ରାମ ଗୁଡ଼ିକ ପ୍ରତି ବିପଦ ସୃଷ୍ଟି ହେବା ସହିତ ପରିବେଶ ମଧ୍ୟ ପ୍ରଦୂଷିତ ହେଉଛି। ଉକ୍ତ ପାହାଡ଼ ନିକଟରେ ବହୁ ପୁରୁଣା ବୃକ୍ଷଗୁଡ଼ିକ ରହିଥିବା ବେଳେ ଏହି ପଥର ଖନନ ଦ୍ୱାରା ସେଗୁଡ଼ିକ ନଷ୍ଟ ହେବାକୁ ଲାଗିଲାଣି।

ଶୁକ୍ରବାର ଉକ୍ତ ସ୍ଥାନକୁ ଯିବା ବେଳେ ସେଠାରେ ମେସିନ ସାହାଯ୍ୟରେ ପଥର ଖନନ ହେଉଥିବା ଦେଖିବାକୁ ମିଳିଥିଲା। ବହୁ ପୁରୁଣା ବଡ଼ବଡ଼ ବୃକ୍ଷଗୁଡ଼ିକୁ ମେସିନ ସାହାଯ୍ୟରେ କାଟି ଦିଆଯାଇଥିବା ଦେଖିବାକୁ ମିଳିଥିଲା। ତେବେ ପଥର ଖନନ କରୁଥିବା ବ୍ୟକ୍ତି ଜଣକ ବେଆଇନ ଖନନ କରି କୋଟି କୋଟି ଟଙ୍କାର ମୁନାଫା କମାଉଥିବା ବେଳେ ପ୍ରଶାସନିକ ଅଧିକାରୀ କାହିଁକି କୌଣସି ଆଇନଗତ ପଦକ୍ଷେପ ନେଉନାହାଁନ୍ତି ତାହା ସନ୍ଦେହ ଘେରରେ। ଖଜୁରୀ ଗଛ ମୂଳରୁ ପାହାଚ ପାହାଚ ଭଳି ତହସିଲ କାର୍ଯ୍ୟାଳୟର ଉପରଠୁ ତଳ ସମସ୍ତ ଅଧିକାରୀ ଦୁର୍ନୀତିଗ୍ରସ୍ତ ଏବଂ ବ୍ୟକ୍ତିଗତ ସ୍ୱାର୍ଥ ସାଧନରେ ବ୍ୟସ୍ତ ବୋଲି ସ୍ଥାନୀୟ ଅଂଚଳର ଲୋକେ ଅଭିଯୋଗ କରିଛନ୍ତି। ଏହି ବେଆଇନ ପଥର ଖନନ ଦ୍ୱାରା ପରିବେଶ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ନଷ୍ଟ ସାଙ୍ଗକୁ ସରକାରଙ୍କ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି। ଏନେଇ ତହସିଲଦାର ତାପସ ରାଉତଙ୍କୁ ପଚାରିବାରୁ କହିଛନ୍ତି ଯେ, ଆମେ ସୂଚନା ପାଇ ସେହି ସ୍ଥାନ ପରିଦର୍ଶନ କରିଥିଲୁ । ଏନେଇ ପୁଲିସରେ ଏକ ମାମଲା ରୁଜୁ କରାଯାଇଛି। ତଦନ୍ତ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ତହସିଲଦାର ଶ୍ରୀ ରାଉତ ସୂଚନା ଦେଇଛନ୍ତି। ତେବେ ଆହୁରି କେତେ ପଥର ଚାଲାଣ ହେବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ତାହା ଦେଖିବାକୁ ବାକି ରହିଲା।