ଧର୍ମଶାଳା : ମୃତ୍ୟୁଯନ୍ତା ପାଲଟିଛି ଚଣ୍ତିଖୋଲ-ଭଦ୍ରକ ୧୬ନମ୍ବର ଜାତୀୟ ରାଜପଥ। ଗତ ୩ ମାସ ମଧ୍ୟରେ ୧୨ଟି ମୂଲ୍ୟବାନ ଜୀବନ ଗଲାଣି। ରାଜପଥ ଉପରେ ବେଆଇନ ପାର୍କିଂ। ଶହଶହ ଟ୍ରକ ମନଇଚ୍ଛା ଯେକୌଣସି ସ୍ଥାନରେ ପାର୍କିଂ କରି ଟ୍ରାଫିକ ସମସ୍ୟା ସୃଷ୍ଟି କରୁଛନ୍ତି। ରାଜପଥର ସ୍ଥାନେସ୍ଥାନେ ଠେଲାବାଲା ପଇଡ଼, ତରଭୁଜ ଆଦି ବେପାର କରୁଛନ୍ତି। ଓଭରବ୍ରିଜ୍ ଉପରେ ବି କବ୍ଜା କରିବାକୁ ପଛାଉ ନାହାନ୍ତି ଉଠା ଦୋକାନୀ। କିଏ ଆଖୁରସ ପେଡୁଛି ତ ଆଉ କିଏ ଫଳ ବିକୁଛି। ପରିସ୍ଥିତି ଏତେ ବିପଦସଙ୍କୁଳ ହେଲାଣି ଯେ କେତେବେଳେ କ’ଣ ଘଟିବ କହିହେବ ନାହିଁ। ଚକାଚକ୍ ରାଜପଥ ଉପରେ ଏବେ ଯେମିତି ମୃତ୍ୟୁ ଦୂତ ଗୋଡ଼ାଉଛି। ଏଭଳି ସ୍ଥିତିରେ ସ୍ଥାନୀୟ ପୁଲିସ୍ ଓ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଉଦାସୀନତା ତଥା ଅଣଦେଖା ମନୋଭାବ ଯୋଗୁଁ ଦୁର୍ଘଟଣା ବଢ଼ିଚାଲିଥିବା ଅଭିଯୋଗ ହୋଇଛି।
ଗତକାଲି ନେଉଳପୁର ନିକଟ ସେଣ୍ଟ୍ରାଲ ବ୍ୟାଙ୍କ୍ ସାମ୍ନାରେ ଦୁର୍ଘଟଣା ଏହାର ଏକ ଦୃଷ୍ଟାନ୍ତ ମାତ୍ର। ପୂର୍ବରୁ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟ୍ରକ୍ ପଛରେ ଏକ ଆଇଚର ଗାଡ଼ି ପିଟି ହେବାରୁ ୭ଜଣଙ୍କ ମୃତ୍ୟୁ ଘଟିଲା। ଦୁର୍ଘଟଣା ପରେ ଦୁଇଟି ଟ୍ରକ ରାଜପଥ ଉପରେ ୩ ଦିନ ଧରି ପଡ଼ିରହିଥିଲେ ବି ପୁଲିସ ପ୍ରଶାସନ ଆଖିବୁଜି ଦେଇଥିଲା। ୭ ଜଣଙ୍କ ମୃତ୍ୟୁ ପରେ ରାସ୍ତାରୁ ଗାଡ଼ିଗୁଡ଼ିକୁ ତୁରନ୍ତ ପୁଲିସ ହଟାଇଲା। ଯଦି ପୂର୍ବରୁ ଏହି ଟ୍ରକ ଦୁଇଟିକୁ ହଟାଯାଇଥାନ୍ତି ତାହେଲେ ଏତେ ବଡ଼ ଦୁର୍ଘଟଣା ଘଟିନଥାନ୍ତା ବୋଲି ସଚେତନ ନାଗରିକମାନେ କହିଛନ୍ତି।
ସେହିପରି ପୂର୍ବରୁ ନେଉଳପୁର ନିକଟରେ ଏକ ସ୍କର୍ପିଓ ଦୁର୍ଘଟଣାଗ୍ରସ୍ତ ହୋଇ ୬ଜଣ ବଙ୍ଗୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା। ୨୦୨୦ ସେପ୍ଟେମ୍ବର ୨୫ତାରିଖରେ ଏକ ଆମ୍ବୁଲାନ୍ସ ଟାୟାର ଫାଟିଯିବାରୁ ଗୋଟିଏ ପରିବାରର ୩ଜଣଙ୍କ ମୃତ୍ୟୁ ହୋଇଥିଲା। ରଥିଆ ନିକଟରେ ଅଗଷ୍ଟ ୭ତାରିଖରେ ହୋଇଥିବା ଦୁଘଟଣାରେ ୩ଜଣ ପଶ୍ଚିମବଙ୍ଗ ଲୋକଙ୍କର ମୃତ୍ୟୁ ଘଟିଥିଲା। ୨ଜଣ ଗୁରୁତର ଆହତ ହୋଇଥିଲେ। ରାଜପଥ ପାର୍ଶ୍ବରେ ଥିବା ଢାବା, ହୋଟେଲ, ତେଲ ଟାଙ୍କି, ଗ୍ୟାରେଜ୍ ଆଦି ସମ୍ମୁଖରେ ଘଣ୍ଟାଘଣ୍ଟା ଧରି ଟ୍ରକ୍ ଆଦି ଭାରୀଯାନ ଅଟକି ରହୁଥିବାରୁ ଟ୍ରାଫିକ୍ ଭିଡ଼ହୋଇ ବାରମ୍ବାର ଦୁର୍ଘଟଣା ହେଉଛି। ସେହିପରି ରାଜପଥ ପାର୍ଶ୍ବରେ ଯିଏ ଯେଉଁଠି ପାରିଲା ଚା’ ଦୋକାନଠାରୁ ଆରମ୍ଭ କରି ଜଳଖିଆ, ପାନ, ତରଭୁଜ, ଆଖୁରସ, ପଇଡ଼, ଫାଷ୍ଟଫୁଡ୍ ଆଦି ଉଠା ଦୋକାନର ପସରା ମେଲେଇ ବସୁଛନ୍ତି।
ଫଳରେ ଏସବୁ ଜିନିଷ କିଣିବା ପାଇଁ ଗାଡ଼ିବାଲା ଅଟକି ରାସ୍ତା ପାର୍ଶ୍ବରେ ଗାଡ଼ି ପାର୍କିଂ କରୁଛନ୍ତି। ଏଥିପାଇଁ ଅଧିକାଂଶ ଦୁର୍ଘଟଣା ଘଟୁଥିବା ଦେଖିବାକୁ ମିଳୁଛି। ନିକଟରେ ଛତିଆ ବଜାରରେ ଜଳଖିଆ ଖାଇବାପାଇଁ ଅଟକିଥିବା ୨ଜଣ ମହିଳାଙ୍କ ଉପରେ ଟ୍ରକ୍ ମାଡ଼ିଯିବାରୁ ଉଭୟଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଜାରକା ନିକଟ ଗୋକର୍ଣ୍ଣେଶ୍ବର ମନ୍ଦିର ନିକଟ ରାଜପଥ ପାର୍ଶ୍ବରେ ହୋଇଥିବା ଦୋକାନଗୁଡ଼ିକ ନିକଟରେ ଏକାଧିକ ଦୁର୍ଘଟଣା ହେଲାଣି। ରଥିଆ, ଶଙ୍ଖାରିଡ଼ିହ, ଜାରକା, ବାରବାଟି, ଦୁର୍ଗାପୁର, ଗୋପାଳପୁର ଓ ମୂଳାପାଳ ଛକ ନିକଟ ରାଜପଥ ପାର୍ଶ୍ବରେ ବିକ୍ରି ହେଉଥିବା ତରଭୁଜ ବାହାର ଗାଡ଼ିବାଲାଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିଛି। ରାସ୍ତା ଉପରେ ଗାଡ଼ିରଖି ଲୋକମାନେ କିଣୁଛନ୍ତି। ଅନେକ ସମୟରେ ଏସବୁ ସ୍ଥାନରେ ଦୁର୍ଘଟଣା ଘଟୁଛି।