ଗୋଳନ୍ଥରା: କିଛିଦିନର ବିରତି ପରେ କନିଷି ତହସିଲ ଇଲାକାରେ ଜମିମାଫିଆ ପୁଣି ସକ୍ରିୟ ହୋଇଉଠିଛନ୍ତି। ତହସିଲ ପ୍ରଶାସନର ବେପରୁଆ ମନୋଭାବ ସାଙ୍ଗକୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ନଥିବାରୁ ଜମିମାଫିଆ ମାନେ ଶାଗମାଛ ଦରରେ ଚାଷୀଙ୍କଠୁ ଜମି କିଣିବା ସହ ସମସ୍ତ ସରକାରୀ ନିୟମକୁ ଉଲ୍ଲଂଘନ କରି ପ୍ଲଟିଂ କରୁଛନ୍ତି। ପରେ ଏହାକୁ ବିକ୍ରି କରୁଥିବା ଅଭିଯୋଗ ହୋଇଛି।

Advertisment

କନିଷି ତହସିଲ ଅଧୀନ ଗୋଳନ୍ଥରା ଆରଆଇ ସର୍କଲ୍ ଅନ୍ତର୍ଗତ ମାଣିକପୁର ଓ ତୋତଡ଼ାପଲ୍ଲୀ ମୌଜାରେ ବର୍ତ୍ତମାନ ବହୁ ମୂଲ୍ୟବାନ ଚାଷଜମିରେ ବେଆଇନ ପ୍ଲଟିଂ ଚାଲିଛି। ଫଳରେ ରାଜସ୍ବ ବିଭାଗ କୋଟି କୋଟି ଟଙ୍କା ରାଜସ୍ବ କ୍ଷତି ସହୁଥିବା ବେଳେ ଚାଷୀଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି। ମାଣିକପୁର ଓ ତୋତଡ଼ାପଲ୍ଲୀ ମୌଜାର ୯୦ ଭାଗ ଜମି ବର୍ତ୍ତମାନ ଜମିମାଫିଆଙ୍କ କବ୍‌ଜାରେ ରହିଛି। ବାକି ୧୦ ଭାଗ ଜମି ଉପରେ ସେମାନେ ଲୋଲୁପ ଦୃଷ୍ଟି ପକାଇଛନ୍ତି। ଏହି ମୌଜାର ପ୍ଲଟ୍ ନମ୍ବର ୪୦୨, ୫୪, ୨୫୫, ୨୪୪, ୨୨୮, ୨୨୬, ୨୨୯, ୨୨୨, ୩୬୯, ୪୨୧ ଓ ୫୦୩ ଆଦି ସବୁଜ ଚାଷଜମି ଏବେ ପ୍ଲଟ୍‌ରେ ପରିଣତ ହୋଇ ବିକ୍ରି ଚାଲିଛି।

ତେବ‌େ ଚାଷଜମି ଗୁଡ଼ିକର କିସମ ପରିବର୍ତ୍ତନ ନକରି ଏହାକୁ ବିକ୍ରି କରାଯାଉଛି। ଯଦି କିସମ ପରିବର୍ତ୍ତନ ହେଉଛି, ତାହା ମଧ୍ୟ କେଉଁ ଆଧାରରେ ସଂପନ୍ନ ହେଉଛି ଏହାକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ବିକ୍ରି ପାଇଁ ତହସିଲ ପକ୍ଷରୁ କିଭଳି ଅନୁମତି ଦିଆଯାଉଛି ତାହା ନିଶ୍ଚିତ ଭାବେ ତଦନ୍ତସାପେକ୍ଷ। ଏହି ବେଆଇନ ପ୍ଲଟିଂ କାରଣରୁ ଉପରମୁଣ୍ଡର ପାଣି ତଳମୁଣ୍ଡରେ ଥିବା ଜମିକୁ ଆସିପାରୁନି। ଫଳରେ ଗରିବ ଚାଷୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଏଭଳି ପରିସ୍ଥିତି ଜାରି ରହିଲେ, ସମୟ ଆସିବ ଚାଷଜମି ସଂପୂର୍ଣ୍ଣ ଭା‌ବେ ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀ ଚିନ୍ତା ପ୍ରକାଟ କରିଛନ୍ତି। ତହସିଲର କିଛି ତଳତଳିଆ କର୍ମଚାରୀ ଓ ଆରଆଇଙ୍କ ପ୍ରୋତ୍ସାହନରେ ଜମି କ୍ରୟବିକ୍ରୟ ହେଉଥିବା ଅଭି‌ଯୋଗ ‌ହୋଇଛି। ଏଦିଗରେ ଜିଲ୍ଲା ପ୍ରଶାସନର ପଦକ୍ଷେପ ଜରୁରି ହୋଇପଡ଼ିଛି ବୋଲି ମତପ୍ରକାଶ ପାଇଛି।