ଖୋର୍ଦ୍ଧା: ଓଡ଼ିଶାର ଗୌରବ ମରାଳମାଳିନୀ ନିଳାମ୍ବୁ ଚିଲିକାକୁ ଗ୍ରାସ କରିଥିବା ବେଆଇନ ଚିଙ୍ଗୁଡ଼ି ଘେରିକୁ ହଟାଇବା ଅଭିଯାନ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାରି ରହିଛି । ଆଜି ଏହି ଅଭିଯାନରେ ଟାଙ୍ଗୀ-ବାଲୁଗାଁ ପଟରୁ ପ୍ରାୟ ୧୫ ଏକର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଛି ।
ଚଳିତ ବର୍ଷ ଫେବ୍ରୁଆରି ମାସରେ ଚିଲିକାକୁ ଲାଗି ରହିଥିବା ଗଂଜାମ, ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ଏହାପୂର୍ବରୁ ଚିଙ୍ଗୁଡ଼ି ଘେରି ହଟାଇବା ନେଇ ପଦକ୍ଷେପ ଆରମ୍ଭ ହୋଇଥିଲା । ୨୦୨୦-୨୧ ଫେବ୍ରୁଆରୀ ଶେଷ ସୁଦ୍ଧା ପୁରୀ ଓ ଖୋର୍ଦ୍ଧା ପଟରୁ ୩୪୯ ହେକ୍ଟର ବେଆଇନ ଚିଙ୍ଗୁଡ଼ି ଘେରି ଉଚ୍ଛେଦ କରାଯାଇଥିଲା । ଖୋର୍ଦ୍ଧା ଜିଲ୍ଲାରେ ଆଜି ଏହି ଘେରି ଭଙ୍ଗା ଅଭିଯାନର ତୃତୀୟ ପର୍ଯ୍ୟାୟରେ ୧୫ ହେକ୍ଟର ଘେରି ଭଙ୍ଗାଯାଇଥିବା ଜଣାଯାଇଛି । ଏନେଇ ସୂଚନା ଦେଇ ଉପଜିଲ୍ଲାପାଳ ଅଶୋକ କୁମାର ବେଉରିଆ କହିଛନ୍ତି ଯେ ଇତିମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବାଲୁଗାଁ, ଟାଙ୍ଗୀ ଓ ଚିଲିକା ପଟରୁ ପ୍ରାୟ ୬୦ ହେକ୍ଟର ବେଆଇନ ଘେରି ଭଙ୍ଗାଯାଇଛି । ଆଜିର ଘେରି ଭଙ୍ଗା ଅଭିଯାନ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ଣ ୬ଟା ଯାଏଁ ଚାଲିଥିଲା । ଏଥିରେ ସେ ନିଜେ, ବାଲୁଗାଁ ଏସ୍ଡିପିଓ, ଟାଙ୍ଗୀ ଆଇଆଇସି, ଚିଲିକା ତହସିଲଦାର ସମେତ ୨ ପ୍ଲାଟୁନ୍ ପୁଲିସ ଫୋର୍ସ ଯୋଗ ଦେଇଥିଲେ । ଆଜି ଘେରି ଭଙ୍ଗାରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ ।
ସୂଚନାଯୋଗ୍ୟ, ଅପ୍ରିଲ୍ ୨୦୧୭ରେ ପ୍ରାକୃତିକ ପରିବେଶର ସୁରକ୍ଷା ଓ ବେଆଇନ ଚିଙ୍ଗୁଡ଼ି ଘେରି ସମ୍ପର୍କିତ ଏକ ମାମଲାର ବିଚାର କରି ଉଚ୍ଚତମ ନ୍ୟାୟାଳୟ ଦେଶର ୧୫ଟି ରାଜ୍ୟର ଉଚ୍ଚନ୍ୟାୟାଳୟକୁ ଏନେଇ ପଦକ୍ଷେପ ନେବାକୁ ନିଦେ୍ର୍ଦଶ ଦେଇଥିଲେ । ଜାନୁଆରି ୨୨, ୨୦୧୯ରେ ରାଜ୍ୟ ଉଚ୍ଚ ନ୍ୟାୟାଳୟ ଚିଲିକା, ଭିତରକନିକା ଆଦିରେ ସୃଷ୍ଟି ହୋଇଥିବା ବେଆଇନ ଚିଙ୍ଗୁଡ଼ି ଘେରି ହଟାଇବାକୁ ରାଜ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେଇଥିଲେ । ଚିଲିକାରେ କେତେ ଅଂଚଳରେ ଚିଙ୍ଗୁଡ଼ି ଘେରି ରହିଛି ସେନେଇ ଚିଲିକା ଉନ୍ନୟନ କର୍ତୃପକ୍ଷ ନିକଟରେ କୌଣସି ସଠିକ୍ ସୂଚନା ନାହିଁ । ତେବେ ଏକ ବେସରକାରୀ ତଥ୍ୟାନୁସାରେ, ୨୦୨୦ କରୋନା ସଂକ୍ରମଣ ପୂର୍ବରୁ ୧୨,୧୩୧ ହେକ୍ଟର ପରିସୀମାରେ ଥିବା ଚିଲିକା ହ୍ରଦର ପ୍ରାୟ ୧୨ ପ୍ରତିଶତ ଅର୍ଥାତ୍ ୧୪୪୦ ହେକ୍ଟର ଅଂଚଳରେ ବେଆଇନ ଚିଙ୍ଗୁଡ଼ି ଘେରି ରହଥିଲା । ବର୍ତମାନ ଏହା ବୃଦ୍ଧି ପାଇ ୨୧୮୨ ହେକ୍ଟର ହୋଇଛି ।