ଅନୈତିକ ସର୍ମ୍ପକ ସନ୍ଦେହରେ ଦଳିତ ମହିଳାଙ୍କୁ ଚପଲ ମାଳ ପିନ୍ଧାଇ ବୁଲାଇଲେ ଗାଁଲୋକେ, ଭିଡ଼ିଓ ଭାଇରାଲ୍ ପରେ ୭ ଗିରଫ

ଭଞ୍ଜନଗର: ସାରା ବିଶ୍ବରେ ମହିଳାମାନଙ୍କ ତ୍ୟାଗ ଓ ଅବଦାନକୁ ସମ୍ମାନ ଜଣାଇ ଅର୍ନ୍ତଜାତୀୟ ମହିଳା ଦିବସ ପାଳନ କରାଯାଉଥିବା ବେଳେ ଗଞ୍ଜାମ ଜିଲ୍ଲା ବଡ଼ଗଡ଼ ଥାନା ଅଂଚଳ‌ରେ ଜଣେ ଦଳିତ ମହିଳା ଅକଥନୀୟ ନିର୍ଯାତନା ଓ ଲୋକଲଜ୍ଜାର ଶିକାର ହୋଇଛନ୍ତି।

ସୂଚନା ଅନୁସାରେ, ମାର୍ଚ୍ଚ ୮ ତାରିଖ ଦିନ ଜଣେ ଦଳିତ ବିବାହିତ ମହିଳାଙ୍କ ଚରିତ୍ରକୁ ସନ୍ଦେହ କରି ଗ୍ରାମର କିଛି ଲୋକ ମହିଳାଙ୍କୁ ଦଉଡିରେ ବାନ୍ଧିବା ସହ ଚପଲ ମାଳ ପିନ୍ଧାଇ ରାସ୍ତାରେ ଚଲାଇ  ଥିଲେ। ସର୍ବସମ୍ମୁଖରେ ଏଭଳି ଘଟଣା ଘଟୁଥିଲେ ମଧ୍ୟ ଗ୍ରାମର ସମସ୍ତେ ଚୁପ୍ ରହିଥିଲେ। କେହି ଜଣେ ହେଲେ ମଧ୍ୟ ଏହି ଘଟଣାର ପ୍ରଦିବାଦ କରି ନ ଥିଲେ। ଓଲଟି ବହୁ ଲୋକ ଅତ୍ୟନ୍ତ ଅମାନୁଷିକ ଭାବେ ଏହାକୁ ଉପଭୋଗ କରୁଥିବା ବେଳେ କିଛି ନିଜ ମୋବାଇଲ୍‌ରେ ଭିଡ଼ିଓ ମଧ୍ୟ କରୁଥିଲେ।

ଘଟଣାକୁ ୪ ଦିନ ବିତି ଯାଇଥିବା ବେଳେ ସେହି ଭିଡ଼ିଓ ବର୍ତ୍ତମାନ ଭାଇରାଲ୍ ହେବା ପରେ ପୁଲିସ୍ ସଂପୃକ୍ତ ମହିଳାଙ୍କୁ ଉଦ୍ଧାର କରି ତାଙ୍କ ନିକଟରୁ ଅଭିଯୋଗ ଗ୍ରହଣ କରି ଆଜି ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ୭ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ସହ ପୀଡିତା ମହିଳାଙ୍କ ଡାକ୍ତରୀ ମାଇନା କରିଛି।

ଘଟଣାରେ ସଂପୃକ୍ତ ଥିବା ଅଭିଯୋଗରେ ପୁଲିସ୍ ଆଜି ସୁବାଷ ମଲ୍ଲିକ୍, ବଦ୍ରି ମଲ୍ଲିକ୍, ସାଇବ ମଲ୍ଲିକ୍ ଏବଂ ସରାବାଡ଼ି ଗ୍ରାମର କଂଗ୍ରେସ ଛଟେଇ, ବାହାନ ସ୍ବାଇଁ, ମୁନା ସ୍ବାଇଁ ଓ ସୁନୀଲ ସ୍ବାଇଁକୁ ଗିରଫ କରି କୋର୍ଟ ଚାଲାଣ କରିଛି। ପୁଲିସ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ କରୁଛି। ଏହି ସମ୍ବେଦନଶୀଳ ଘଟଣାକୁ ଆସିକା ଏସ୍ଡ଼ିପିଓ ସୂର୍ଯ୍ୟମଣୀ ପ୍ରଧାନ ତଦନ୍ତ କରୁଥିବା ଜଣାପଡିଛି।

ସମ୍ବନ୍ଧିତ ଖବର