ବେଆଇନ ବାଲିଘାଟ, ଚାଷ କାମରେ ବ୍ୟାଘାତ

ବ୍ରହ୍ମବରଦା: ରସୁଲପୁର ବ୍ଲକ ମହେଶ୍ବରପୁର ପଞ୍ଚାୟତ ଚାନ୍ଦପୁରରେ ବେଆଇନ ଭାବେ ଚାଲିଛି ବାଲିଘାଟ। ଚାଷଜମିରେ ବାଲିଗାଡ଼ି ଚଳାଚଳ କରୁଥିବାରୁ ଚାଷୀମାନେ ଚାଷ କରିପାରୁ ନାହାନ୍ତି। ଲିଜ୍‌ ଅଞ୍ଚଳଠାରୁ ଢେର ଅଧିକ ଜାଗାରୁ ମନଇଚ୍ଛା ବାଲି ଉଠାଉଛନ୍ତି ଲିଜ୍‌ଧାରୀ। ଏହାକୁ ନେଇ ଅନେକ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଉଥିବା ଦେଖିବାକୁ ମିଳିଛି। ବାର୍ଷିକ ନବୀକରଣ ନ କରି ମାସମାସ ଧରି ବେଆଇନ ଭାବେ ଚାଲିଛି ବାଲିଘାଟ। ଫଳରେ ଲକ୍ଷାଧିକ ଟଙ୍କାର ରାଜସ୍ବ ହରାଉଛନ୍ତି ସରକାର। ପ୍ରଶାସନିକ ତାଗିଦ, ସରକାରୀ ନୀତିନିୟମ ଓ ଜନସାଧାରଣଙ୍କ ସ୍ବାର୍ଥକୁ ଜଳାଞ୍ଜଳି ଦେଇ ଠିକାଦାର ପ୍ରତ୍ୟେକ ଦିନ ଶହଶହ ଟ୍ରିପ୍‌ ବାଲି ଲୁଟ୍‌ରେ ବ୍ୟସ୍ତ ରହିଛି। ସବୁଠୁ ବଡ଼କଥା ବାଲି ଉଠାଇବା ପାଇଁ ଜିଲ୍ଲା ପ୍ରଶାସନ ଏହି ଲିଜ୍‌ଧାରୀଙ୍କୁ ଏକ ସ୍ବତନ୍ତ୍ର ରାସ୍ତା ଦେଇଛି। ହେଲେ ଲିଜ୍‌ଧାରୀ ଅନ୍ୟତ୍ର ରାସ୍ତା କରି ବାଲି ଉଠାଇ ପରିବହନ କରୁଥିବା ଦେଖିବାକୁ ମିଳିଛି।

୧୦ ଏକରବିଶିଷ୍ଟ ବ୍ରାହ୍ମଣୀ ନଦୀର ଚାନ୍ଦପୁର ଘାଟରୁ ବାଲି ଉତ୍ତୋଳନ ପାଇଁ ସରକାରୀ ଭାବେ ଅଗଷ୍ଟ ୨୦୧୯ ରେ ଅନୁମତି ଦିଆଯାଇଥିଲା। ପରେ ଲିଜ୍‌ଧାରୀ ପ୍ରତ୍ୟେକ ବର୍ଷ ୭/୮ ମାସ ବ୍ୟବଧାନରେ ନବୀକରଣ କରୁଥିବାବେଳେ ଅବାଧରେ ପ୍ରତ୍ୟେକ ଦିନ ଶହଶହ ଟ୍ରିପ୍‌ ବାଲି ଚାଲଣ କରୁଛନ୍ତି। ଫଳରେ ଲକ୍ଷାଧିକ ଟଙ୍କାର ରାଜସ୍ବ ହାନି ହେଉଛି। ଏଣେ ଯାତାୟାତ କରିବାରେ ଲୋକେ ହଇରାଣ ହେଉଛନ୍ତି। ସେହିପରି ବରୀ ଅଞ୍ଚଳର ଏକ ବାଲିଘାଟର ୱାଇ ଫର୍ମକୁ ଏଠାରେ ବ୍ୟବହାର କରାଯାଉଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ଘାଟରେ ମେସିନ ନ ଲଗାଇ ଶ୍ରମିକମାନଙ୍କ ଦ୍ବାରା ବାଲି ବୋଝେଇ କରିବାର ନିୟମ ରହିଥିବାବେଳେ ଏହାର ଖୋଲାଖୋଲି ଉଲ୍ଲଂଘନ ହେଉଛି। ବଡ଼ବଡ଼ ମେସିନରେ ଦିନରାତି ବାଲି ଉଠାଯାଇ ହାଇୱା, ଟିପର, ଟ୍ରାକ୍ଟର, ଟ୍ରକରେ ଶହଶହ ଟ୍ରିପ୍‌ ବାଲି ଚାଲାଣ ହେଉଛି। ଧର୍ମଶାଳା ଅଞ୍ଚଳର ୧୫ ଏକରରୁ ଅଧିକ ଜାଗାରୁ ବେଆଇନ ଭାବେ ବାଲି ଉଠାଉଥିବା ଅଭିଯୋଗ ହେଉଛି। ବାଲି ବୋଝେଇ ଓଭରଲୋଡିଂ ଗାଡ଼ିଗୁଡ଼ିକ ଦିନରାତି ଚଳାଚଳ କରିବା ଦ୍ବାରା ନଦୀବନ୍ଧ ଦୁର୍ବଳ ହେବା ସହ ରାସ୍ତାଘାଟ ଭାଙ୍ଗି ନଷ୍ଟ ହେଉଛି। ଅଧା ପାଲ ପକାଉଥିବାରୁ ଗାଡ଼ିରୁ ବାଲି ଉଡ଼ି ବାଇକ୍‌ ତଥା ସାଇକେଲ ଚାଳକଙ୍କ ଉପରେ ପଡ଼ୁଛି। ଏନେଇ ଗ୍ରାମବାସୀ ବହୁବାର ବିରୋଧ କରିଥିଲେ ହେଁ ପ୍ରତିକାର ହେଉନାହିଁ। ବ୍ରହ୍ମବରଦା ଓ କାକୁଡ଼ିକୁଦ ଘାଟରେ ମଧ୍ୟ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର