ବେଆଇନ ବାଲି ଉତ୍ତୋଳନ ମାମଲା: ତତ୍‌କାଳୀନ ତହସିଲଦାରଙ୍କ ବିରୋଧରେ ଏଫ୍‌ଆଇଆର ରୁଜୁ କରିବାକୁ ଏନ୍‌ଜିଟିଙ୍କ ନିର୍ଦ୍ଦେଶ

କଟକ : ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ତହସିଲର ତତ୍କାଳୀନ ତହସିଲଦାର ମମତାଜ ମହାରଣାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରୁଜୁ ପାଇଁ ରାଜ୍ୟ ସରକାରଙ୍କୁ ଜାତୀୟ ଗ୍ରିନ୍ ଟ୍ରିବୁନାଲ (ଏନ୍‌ଜିଟି) ନିର୍ଦ୍ଦେଶ ଦେଇଛନ୍ତି। ବୁଢାବଳଙ୍ଗ ନଦୀର ଡିଙ୍ଗିରିଆ, ଅରପାଟ ଓ ମହୁପୁରା ବାଲିଘାଟରୁ ବେଆଇନ ବାଲି ଉତ୍ତୋଳନ ଅଭିଯୋଗ ନେଇ ଦାୟର ତ‌ିନୋଟି ମାମଲାର ଏନ୍‌ଜିଟି ଏକତ୍ର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ହସ୍ତଗତ ସୂଚନା ଅନୁସାରେ, ବେଆଇନ ଟ୍ରାଞ୍ଜିଟ୍ ପରମିଟ ପ୍ରଦାନ ପ୍ରସଙ୍ଗରେ ବଡ଼ସାହି ତହସିଲଦାରଙ୍କ ଭୂମିକାକୁ ନେଇ ଏନ୍‌ଜିଟି ଅସ‌ନ୍ତୋଷ ପ୍ରକାଶ କରିଛନ୍ତି। କ’ଣ ପାଇଁ ରାଜ୍ୟ ସରକାର ବଡ଼ସାହି ତହସିଲଦାରଙ୍କୁ ରକ୍ଷା କରୁଛନ୍ତି ବୁଝାପଡ଼ୁନାହିଁ ବୋଲି କହିଛନ୍ତି। ଏନ୍‌ଜିଟି ଆହୁରି ମଧ୍ୟ କହିଛନ୍ତି, ବେଆଇନ ଟ୍ରାଞ୍ଜିଟ ପରମିଟ୍‌ ଜାରି କରାଯିବା ଦ୍ବାରା ବହୁ କୋଟି ଟଙ୍କାର ରାଜସ୍ବ ଚୋରିକୁ ତହସିଲଦାର ପରୋକ୍ଷରେ ପ୍ରଶ୍ରୟ ଦେଇଛନ୍ତି। ଏଥିସହିତ, ବେଆଇନ ବାଲି ଉତ୍ତୋଳନରେ ସଂପୃକ୍ତ ନେଇ ଅଭିଯୋଗ ରହିଥିବା ପ୍ରଦୀପ କୁମାର ବିନ୍ଧାଣି ଓ କୃପାସିନ୍ଧୁ ସିଂଙ୍କ ନିକଟରୁ ଜରିମାନା ଓ ପରିବେଶ କ୍ଷତିପୂରଣ ବାବଦ ଅର୍ଥ ଆଦାୟ ପ୍ରସଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ପିସିବି)କୁ ଏନଜିଟି ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ ନେଇ ଡିସେମ୍ବର ୭ ସୁଦ୍ଧା ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତ୍ୟପାଠ ଦାଖଲ ପାଇଁ ଏନ୍‌ଜିଟି କହିଛନ୍ତି।

ମୟୂରଭଞ୍ଜ ଜିଲ୍ଲାରେ ଯେପରି କୌଣସି ବେଆଇନ ବାଲି ଉତ୍ତୋଳନ କରା ନ ଯାଏ ତାହା ଜିଲ୍ଲାପାଳ ସୁନିଶ୍ଚିତ କରିବେ। ଯେଉଁଠି ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ କରାଯାଉଛି, ସେଠାରେ ତଦାରଖର କଡ଼ା ବ୍ୟବସ୍ଥା କରାଯିବ। ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସବୁ ସିସି ଟିଭି କ୍ୟାମେରା ବସା ଯିବା ସହିତ ପରିବହନ କାର୍ଯ୍ୟରେ ନିୟୋଜିତ ଟ୍ରକ୍ ଗୁଡିକରେ ଜିପିଏସ ବ୍ୟବସ୍ଥା କରାଯିବ। ଯାଞ୍ଚ ସ୍କ୍ବାଡ୍‌କୁ ସକ୍ରିୟ ରଖାଯିବା ଉପରେ ଏନଜିଟି ଗୁରୁତ୍ବାରୋପ କରିଛନ୍ତି। ରାଧାମୋହନ ସିଂଙ୍କ ଆବେଦନର ଶୁଣାଣି କରି ଏନ୍‌ଜିଟି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ ବଡ଼ସାହି ତହସିଲ ଅନ୍ତର୍ଗତ ଡିଙ୍ଗିରିଆ, ଅରପାଟ, ମହୁପୁରା ଠାରେ ବୁଢାବଳଙ୍ଗ ନଦୀ ଶଯ୍ୟାରୁ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ନେଇ ପୃଥକ ମାମଲା ଏନଜିଟିରେ ଦାୟର ହୋଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ଶଙ୍କର ପ୍ରସାଦ ପାଣି ପରିଚାଳନା କରୁଛନ୍ତି ।

ସମ୍ବନ୍ଧିତ ଖବର