ସାରା ରାତି ବାଲି ଚୋରି, ମୁହାଁ ମୁହିଁ ସ୍ଥିତିରେ ପ୍ରଶାସନ-ମାଫିଆ

ବ୍ରହ୍ମପୁର : ସୁନା କି ନିଶାଦ୍ରବ୍ୟ ନୁହେଁ, ବାଲି ଚୋରା ଚାଲାଣ ନିଶା ଘାରିଛି ମାଫିଆଙ୍କୁ। କୋଟି କୋଟି ଲୁଟ୍‌ର ଖେଳ ଚାଲିଛି। ଗଞ୍ଜାମ ଜିଲ୍ଲାରେ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣ ଯେମିତି ସୁନା ଖାଦାନ ଲୁଟ୍‌ ସ୍ଥିତି ସୃଷ୍ଟି କରିଛି। ନକଲି ଆର୍‌ ଫର୍ମରେ ବାଲି ଚୋରା ଚାଲାଣ ହେଉଛି। ଚଢ଼ଉରୁ ବର୍ତ୍ତିବା ଲାଗି ରାତି ସାରା ବାଲି ଚାଲାଣ କରାଯାଉଛି। ଏହାକୁ ରୋକିବା ଲାଗି ପ୍ରଶାସନ ପକ୍ଷରୁ ଚଢ଼ଉ, ଜରିମାନା ଆଦାୟକୁ କେନ୍ଦ୍ର କରି ମାଫିଆ-ପ୍ରଶାସନ ମୁହାଁମୁହିଁ ହେଉଛନ୍ତି। ପ୍ରଶାସନର ଅତ୍ୟଧିକ ଜରିମାନାରେ ଅତିଷ୍ଠ ହୋଇ ଟିପ୍ପର ଓ ଟ୍ରାକ୍ଟର ମାଲିକମାନେ ମେଳି ବାନ୍ଧିବା ଆରମ୍ଭ କଲେଣି। ଆଉ ବିଭିନ୍ନ ବ୍ଲକ ଇଲାକାରେ ଟ୍ରାକ୍ଟର ମାଲିକ ସଂଘ ଗଢି ଉଠିଲାଣି। ଜିଲ୍ଲାରେ ପ୍ରଶାସନ-ବାଲି ପରିବହନ କରୁଥିବା ଟ୍ରାକ୍ଟର ଚାଳକ ଏବେ ମୁହାଁମୁହିଁ ସ୍ଥିତିରେ। ଜାନୁଆରିରୁ ମେ, ଏହି ୫ମାସ ନଦୀ ଶଯ୍ୟା ଶୁଖିଲା ରହେ। ଏ ସମୟରେ ଅଧିକ ବାଲି ଉତ୍ତୋଳନ ଓ ଚାଲାଣ ହୁଏ। ଚୋରା ଚାଲାଣ ରୋକିବା ଲାଗି ପ୍ରଶାସନ ବି ଚଢ଼ଉକୁ ଜୋର୍‌ଦାର କରିଛି। ଫଳ ସ୍ବରୂପ ଜିଲ୍ଲାରେ ବାଲିକୁ କେନ୍ଦ୍ର କରି ଅପ୍ରୀତିକର ପରିସ୍ଥିତି ଉପୁଜିଲାଣି।

ଅନ୍ୟପକ୍ଷରେ ପରିବେଶଗତ ଅସନ୍ତୁଳନ ହେତୁ ଆନ୍ଧ୍ର ସରକାର ସେଠିକାର ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ନଦୀରୁ ବାଲି ଉତ୍ତୋଳନ ଉପରେ କଟକଣା ଲଗାଇଛନ୍ତି। ଫଳରେ ଆନ୍ଧ୍ରରେ ନିର୍ମାଣ କାର୍ଯ୍ୟ ପାଇଁ ବାଲି ମିଳୁନାହିଁ। କିନ୍ତୁ ଓଡ଼ିଶାର ଗଞ୍ଜାମ ଓ ଗଜପତି ଜିଲ୍ଲାରୁ ଆନ୍ଧ୍ର ପ୍ରଦେଶକୁ ପ୍ରତ୍ୟହ ହଜାର ସଂଖ୍ୟାରେ ୧୦ ଚକିଆ ଟ୍ରକ ଯୋଗେ ବାଲି ସୁନା ଦରରେ ଚାଲାଣ ହେଉଛି। ଏହା ଏବେ ମାଫିଆଙ୍କ ପାଇଁ ନିଶା ପାଲଟିଯାଇଛି। ରାଜ୍ୟ ବାହାରକୁ ବାଲି ଚାଲାଣ ହୋଇ ପାରିବ ନାହିଁ ବୋଲି ଓଡ଼ିଶା ହାଇକୋର୍ଟ ଏବ˚ ରାଜ୍ୟ ସରକାରଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ବିଭିନ୍ନ ତହସିଲ ପକ୍ଷରୁ ଚଢ଼ଉ କରି ବେନିୟମ ଭାବେ ପରିବହନ ହେଉଥିବା ବାଲିଟ୍ରକ ଜବତ କରି ଜରିମାନା ଆଦାୟ କରାଯାଉଛି। କିନ୍ତୁ ଏ ସବୁ ସତ୍ତ୍ବେ ଆନ୍ଧ୍ରକୁ ବାଲି ଚାଲାଣକୁ ରୋକା ଯାଇପାରୁ ନାହିଁ। ଗଞ୍ଜାମ ବାଲି ଆନ୍ଧ୍ରରେ ସୁନା ପାଲଟିଛି।

hindustantimes.com

ଜିଲ୍ଲାରେ ୧୧୭ଟି ବାଲି ସୈରାତରୁ ୮୨ଟି ନିଲାମ ଦିଆଯାଇ ବାଲି ଉତ୍ତୋଳନ ହେଉଛି। ଜିଲ୍ଲାରେ ୧୪ଟି ନଦୀ ରହିଛି। ଜିଲ୍ଲା ପ୍ରଶାସନ ସର୍ଭେ ରିପୋର୍ଟ ଅନୁଯାୟୀ, ଋଷିକୁଲ୍ୟା ନଦୀ ଶଯ୍ୟାରେ ବାର୍ଷିକ ୧କୋଟି ୯୫ଲକ୍ଷ ୯୩ହଜାର ୭୫୦ ଏବଂ ବାହୁଦା ନଦୀ ଶଯ୍ୟାରେ ୧୪୩୭୫.୪ଏମ୍‌ଟି ବାଲି ପ୍ରତି ବର୍ଷ ଜମା ହେଉଛି। ଜିଲ୍ଲାର ଜୀବନରେଖା ଋଷିକୁଲ୍ୟା ଓ ବାହୁଦା ନଦୀରୁ ସି˚ହଭାଗ ବାଲି ବେଆଇନ ଚାଲାଣ ହେଉଛି। ମାଫିଆ ରାତିରେ ବାଲି ଚାଲାଣ କରୁଛନ୍ତି। ନଦୀ ଶଯ୍ୟାରେ ରାତି ତମାମ ଜେସିବି, ଟ୍ରକ ଲାଗୁଛି। ମାଫିଆମାନେ ଅଭିନବ ଉପାୟରେ ବାଲି ଚ‌ୋରି କରୁଛନ୍ତ। ନକଲି ଆର୍‌ ଫର୍ମ ତଥା ମ୍ୟାଜିକ୍‌ ପେନ୍‌ ଜରିଆରେ ଆର୍‌ ଫର୍ମ ଜାଲିଆତି କରି ଚାଲାଣ କରୁଛନ୍ତି। ନଦୀ ପାଖ ଗ୍ରାମବାସୀ ଏ ସଂକ୍ରାନ୍ତରେ ବାରମ୍ବାର ଅଭିଯୋଗ କଲେ ବି ପ୍ରଶାସନ ଶୁଣୁନାହିଁ। ଶେଷରେ ବାଲି ଚ‌ୋରିକୁ ଗ୍ରାମବାସୀ ପ୍ରତିରୋଧ କରି ମାଫିଆଙ୍କ ସହ ମୁହାଁମୁହିଁ ହେଉଛନ୍ତି। ୨୦୨୦ ଅଗଷ୍ଟ ମାସରେ ହଞ୍ଜିଳି ବ୍ଲକର କୋଳିଦାସପୁର ଗାଁରେ ଗ୍ରାମବାସୀ ଓ ବାଲିମାଫିଆ ମୁହାଁମୁହିଁ ହେବା ଓ ୮ଟି ଗାଡ଼ିକୁ ଜାଳିଦେବା ଏହାର ଜ୍ବଳନ୍ତ ଉଦାହରଣ। ତହସିଲ୍‌ରେ ତଳୁ ଉପର ଯାଏ ଅଧିକାରୀ, କର୍ମଚାରୀ ମାଫିଆଙ୍କ ସହ ସଲାସୁତରା କରି ଏହି ବେନିୟମ କାରବାରକୁ ପ୍ରଶୟ ଦେଉଛନ୍ତି। ଅନ୍ୟପକ୍ଷରେ ଗତ ୫ବର୍ଷ ମଧ୍ୟରେ ଜିଲ୍ଲା ପ୍ରଶାସନ ବାଲିରୁ ପ୍ରାୟ ୭କୋଟି ଟଙ୍କା ରାଜସ୍ବ ପାଇଛି। କିନ୍ତୁ ବାଲି ଚୋରା ଚାଲାଣ ଯୋଗୁଁ ଏହା ଠାରୁ ବେଶି ରାଜସ୍ବ ହରାଉଛି ପ୍ରଶାସନ।

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଜିଲ୍ଲାରେ ଲିଜ୍‌ ଇଲକାରୁ ଅଧିକ ଅଞ୍ଚଳରୁ ମନଇଚ୍ଛା ବାଲି ଉତ୍ତୋଳନ କରୁଛନ୍ତି ଲିଜ୍‌ଧାରୀ। ନଦୀ ଶଯ୍ୟାରୁ ରାତି ଦିନ ବାଲି ଉତ୍ତୋଳନ ହେଉଛି। ସରକାରଙ୍କ ରାଜସ୍ବ ବାବଦକୁ ଲିଜ୍‌ଧାରୀ ଯେତିକି ଅର୍ଥ ଦେଉଛନ୍ତି, ମନଇଚ୍ଛା ବାଲି ଉତ୍ତୋଳନ ଓ ଚାଲାଣ କରି ୧୦ଗୁଣ ଅର୍ଥ ଆଦାୟ କରୁଛନ୍ତି। ଉଦ୍‌ବେଗର କଥା, ନିଲାମ ହୋଇ ନ ଥିବା ବାଲି ସୈରାତ ତଥା ନଦୀଶଯ୍ୟା ଗୁଡ଼ିକରୁ ବାଲି ଚାଲାଣ ଓ ଉତ୍ତୋଳନ ବୃଦ୍ଧି ପାଉଛି। ପ୍ରଶାସନ ପକ୍ଷରୁ ନଦୀ ଶଯ୍ୟାରେ ବେନିୟମ ଉତ୍ତୋଳନ ବେଳେ ଚଢ଼ଉ କରିବା ନିଜିର ନାହିଁ। କିନ୍ତୁ ରାସ୍ତାରେ ଟ୍ରାକ୍ଟର ଓ ଟିପ୍ପର ଯୋଗେ ପରିବହନ ହେଉଥିବା ବାଲିକୁ ଚଢ଼ଉ କରି ମନଇଚ୍ଛା ଜରିମାନା ଆଦାୟ ହେଉଛି। ଏପରିକି ଗୋଟିଏ ଗୋଟିଏ ଟ୍ରକ ଠାରୁ ୨ଲକ୍ଷ ଯାଏ ଜରିମାନା ଆଦାୟ କରାଯାଉଛି। ଟ୍ରାକ୍ଟର କିଣି ରୋଜଗାର ପନ୍ଥା ପାଇଥିବା ଯୁବପିଢ଼ି ଦୁଇ ପଇସା ପାଇବା ଆଶାରେ ବାଲି ପରିବହନ କରି ଚଢ଼ଉରେ ପଡ଼ୁଛନ୍ତି। ପ୍ରଶାସନର ଜରିମାନା ତାଡ଼ନାରେ ଅତିଷ୍ଠ ହୋଇ ଟ୍ରାକ୍ଟର ମାଲିକମାନେ ବିରୋଧ କରିବାକୁ ଅଣ୍ଟା ଭିଡ଼ିଲେଣି। ପ୍ରତି ବ୍ଲକ୍‌ରେ ଟ୍ରାକ୍ଟର ମାଲିକ ସଂଘ ଗଢ଼ି ଉଠିଲାଣି। ତେଣୁ ପ୍ରଶାସନ ଅଧିକରୁ ଅଧିକ ସୈରାତ୍‌ ସୃଷ୍ଟି କରିବା ସହ ବାଲି ପରିବହନକୁ ସୁବ୍ୟବସ୍ଥିତ କରିବା ଜରୁରୀ ହୋଇପଡ଼ିଛି। ବାଲି ପରିବହନ ବେଳେ ଆର୍‌ ଫର୍ମ ଦେଉ ନ ଥିବା ଲିଜ୍‌ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଦରକାର। ଟ୍ରାକ୍ଟର ଚାଳକ ଯଦି ଲିଜ୍‌ ‌ସୈରାତ୍‌ରୁ ବିନା ଆର୍‌ ଫର୍ମରେ ବାଲି ଆଣିଥାଏ ତେବେ ଉକ୍ତ ଲିଜ୍‌ଧାରୀଙ୍କ ବିରୋଧ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ।

ସମ୍ବନ୍ଧିତ ଖବର