ପେସା ସମର୍ଥକଙ୍କ କବ୍‌ଜାରେ ବାଲିଘାଟ : ଚାଲିଛି ବେଧଡ଼କ ବାଲି ଉଠାଣ, ସବୁ ଜାଣି ପ୍ରଶାସନ ଚୁପ୍‌

ସୁନ୍ଦରଗଡ଼ : ପେସା ସମର୍ଥକମାନେ କୁତ୍ରା ବ୍ଲକ୍‌ ଅନ୍ତର୍ଗତ ତରକେରାସ୍ଥିତ ସରକାରୀ ବାଲିଘାଟକୁ ୧୩ ମାସ ହେଲା ନିଜ କବ୍‌ଜାରେ ରଖିଛନ୍ତି। ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହାନି ହେଉଥିଲେ ହେଁ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି। ପେସା ଗ୍ରାମସଭା ନାଁରେ ରସିଦ ଦେଇ ବାଲି ବିକ୍ରି କରାଯାଉଥିବା ଜଣାପଡ଼ିଛି।

କୁତ୍ରା ବ୍ଲକ୍‌ ତରକେରା ପଞ୍ଚାୟତର ବିଶେଶ୍ୱର ଲାକ୍ରା ଟେଣ୍ଡର୍‌ ମାଧ୍ୟମରେ ଗତ ୨୦୧୫ ମସିହାରେ ଶଙ୍ଖ ନଦୀ କୂଳରେ ଥିବା ୧୨.୬୦ ଏକର ତରକେରା ବାଲୁଘାଟକୁ ୫ ବର୍ଷ ପାଇଁ ଠିକା ନେଇଥିଲେ। ବାଲିଘାଟ ଠିକା ବାବଦକୁ ବାର୍ଷିକ ଦେୟ ଥିଲା ୪ ଲକ୍ଷ ୩୨ ହଜାର ୯୨୯ ଟଙ୍କା। ପ୍ରାୟ ଅଢ଼େଇ ବର୍ଷ ଧରି ସେ ବାଲି ଉଠାଇ ବିକ୍ରି କରିଥିଲେ। ତେବେ ୨୦୧୬ ମେ ୨୨ ତାରିଖ ଦିନ ବାଲୁଘାଟ ପାଖ ବିଜାଡିହି ଗ୍ରାମବାସୀ ବାଲି ଉଠାଣକୁ ବିରୋଧ କରିଥିଲେ। ପେସା ଆଇନ ଅନୁଯାୟୀ ଗ୍ରାମସଭାର ବିନା ଅନୁମତିରେ ବାଲି ଉଠାଯିବ ନାହିଁ ବୋଲି ସେମାନେ କହିଥିଲେ। ବିଜାଡିହି ରାସ୍ତା ଦେଇ ଚଳାଚଳ କରୁଥିବା ବାଲି ବୋଝେଇ ଗାଡ଼ିକୁ ଅଟକ ରଖିଥିଲେ। ସେତେବେଳେ କୁତ୍ରା ତହସିଲଦାର ରାଜଗାଙ୍ଗପୁର ପୁଲିସ ସହାୟତାରେ ଗାଡ଼ିଗୁଡ଼ିକୁ ଉଦ୍ଧାର କରିଥିଲେ। ଏହାର କିଛି ଦିନ ପରେ ପେସା ସମର୍ଥକମାନେ ତରକେରା ବାଲିଘାଟର ମାତ୍ର ୫ଶହ ମିଟର ଦୂରରେ ଏକ ନୂଆ ବାଲିଘାଟ ‘ତରକେରା (ବିଜାଡିହି) ପେସା ଗ୍ରାମ ସଭା ବାଲୁଘାଟ’ ତିଆରି କରି ବାଲି ବିକ୍ରି କରୁଛନ୍ତି। ବାଲି କିଣୁଥିବା ବ୍ୟକ୍ତିଙ୍କୁ ତରକେରା (ବିଜାଡିହି) ପେସା ଗ୍ରାମ ସଭା ବାଲୁଘାଟ ଉଲ୍ଲେଖଥିବା ରସିଦ ମଧ୍ୟ ଦିଆଯାଉଛି। ବର୍ଷା ଦିନରେ ନଦୀ ଭିତରୁ ବାଲି ଉଠାଇବା ସମ୍ଭବ ନ ଥିବାରୁ ଏହା ପୂର୍ବରୁ ବାଲି ଉଠାଇ ମହଜୁଦ ରଖାଯାଇ ବିକ୍ରି ହେଉଛି। ଏହି ଅନୈତିକ କବ୍‌ଜା ବିରୋଧରେ ଲିଜ୍‌ଧାରୀ କୁତ୍ରା ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କଠାରୁ ଆରମ୍ଭ କରି ଏସ୍‌ପି, ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା। ଏପରିକି ଉତ୍ତରାଂଚଳ ରାଜସ୍ୱ କମିସନର ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ। ଗତ ୧୩ ମାସ ହେଲା ଏହି ବାଲୁଘାଟ ପେସା ସମର୍ଥକଙ୍କ କବ୍‌ଜାରେ ଥିବାରୁ ଏଠାରୁ ରାଜସ୍ୱ ଆଦାୟ ହୋଇପାରୁନାହିଁ। ସରକାରୀ ନୀତି ନିୟମ ଅନୁସାରେ ବାଲୁଘାଟ ଚାଲୁ କରିବା ପାଇଁ ପ୍ରଶାସନ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର