ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ନଦୀଶଯ୍ୟା ଏବଂ ସଇରାତ ଉତ୍ସରୁ ବାଲି ଚୋରି ଦିନକୁ ଦିନ ଭୟଙ୍କର ରୂପ ଧାରଣ କରୁଛି। ତା’ ସହିତ ବିପର୍ଯ୍ୟସ୍ତ ହେଉଛି ଆଇନ ଶୃଙ୍ଖଳା ପରିସ୍ଥିତି। ଏହାକୁ ପ୍ରତିହତ କରିବା ନେଇ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଖୁବଶୀଘ୍ର ଏକ ନିୟମାବଳୀ ଜାରି କରିବ। ଏହା ସହିତ ପ୍ରଚଳିତ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ସ୍ଥିର କରାଯାଇଛି।
ଆଜି ସଚିବାଳୟରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟ ସଚିବ ବେଆଇନ୍ ବାଲି ଖନନ ଓ ବାଲି ଚୋରି ବନ୍ଦ କରିବା ପାଇଁ ପୁଲିସ ବିଭାଗକୁ ନିର୍ଦେଶ ଦେଇଥିଲେ। ସେହିପରି ଲଘୁ ଖଣିଜ ଦ୍ରବ୍ୟ ଉତ୍ତୋଳନ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ମଧ୍ୟ ସେ ନିର୍ଦେଶ ଦେଇଥିଲେ। ଏ ଦିିଗରେ ପୁଲିସକୁ ଆବଶ୍ୟକୀୟ ତଥ୍ୟ ଓ ସହଯୋଗ ଯୋଗାଇ ଦେବାର ଆବଶ୍ୟକତା ଅଧିକ। ଏହି ପରିପ୍ରେକ୍ଷୀରେ ସଂପୃକ୍ତ ଜିଲ୍ଲାପାଳ, ରାଜସ୍ୱ ଓ ଜଳ ସଂପଦ ବିଭାଗର ଅଧିକାରୀମାନଙ୍କୁ ମଧ୍ୟ ଶ୍ରୀ ପାଢ଼ୀ ଉପଯୁକ୍ତ ନିର୍ଦେଶ ଦେଇଥିଲେ।
ବୈଠକରେ ଆଲୋଚନା ପାଇଁ ରାଜସ୍ୱ ବିଭାଗ ପ୍ରମୁଖ ସଚିବ ଡ. ଚନ୍ଦ୍ରଶେଖର କୁମାର ନିୟମାବଳୀର ଚିଠା ପ୍ରସ୍ତାବ ଉପସ୍ଥାପନ କରିଥିଲେ। ଏଥିରେ ସନ୍ନିବଶିତ ହେବାକୁ ଥିବା ବିଭିନ୍ନ ଦିଗ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ରାଜ୍ୟର ବିଭିନ୍ନ ନଦୀଶଯ୍ୟାରେ ଥିବା ବଡ଼ ବଡ଼ ବାଲି ଖନନଯୋଗ୍ୟ ଉତ୍ସକୁ ସାଟେଲାଇଟ୍ ଓ ରିମୋଟ୍ ସେନ୍ସିଂ ପଦ୍ଧତି ମାଧ୍ୟମରେ ଚିହ୍ନଟ କରିବା ପାଇଁ ବୈଠକରେ ସ୍ଥିର ହୋଇଥିଲା । ଏ ଦିଗରେ ତ୍ୱରିତ ପଦକ୍ଷେପ ନେଇ ନିର୍ଧାରିତ ସମୟ ମଧ୍ୟରେ ଚିହ୍ନଟ କାର୍ଯ୍ୟ ସାରିବା ପାଇଁ ମୁଖ୍ୟ ସଚିବ ଓଡ଼ିଶା ମହାକାଶ ଉପଯୋଗିତା କେନ୍ଦ୍ର(ଓରସାକ୍)ଙ୍କୁ ନିର୍ଦେଶ ଦେଇଥିଲେ।
ବିଭିନ୍ନ ଉନ୍ନୟନମୂଳକ ଏବଂ ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟ ପାଇଁ ଆବଶ୍ୟକୀୟ ବାଲି ଯୋଗାଣ, ଗ୍ରାମୀଣ ଗୃହ ନିର୍ମାଣ ପାଇଁ ବାଲି ଯୋଗାଣ, ବେଆଇନ୍ ବାଲି ଖନନକୁ ଦୃଢ଼ ଦମନ, ବାଲି ଖନନକୁ ନଦୀଶଯ୍ୟା ଓ ତତ୍ ସଂଲଗ୍ନ ଭିତ୍ତିଭୂମି ନିମନ୍ତେ ନିରାପଦ କରିବା, ବାଲିର ଆବଶ୍ୟକତା ଓ ଯୋଗାଣ ଭିତରେ ସନ୍ତୁଳନ ବଜାୟ ରଖିବା, ସମସ୍ତ ବାଲି ସଇରାତ୍ର ଚିହ୍ନଟ କରିବା, କେଉଁ ଉତ୍ସରୁ କେତେ ବାଲି ଉତ୍ତୋଳନ ହେବା ଉଚିତ ତା’ର ଆକଳନ କରିବା, ଏଥିପାଇଁ ପରିବେଶ ଓ ଅନ୍ୟାନ୍ୟ ବୈଧାନିିକ ସ୍ୱୀକୃତି ଆଦି ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। ବୈଠକରୁ ମିଳିଥିବା ବିଭିନ୍ନ ପରାମର୍ଶଗୁଡିକୁ ସନ୍ନିବେଶିତ କରି ନୂତନ ନିିୟମାବଳୀର ରୂପରେଖ ପ୍ରସ୍ତୁତ କରିବା ପାଇଁ ବିଭାଗୀୟ ମୁଖ୍ୟଙ୍କୁ ନିର୍ଦେଶ ଦେଇଥିଲେ ମୁଖ୍ୟ ସଚିବ। ବୈଠକରେ ଉନ୍ନୟନ କମିସନର ଆର୍.ବାଳକ୍ରିଷ୍ଣନ୍, ଜଙ୍ଗଲ ଓ ପରିବେଶ, ଇସ୍ପାତ୍ ଓ ଖଣି, ଜଳ ସଂପଦ, ଗ୍ରାମ ଉନ୍ନୟନ, ବାଣିଜ୍ୟ ଓ ପରିବହନ ବିଭାଗ, ପ୍ରଦୂଷଣ ନିିୟନ୍ତ୍ରଣ ବୋର୍ଡର ପଦାଧିକାରୀମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।