ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାରେ ଆଜି ପର୍ଯ୍ୟନ୍ତ ପ୍ରାୟ ୮୦% ବାଲିଘାଟରୁ ବାଲି ଉତ୍ତୋଳନ ପାଇଁ ଅନୁମତି ମିଳିନି। ହେଲେ ବାଲିମାଫିଆମାନେ ମନଇଚ୍ଛା ଲୁଟ୍‌ କରି ଚାଲିଛନ୍ତି। ସୁପ୍ରିମକୋର୍ଟର ନିର୍ଦ୍ଦେଶକୁ ମଧ୍ୟ ମାନୁ ନାହାନ୍ତି। ଦିନରେ ବାଲି ଉଠାଇବା ପରେ ପ୍ରତିବନ୍ଧକ ଥିବା ସତ୍ବେ ଲିଜ୍‌ଥିବା କିଛି ବାଲିଘାଟରେ ଦୈନିକ ଶହ ଶହ ବାଲି ଉଠାଚାଲିଛି। ଏମିତି ସ୍ଥିତି ଦେଖିବାକୁ ମିଳିଛି ତେତେରକେଲା ବାଲିଘାଟରେ। ଅବଶ୍ୟ ଖଣିବିଭାଗ ଏହି ଘାଟକୁ ଲିଜ୍‌ ଦେଇଛନ୍ତି। ଲିଜ୍‌ଧାରୀ କିନ୍ତୁ ସରକାରଙ୍କ ସମସ୍ତ ନୀତିନିୟମକୁ ଜଳାଞ୍ଜଳି ଦେଇ ଉଭୟ ଦିନ ଓ ରାତି ବାଲି ଉଠାଇ ଚାଲିଛନ୍ତି। ସୂଚନା ପାଇ ଖଣି ବିଭାଗ କିଛି ଘାଟ ଉପରେ ଚଢ଼ଉ କରି ବାଲିବୋଝେଇ ଗାଡ଼ିଗୁଡ଼ିକୁ ଜବତ କରୁଛନ୍ତି। ତଥାପି ଚୋରା ବାଲିଚାଲାଣ ଥମିବାର ନାଁ ନେଉନି। କିଛି ବାଲିଘାଟର ବେଆଇନ ବାଲିଚାଲାଣକୁ ରୋକିବା ପରିବର୍ତ୍ତେ ସ୍ଥାନୀୟ ପୁଲିସ ଭିତିରି ସଲୁସୁତୁରା କରି ପ୍ରୋତ୍ସାହନ ଦେଉଥିବା ଦେଖିବାକୁ ମିଳୁଛି। ଖଣି ଅଧିକାରୀ ଅଜୟ କୁମାର ଗିରି କରିଛନ୍ତି, ଯେଉଁମାନେ ଏମିତି ବେଆଇନ କାର୍ଯ୍ୟ କରୁଛନ୍ତି, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

Advertisment

ଲିଜ୍‌ ମିଳିନଥିବା ବାଲିଘାଟ ଉପରେ ଏନ୍‌ଫୋର୍ସମେଣ୍ଟ ଟିମ୍‌ ନିୟମିତ ବ୍ୟବଧାନରେ ଚଢ଼ଉ କରୁଛନ୍ତି। ଯଦି ତେତେରକେଲା ଘାଟରୁ ଦିନରେ ବାଲି ଉଠାଣ ହେଉଥିବ, ତା’ ହେଲେ ସମ୍ପୃକ୍ତ ଲିଜ୍‌ଧାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ସୂଚନାଯୋଗ୍ୟ, ଚୋରାଚାଲାଣକାରୀ ଓ ଗାଡ଼ି ମାଲିକଙ୍କଠୁ ୫୧ ଲକ୍ଷ ୫ ହଜାରରୁ ଅଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି। ସେମିତି ଖଣି ବିଭାଗ ମାତ୍ର ୫ଟି ପଥର ଖାଦାନାକୁ ଅନୁମତି ଦେଇଛି। ସେଗୁଡ଼ିକ ମଧ୍ୟରେ ରହିଛି ହେମଗିରି ବ୍ଲକର ସରବାହାଲ, ଲାଠିକଟାର ବଲଣ୍ଡା -୨ ଓ ୩, କୁଆରମୁଣ୍ଡାର ଡୁମଙ୍ଗଡ଼ିରି ଓ କୋଇଡାର ବାଙ୍କା ପଥର ଖାଦାନ। ପ୍ରାୟ ୨୦ରୁ ଅଧିକ ପଥର ଖାଦାନାରୁ ବେଆଇନ ଉତ୍ତୋଳନ ହେଉଥିଲେ ହେଁ ଖଣି ବିଭାଗ ଚୁପ୍‌। ଖଣି ବିଭାଗ ନିୟମ ଅନୁଯାୟୀ ଅନ୍‌ଲାଇନ୍‌ ଟିପି ନଥିଲେ ପଥର ଖାଦାନରୁ ପଥର ପରିବହନ ସମ୍ପୂର୍ଣ୍ଣ ନିଷେଧ। କିନ୍ତୁ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରତ୍ୟେକ ପଥର ଖାଦାନରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି। ବିନା ଟିପିରେ ପଥର ଖାଦାନରୁ ସିଧାସଳଖ କ୍ରସର ୟୁନିଟ୍‌କୁ ପଥର ବୋହାଯାଉଛି। ଖଣିବିଭାଗର ଏନ୍‌ଫୋର୍ସମେଣ୍ଟ ଟିମ୍‌ ହେଉ ଅବା ସ୍ଥାନୀୟ ପୁଲିସ, କେହି ଏମାନଙ୍କୁ ଧରିବାକୁ ଯାଉନାହାନ୍ତି। ବ୍ଲାଷ୍ଟିଂ ଅନୁଯାୟୀ ଗୋଟିଏ ଗୋଟିଏ ଖାଦାନରୁ ଦିନକୁ ୩୦ରୁ ୫୦ ଟ୍ରିପ୍‌ ପର୍ଯ୍ୟନ୍ତ ପଥର ଚାଲାଣ ହେଉଛି। ପ୍ରତିମାସ କୋଟିଏ ଟଙ୍କାର ରାଜସ୍ବ ସରକାରୀ ତହବିଲକୁ ନ ଯାଇ ସିଧାସଳଖ ଲିଜ୍‌ଧାରୀ ଠିକାସଂସ୍ଥାର ପକେଟକୁ ଯାଉଛି। ଲିଜ୍‌ଧାରୀ ବେଆଇନ୍‌ ଭାବେ ମନଇଚ୍ଛା ବିସ୍ଫୋରଣ କରି ପଥର ଉତ୍ତୋଳନ କରି ଚାଲିଛନ୍ତି।