ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉଠାଣ : ଜିଲ୍ଲାପାଳ, ଏସ୍‌ପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ

ପଟ୍ଟାମୁଣ୍ଡାଇ : ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉଠାଣ ମାମଲାର ଶୁଣାଣି କରି କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏନ୍‌ଜିଟି(ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ)। ବେଆଇନ ଭାବେ ବାଲି ଉଠାଣ କରିଥିବା ସଂସ୍ଥା ଓ ଠିକାଦାରମାନଙ୍କଠାରୁ ଯଥେଷ୍ଟ ପରିମାଣର କ୍ଷତିପୂରଣ ଓ ଜରିମାନା ଆଦାୟ କରିବା ଓ ବାଲି ଖୋଳାକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି।

ଆସନ୍ତା ୩୦ ଦିନ ମଧ୍ୟରେ ଏହି ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ତାଗିଦ କରାଯାଇଛି।

ସୂଚନା ଥାଉକି, ବ୍ରାହ୍ମଣୀ ନଦୀରୁ ବେଆଇନ ବାଲି ଉଠାଣକୁ ନେଇ ପଟ୍ଟାମୁଣ୍ଡାଇ ଅଞ୍ଚଳର ମନୋରଂଜନ ପ୍ରଧାନ ଓ ମିଟୁ ଦାଶ ଟ୍ରିବ୍ୟୁନାଲର ଦ୍ବାରସ୍ଥ ହୋଇଥିଲେ। ଗତବର୍ଷ ନ‌ଭେମ୍ବର ୧୨ ତାରିଖରେ ଟ୍ରିବ୍ୟୁନାଲ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ବେଆଇନ ବାଲି ଖୋଳା ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଏ ସଂକ୍ରାନ୍ତରେ ରିପୋର୍ଟ ଦେବା ପାଇଁ ପଟ୍ଟାମୁଣ୍ଡାଇ ତହସିଲଦାର, ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ପୃଥକ ପୃଥକ ସତ୍ୟପାଠ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ନଦୀ ଭିତରୁ ଆଦୌ ବାଲି ଉଠାଣ ହେଉନାହିଁ ବୋଲି ସେମାନେ ସତ୍ୟପାଠ ମାଧ୍ୟମରେ ଜଣାଇଥିଲେ। ତେ‌ବେ ଉପରୋକ୍ତ ସତ୍ୟପାଠକୁ ବିରୋଧ କରି ଆବେଦନକାରୀଙ୍କ ପକ୍ଷରୁ ଅଦାଲତ ଅବମାନନା ମାମଲା ନଂ. ୪/୨୦୧୯ ଦାଏର କରାଯାଇ ଉପରୋକ୍ତ ଅଧିକାରୀମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ର୍ରହଣ କରିବାକୁ ପ୍ରାର୍ଥନା କରାଯାଇଥିଲା। ପରେ ଟ୍ରିବ୍ୟୁନାଲ୍‌ କେନ୍ଦ୍ର ସରକାରଙ୍କ ଏକ ସ୍ବତନ୍ତ୍ର ସଂସ୍ଥାକୁ ଘଟଣାସ୍ଥଳ ପରିଦର୍ଶନ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ସଂସ୍ଥା ତରଫରୁ ଦାଖଲ ହୋଇଥିବା ରିପୋର୍ଟରେ ସ୍ପଷ୍ଟ କରାଯାଇଥିଲା ଯେ ପଟ୍ଟାମୁଣ୍ଡାଇ ତହସିଲଦାର ବେଆଇନ ଭାବେ ବାଲି ଖୋଳା ପାଇଁ ଅନୁମତି ଦେଇଛନ୍ତି ଏବଂ ‘ବିରେନ୍ଦ୍ର ପାଲ ସିଂ କଣ୍ଟ୍ରାକ୍ଟର’ ମାଧ୍ୟମରେ ବାଲି ଉଠା ଚାଲିଛି। ଜିଲ୍ଲାପାଳ, ଏସ୍‌ପି ସତ୍ୟପାଠରେ ମିଥ୍ୟା ତଥ୍ୟା ଦେଇଥିବା ଦର୍ଶାଯାଇଥିଲା। ଏହି ରିପୋର୍ଟ ଆଧାରରେ ଟ୍ରିବ୍ୟୁନାଲ୍‌ କେନ୍ଦ୍ରାପଡା ଜିଲ୍ଲାପାଳ ଓ ଏସପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି। ଆବେଦନକାରୀଙ୍କ ପକ୍ଷରୁ ହାଇକୋର୍ଟ ଆଡଭୋକେଟ ଦେବାଶିଷ ତ୍ରିପାଠୀ ମାମଲା ପରିଚାଳନା କରିଥିବା ବେଳେ ଆଡଭୋକେଟ ମନୋଜ ପାଣିଗ୍ରହୀ, ରାକେଶ ଷଡ଼ଙ୍ଗୀ, ଦେବଦତ୍ତ ସେଠୀ ସହାୟତା କରିଥିଲେ।

ସମ୍ବନ୍ଧିତ ଖବର